ଇପିଏଫ୍ ସଂସ୍ଥାରୁ ମାସିକ ପେନସନ୍ ବୃଦ୍ଧି ଦାବିରେ ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ବାଲେଶ୍ୱର, (ସରୋଜ ପଣ୍ଡା):ଅଲ୍ ଓଡ଼ିଶା ଇପିଏଫ୍ ପେନସନର୍ସ ଆସୋସିଏସନ୍ ଆହ୍ୱାନରେ ଓଡ଼ିଶାର ସମସ୍ତ ଲୋକସଭା ଓ ରାଜ୍ୟସଭା ସାଂସଦମାନଙ୍କୁ ସ୍ଥାନୀୟ ପେନସନର୍ସମାନେ ସାକ୍ଷାତ କରି ସେମାନଙ୍କ ସମସ୍ୟା ଅବଗତ କରାଇବା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଉଛି । ବାଲେଶ୍ୱର ଲୋକସଭାର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ସୋମବାର ଅପରାହ୍ନରେ ବାଲେଶ୍ୱର ଜିଲ୍ଲା କମିଟିର ପ୍ରତିନିଧିମାନେ ସାକ୍ଷାତ ଆଲୋଚନା ସହ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଇପିଏଫ୍ ସଂସ୍ଥାରୁ ପେନସନ୍ ପାଉଥିବା ଅବସରପ୍ରାପ୍ତ କର୍ମଚାରୀ ମାସିକ ଏକ ହଜାର ଟଙ୍କା କିମ୍ବା ତହିଁରୁ କମ୍ ଟଙ୍କା ପାଉଛନ୍ତି । ତେଣୁ ସର୍ବନିମ୍ନ ମାସିକ ପେନସନ୍ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ଓ ସରକାରୀ ଚିକିତ୍ସାବୀମା ଯୋଗାଇଦେବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ଗ୍ରହଣ କରିବାକୁ ଦାବିପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଦରଦାମ୍ ଆକାଶଛୁଆଁ ବଢ଼ିଚାଲିଥିବାବେଳେ ସ୍ୱଳ୍ପ ପେନସନ୍‌ରେ ଏହି ବରିଷ୍ଠ ନାଗରିକମାନେ ବିଭିନ୍ନ ଜରାରୋଗର ଚିକିତ୍ସା କରାଇବା ମଧ୍ୟ ସମ୍ଭବପର ହେଉନାହିଁ ବୋଲି ପ୍ରତିନିଧିମାନେ ସାଂସଦଙ୍କୁ ଅବଗତ କରାଇଥିଲେ । ଏହି ଦାବି ସଂପର୍କରେ ସେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିବା ସହ ଆଲୋଚନାରେ ଅବଗତ କରାଇବେ ବୋଲି ସାଂସଦ ଶ୍ରୀଷଡ଼ଙ୍ଗୀ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ଏହି ସାକ୍ଷାତକାରରେ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସଂପାଦକ ବିଷ୍ଣୁ ପ୍ରସାଦ ମହାନ୍ତି, ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀଙ୍କ ସମେତ ଶ୍ୟାମସୁନ୍ଦରର ଜେନା, ଶରତ ଚନ୍ଦ୍ର ଦଳାଇ, ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଦିବାକର ଚାନ୍ଦ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ଏହି ସାକ୍ଷାତକାର ବେଳେ ବିଜେପି ନେତ୍ରୀ ତଥା ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ସଂପାଦିକା ମମତା ମହାପାତ୍ର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ