କୋଣାର୍କ ପର୍ଯ୍ୟଟନ ଦିବସରେ ସରକାର ଦେଲେ ପର୍ଯ୍ୟଟକଙ୍କୁ ଭେଟି
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): ବିଶ୍ଵ ପର୍ଯ୍ୟଟନ ଦିବସ ଅବସରରେ ଆଜି ଠାରୁ ପ୍ରଥମ ଥର ଭୁବନେଶ୍ୱରଠାରୁ କୋଣାର୍କ କୁ ଗଡିଲା ମୋ ବସ । ଯାହା ଆଜି ସକାଳ ୭.୪୦ ରେ ଭୁବନେଶ୍ୱର ରୁ ବାହାରି ସକାଳ ୧୦ ଘଟିକାରେ କୋଣାର୍କରେ ପହଞ୍ଚିଥିଲା । କୋଣାର୍କ ଅଞ୍ଚଳ ବାସୀଙ୍କ ଦୀର୍ଘ ଦିନର ସ୍ଵପ୍ନ ଆଜି ବାସ୍ତବ ରୂପ ନେଇଛି । ଆଜିଠାରୁ ରାସ୍ତା ନମ୍ବର ୭୦ ରେ ଭୁବନେଶ୍ୱର ଠାରୁ କୋଣାର୍କ କୁ ଗଡ଼ିଛି ମୋ ବସ । ଯାହା ପ୍ରଥମ ଦିନରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କ ସହ ବାହାରିଥିଲା । ଦୈନିକ ୨ ଟି ବସ କିଛି ସମୟ ବ୍ୟବଧାନ ରେ କୋଣାର୍କକୁ ଯାତ୍ରୀ ନେବା ଓ ଆଣିବା କରିବା ଦ୍ଵାରା କୋଣାର୍କକୁ ପ୍ରତ୍ୟେକ ଦିନ ଆସୁଥିବା ପର୍ଯ୍ୟଟକ ମାନେ ସୁବିଧାରେ ଓ ସୁରକ୍ଷିତ ଭାବେ କୋଣାର୍କକୁ ଯିବା ଆସିବା କରି ପାରିବେ ଏହା ଦ୍ଵାରା କୋଣାର୍କକୁ ଏକ ସ୍ଵତନ୍ତ୍ର ପରିଚୟ ମିଳିପାରିବ । ଏହି ବସ ଗୁଡିକରେ ଯାତ୍ରୀ ମାନଙ୍କ ସୁବିଧା ପାଇଁ ମାଗଣା ୱାଇଫାଇ ସହ କ୍ୱିଉଆର କୋଡ଼ ସ୍କାନ ମାଧ୍ୟମରେ ବସ ଯାତ୍ରାର ନିର୍ଧାରଣ ହୋଇଥିବା ଦେୟ ୬୦ ଟଙ୍କା ପୈଠ ନିମନ୍ତେ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ସହ ଯାତ୍ରୀଙ୍କ ବସ ଯାତ୍ରା ପୂର୍ବରୁ ଥର୍ମାଲ ସ୍କାନ ସହ ସାନିଟାଇଜର ବ୍ୟବହାର କରିବା ନିମନ୍ତେ ସୁବିଧା କରାଯାଇଛି | ଏହା ସହ ବିନା ମାସ୍କରେ ଯାତ୍ରୀ ମାନେ ବସ ଯାତ୍ରା କରିପାରିବେ ନାହିଁ ବୋଲି ମଧ୍ୟ ସୂଚନା ଦିଆଯାଇଛି । କୋଣାର୍କ କୁ ସରକାରଙ୍କ ପକ୍ଷରୁ ଏପରି ସୁବିଧା ଯୋଗାଇ ଦେଇଥିବାରୁ କୋଣାର୍କ ଅଞ୍ଚଳ ବାସୀଙ୍କ ମନରେ ନୂଆ ଆଶା ବସା ବାନ୍ଧିଛି । ଯାହା ବିଗତ ଅନେକ ଦଶନ୍ଧି ଧରି କୋଣାର୍କ ବିକାଶର ସ୍ଵପ୍ନ ଦେଖିଥିବା ବୁଦ୍ଧିଜୀବୀ ଓ ଅଞ୍ଚଳ ବାସୀ ଖୁବ ଖୁସି ଥିବା ପ୍ରକାଶ କରିଛନ୍ତି । ସେପଟେ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଏହି ସୁବିଧା ଯୋଗାଇ ଦିଆଯାଇଥିବାରୁ ପର୍ଯ୍ୟଟକ ଓ ପର୍ଯ୍ୟଟନ ଉଭୟ କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ ବୋଲି ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ସରୋଜ କାନ୍ତ ପ୍ରଧାନ ପ୍ରକାଶ କରିଛନ୍ତି ।