କୋଭିଡ୍ କଟକଣା କୋହଳ ପରେ ବି ଚାଲୁ ନାହିଁ ଯାତ୍ରୀବାହୀ ରେଳ; ଉପେକ୍ଷିତ ଖଣି ଅଂଚଳବାସୀ
ଯୋଡା,(ସମୀର କୁମାର ଦାସ): ଉପାନ୍ତ ଅଂଚଳ ଯୋଡା, ମୁର୍ଗା, ବିଲେଇପଦା, ବଡବିଲ, ଜୁରୁଡି, ବାମେବାରୀ, ନୟାଗଡ, ପର୍ଜନପୁର, ଗୁଆଲଡିହୀ ସହିତ ରାଉରକେଲା ପ୍ରଭୃତି ଅଂଚଳଦେଇ ଚଳାଚଳ କରୁଥିବା ରାଉରକେଲା-ପୁରୀ ଇନ୍ଟରସିଟି ଏକ୍ସପ୍ରେସ ରେଳଗାଡି ବନ୍ଦ ହେବା ଯୋଗୁଁ ଖଣି ଅଂଚଳବାସୀ ଯାତାୟତରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତବର୍ଷ ମାର୍ଚ୍ଚ ମାସ ଠାରୁ କରୋନା କଟକଣା ଜାରି ହେବାପରେ ରେଳ ଚଳାଚଳ ସମ୍ପୁର୍ଣ୍ଣ ପ୍ରଭାବିତ ହୋଇଥିଲା । କୋଭିଡ୍ ନିୟମରେ କେନ୍ଦ୍ର ସରକାର ପର୍ଯ୍ୟାୟକ୍ରମେ କୋହଳ କରିବା ପରେ ରେଳ ଚଳାଚଳ ସ୍ୱଭାବିକ ହୋଇଥିଲା । ହେଲେ ରାଉରକେଲା ଠାରୁ ପୁରୀ ପର୍ଯ୍ୟନ୍ତ ଏହି ଖଣି ଅଂଚଳଦେଇ ଚଳାଚଳ କରୁଥିବା ମାତ୍ର ଗୋଟିଏ ଯାତ୍ରୀବାହୀ ରେଳଟି ନିୟମ କୋହଳ ହେବା ପରେ ବି ଚଳାଚଳ କରୁନାହିଁ । ଏହି ରେଳଗାଡି ଉପରେ ଖଣି ଅଂଚଳର ସାଧାରଣ ଗରିବ ଜନସାଧାରଣ କଟକ, ଭୁବନେଶ୍ୱର, ପୁରୀ ସମେତ ରାଉରକେଲା କୁ କମ୍ ଭୋଡାରେ ଯାତାୟତ କରିଥାନ୍ତି । ରେଳ ବିଭାଗ ହଜାର ହଜାର କୋଟି ଟଙ୍କା ଖଣି ଅଂଚଳରୁ ଖଣିଜ ପରିବହନ କରି ପରିବହନ ଭୋଡା ପାଇଥାଏ । ହେଲେ ଏହି ଅଂଚଳଦେଇ ଚଳାଚଳ କରୁଥିବା ଯାତ୍ରୀବାହୀ ରେଳକୁ ପୁନର୍ବାର ଚଳାଚଳ କରିବାରେ ଅଣଦେଖା କରୁଅଛି । ଏ ସମ୍ପର୍କରେ ରେଳ ବିଭାଗର ଚକ୍ରଧରପୁର ଡିଭିଜନ୍ ର ଡିଆର୍ଏମ୍ (ଡିଭିଜନାଲ ରେଲୱେ ମ୍ୟାନେଜର) ବିଜୟ କୁମାର ସାହୁ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ରାଉରକେଲା-ପୁରୀ ଇନ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍କୁ ଚଳାଇବା ପାଇଁ ସେ ରେଳ ବିଭାଗକୁ ପ୍ରସ୍ତାବ ଦେଇଛନ୍ତି । ବିଭାଗ ପକ୍ଷରୁ ଅନୁମତି ମିଳିଲେ ଉକ୍ତ ଯାତ୍ରୀବାହୀ ଟ୍ରେନ୍ କୁ ଚଳାଯିବ ।