କୋଭିଡ ମୁକାବିଲାରେ ଆଇଏଲଏସର ପ୍ରୟାସ
ନୂଆଦିଲ୍ଲୀ : ବିଗତ ଏକ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଅଧୀନ ଭୁବନେଶ୍ୱରସ୍ଥିତ ଇନଷ୍ଟିଚ୍ୟୁଟ ଅଫ ଲାଇଫ ସାଇନ୍ସେସ ନିରବଚ୍ଛିନ୍ନ ଭାବେ କୋଭିଡ-୧୯ ନମୁନା ପରୀକ୍ଷା କରିଚାଲିଛି । ଆଇଏଲଏସ ନିଜର ନୂଆକରି ଗଠିତ ତଥା ସବୁଦୃଷ୍ଟିରୁ ପ୍ରସ୍ତୁତ ବାୟୋସେଫଟି ଲେଭଲ-୩ ପରୀକ୍ଷାଗାରରେ କୋଭିଡ ଭୂତାଣୁ ପରୀକ୍ଷା ଆରମ୍ଭ କରିଥିଲା । ପ୍ରଥମେ ଏପ୍ରିଲ ୧୪ ତାରିଖରେ ଆଇଏଲଏସ ୪୪ଟି ନମୁନା ପରୀକ୍ଷା କରିଥିଲା । ଏପ୍ରିଲ ୩୦ ତାରିଖ ବେଳକୁ ନମୁନା ପରୀକ୍ଷଣ କ୍ଷମତା ବୃଦ୍ଧି ପାଇ ଦୈନିକ ୧ ହଜାର ନମୁନା ପରୀକ୍ଷା କରାଗଲା । ଆଜିସୁଦ୍ଧା ଏଠାରେ ୧୫,୯୪୦ ନମୁନା ପରୀକ୍ଷା କରାଯାଇପାରୁଛି ଯାହାକି ଓଡ଼ିଶାରେ ହୋଇଥିବା ମୋଟ ନମୁନା ପରୀକ୍ଷାର ୨୦% । ଏହି ପରୀକ୍ଷା ଉନ୍ନତ ପ୍ରଶିକ୍ଷଣପ୍ରାପ୍ତ ପେସାଦାରଙ୍କୁ ନେଇ ଏକ ଗଠିତ ଦଳ ଦ୍ୱାରା ସମ୍ପାଦନ କରାଯାଉଛି । ଏହି ଦଳରେ ୩ ଜଣ ଭାଇରୋଲୋଜିଷ୍ଟ, ୩ ଜଣ ମଲିକୁଲାର ମାଇକ୍ରୋବାୟୋଲୋଜିଷ୍ଟ, ୫ ଜଣ ମଲିକୁଲାର ବାୟୋଲୋଜିଷ୍ଟ, ୨୦ ଜଣ ପିଏଚଡି ଛାତ୍ରଛାତ୍ରୀ ଏବଂ ୧୫ ବୈଷୟିକ ସହାୟକଙ୍କ ଦଳ ରହିଛନ୍ତି । ନମୁନା ସଂଗ୍ରହ ଠାରୁ ଆରମ୍ଭ କରି ଭିଟିଏମରୁ ଭୂତାଣୁ ପୃଥକ କରିବା, ଆରଏନଏ ଆଇସୋଲେସନ ଆଦି କ୍ଷେତ୍ରରେ ଯଥେଷ୍ଟ ସୁରକ୍ଷା ଅବଲମ୍ବନ କରାଯାଉଛି ଏବଂ ସୁରକ୍ଷିତ ଭାବେ ଆରଟି-ପିସିଆର ଓ ବାୟୋମେଡ଼ିକାଲ ଆବର୍ଜନାକୁ ନଷ୍ଟ କରାଯାଉଛି । ଓଡ଼ିଶା ସରକାରଙ୍କ ସକ୍ରିୟ ସହଯୋଗରେ ଆଇଏଲଏସ ରାଜ୍ୟର ୧୬ଟି ଜିଲ୍ଲାରୁ ନମୁନାଗୁଡ଼ିକର ବିଶ୍ଳେଷଣ କରିଛି । ଏହି ପରୀକ୍ଷାର ଫଳାଫଳ ରାଜ୍ୟ ସରକାର ଏବଂ ଆଇସିଏମଆରକୁ ସଠିକ ସମୟରେ ଯୋଗାଇ ଦିଆଯାଉଛି ଯାହା ଫଳରେ ସେମାନେ ପ୍ରାଥମିକତା ଭିତିରେ ଏ ଦିଗରେ ପରବର୍ତୀ ପଦକ୍ଷେପ ଗ୍ରହଣ କରିପାରିବେ । ଏହି ପ୍ରକ୍ରିୟା ମଧ୍ୟରେ, ଆଇଏଲଏସ ପକ୍ଷରୁ ବିଭିନ୍ନ ସଂସ୍ଥାନଗୁଡ଼ିକୁ କୋଭିଡ ପରୀକ୍ଷଣ ନିମନ୍ତେ ତାଲିମ ଦିଆଯାଇଛି ଏବଂ ସୁବିଧା ଓ ସରଞ୍ଜାମ କ୍ଷେତ୍ରରେ ମଧ୍ୟ ସମର୍ଥନ ଦିଆଯାଇଛି । ଓଡ଼ିଶା ସରକାରଙ୍କ ସହଯୋଗ ଏବଂ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗର ସଚିବ ଡ. ରେଣୁ ସ୍ୱରୂପଙ୍କ ସମର୍ଥନ ଓ ପ୍ରୋତ୍ସାହନ ଲାଗି ଆଇଏଲଏସର ନିର୍ଦ୍ଦେଶକ ଡ. ଅଜୟ ପରିଡ଼ା କୃତଜ୍ଞତା ବ୍ୟକ୍ତ କରିବା ସହିତ ସମର୍ପିତ ପ୍ରୟାସ ନିମନ୍ତେ ଆଇଏଲଏସ ଟିମକୁ ପ୍ରଶଂସା କରିଛନ୍ତି । କୋଭିଡ-୧୯ ମୁକାବିଲା ପ୍ରୟାସରେ ସମ୍ପୃକ୍ତ ହେବା ଦ୍ୱାରା ଆଇଏଲଏସ ବିପୁଳ ପରିମାଣର ପେସାଗତ ସନ୍ତୋଷ ଲାଭ କରିଛି ବୋଲି ଡ. ପରିଡ଼ା କହିଛନ୍ତି । ଆଗାମୀ ଦିନରେ ଆବଶ୍ୟକତା ଆଧାରରେ ପରୀକ୍ଷା ପ୍ରୟାସକୁ ବୃଦ୍ଧି କରାଯିବ ବୋଲି ସେ ମଧ୍ୟ ଉଲ୍ଲେଖ କରିଛନ୍ତି । ପ୍ରମୁଖ ସଂସ୍ଥାନ ଭାବେ କରୋନା ଭୂତାଣୁ ଉପରେ ଆଇଏଲଏସ ପକ୍ଷରୁ ଗବେଷଣା ଆରମ୍ଭ କରାଯିବାକୁ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ଡ. ପରିଡ଼ା କହିଛନ୍ତି ଯେ ଆଇଏଲଏସ ପକ୍ଷରୁ କରୋନା ଭୂତାଣୁ ଜେନୋମ ସିକୁଏନ୍ସିଂ ଆରମ୍ଭ କରାଯାଇଛି । ଜୁନ ସୁଦ୍ଧା ୧୦୦୦ ଭୂତାଣୁ ସିକୁଏନ୍ସିଂ ପାଇଁ ବାୟୋଟେକ୍ନୋଲୋଜି ବିଭାଗ କନସୋର୍ଟିଅମର ଅଂଶବିଶେଷ ସ୍ୱରୂପ ପାଖାପାଖି ୨୦୦ ଭୂତାଣୁର ଜେନୋମ ସିକୁଏନ୍ସ ରିପୋର୍ଟ କରିବାକୁ ଆଇଏଲଏସ ଲକ୍ଷ୍ୟ ରଖିଛି । ଏହି ରୋଗ ବିରୋଧରେ ପ୍ରତିରୋଧକ କ୍ଷମତା ବିଷୟରେ ଜାଣିବା ଲାଗି ଆରଏମଆରସି ଭୁବନେଶ୍ୱର ଏବଂ ଅନ୍ୟ ଗବେଷଣା ସଂସ୍ଥାନ ସହିତ ମିଶି ଆଇଏଲଏସ ପକ୍ଷରୁ ଲକ୍ଷଣଯୁକ୍ତ ଏବଂ ଲକ୍ଷଣ ନଥିବା ରୋଗୀଙ୍କର ପ୍ରତିଷେଧକ ପାରାମିଟର ଉପରେ ଅଧ୍ୟୟନ କରାଯାଉଛି । ଆଇଏଲଏସ ମଧ୍ୟ କରୋନା ବିରୋଧରେ ମୋନୋକ୍ଲୋନାଲ ଓ ପଲିକ୍ଲୋନାଲ ଆଂଟିବଡ଼ି ବିକଶିତ କରିବା ଲାଗି ଲକ୍ଷ୍ୟ ରଖିଛି ଯାହା ଚିକିତ୍ସା ଉଦ୍ଦେଶ୍ୟରେ ଉପଯୋଗ କରାଯାଇପାରିବ । କରୋନା ଭୂତାଣୁର ଔଷଧ ବିକଶିତ କରିବା ଲାଗି ମଞ୍ଜୁରିପ୍ରାପ୍ତ ରାସାୟନିକ ଲାଇବ୍ରେରୀ ଓ ଔଷଧିୟ ଗୁଳ୍ମଗୁଡ଼ିକର ସ୍କ୍ରିନିଂ ମଧ୍ୟ କରାଯାଉଛି । ଆଗାମୀ ଦିନରେ ଆଇଏଲଏସ ନିକଟରେ ଥିବା ଭିତିଭୂମିକୁ ନେଇ କରୋନା ଭୂତାଣୁକୁ ପ୍ରତିହତ କରିବା ଲାଗି ସମ୍ଭାବ୍ୟ ଟିକା ବିକଶିତ କରିବା ଲାଗି ମୂଷାଙ୍କ ଉପରେ ପରୀକ୍ଷଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଉଚ୍ଚପ୍ରତିଦ୍ୱନ୍ଦ୍ୱିତା ସମ୍ପନ୍ନ ଏସବୁ ଗବେଷଣା ମହାମାରୀ ମୁକାବିଲା କ୍ଷେତ୍ରରେ ଆମ ପ୍ରୟାସରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇପାରିବ ବୋଲି ଡ. ପରିଡ଼ା ଆଶାବ୍ୟକ୍ତ କରିଛନ୍ତି ।


