କୋରୋନା କବଳରେ ପାକିସ୍ତାନର ଆଉ ୨୦ ଡାକ୍ତର
ଇସ୍ଲାମାବାଦ: ପାକିସ୍ତାନରେ କୋରୋନା ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ସେଠାରେ ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଅତିକ୍ରମ କରି ସାରିଛି। ଏହାର ସର୍ବାଧିକ ପ୍ରଭାବ ପଞ୍ଜାବ ପ୍ରଦେଶରେ ଦେଖିବାକୁ ମିଳିଛି, କାରଣ ଏଠାରେ ସର୍ବାଧିକ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ପାକିସ୍ତାନର ଆଉ ୨୦ ଡାକ୍ତର କୋରୋନାରେ ସଂକ୍ରମିତ ହୋଇଥିବା ଖବର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ପୂର୍ବରୁ ପ୍ରାୟ ୫୦ ଜଣ ଡାକ୍ତର କୋରୋନାରେ ସଂକ୍ରମିତ ହୋଇଥିବା ଖବର ଆସିଥିଲା। ଇତିମଧ୍ୟରେ ପାକିସ୍ତାନରେ ପାଖାପାଖି ୧୦୦ଜଣ ଡାକ୍ତର କୋରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଛି। ଏତେ ସଂଖ୍ୟକ ଡାକ୍ତର କୋରୋନାରେ ସଂକ୍ରମିତ ହେବା ଫଳରେ ପାକିସ୍ତାନରେ ସ୍ବାସ୍ଥ୍ୟ ସେବା ଭୁଶୁଡ଼ି ପଡ଼ିବା ଆଶଙ୍କା କରାଯାଉଛି। ଏଥିସହ ରବିବାର ଓ ସୋମବାର ପଞ୍ଜାବ ପ୍ରଦେଶରେ ଥିବା ନିଶତାର ହସ୍ପିଟାଲରେ ୬ ଜଣ ନର୍ସ କୋରୋନାରେ ସଂକ୍ରମିତ ହୋଇଥିବା ସୂଚନା ମିଳିଥିଲା। ଏହାକୁ ମିଶାଇ ଏବେ ପାକିସ୍ତାନରେ ପାଖାପାଖି ୧୬୦ ଜଣ ସ୍ବାସ୍ଥ୍ୟକର୍ମୀ କୋରୋନାରେ ପୀଡିତ ହୋଇଥିବା ଜଣାପଡିଛି। ଏପରିସ୍ଥଳେ ସାଧାରଣ ସଂକ୍ରମିତଙ୍କ ଚିକିତ୍ସାକୁ ନେଇ ଚିନ୍ତା ପ୍ରକଟ ହୋଇଛି। ଏହାକୁ ନେଇ ଏବେ ଡାକ୍ତରମାନେ ପ୍ରତିବାଦ କରିବେ ବୋଲି ଶୁଣିବାକୁ ମିଳିଛି।


