କ୍ରାନ୍ତି ଦିବସରେ କୃଷକ ସଂଘର୍ଷ ସମନ୍ୱୟ ସମିତି ଚାଷୀମାନଙ୍କର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ପ୍ରତିବାଦ
ନାଉଗାଁ, (ଓ୍ବାଇଏନ୍ଏସ୍):ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ଭାରତ କୃଷକ ସଂଘର୍ଷ ସମନ୍ୱୟ ସମିତି ଆହ୍ୱାନରେ କୃଷିରେ କର୍ପୋରେଟ ହାଇସ ଅନୁପ୍ରବେଶକୁ ବିରୋଧ କରାଯାଇ ବିରୋଧ ଦିବସ ରୂପେ ପାଳନ କରାଯାଇଛି।ଚାଷୀମାନଙ୍କର ବିଭିନ୍ନ ଦାବିକୁ ସମାଧାନ କରିବା ପାଇଁ ଆହ୍ୱାନ ଦିଆଯିବା ସହିତ ଉକ୍ତ ଦାବି ପୂରଣ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଚୁକ୍ତି ଭିତିକ ଚାଷ, ଠିକା ଚାଷ ଅଧ୍ୟାଦେଶ ୨୦୨୦ ପ୍ରତ୍ୟାହାର କରିବା, କୃଷି ଉତ୍ପାଦନ ବଜାର କମିଟି ଆଇନ ୨୦୨୦ ପ୍ରତ୍ୟାହାର, ଅତ୍ୟାବଶ୍ୟକ ସାମଗ୍ରୀ ୧୯୫୫ର ସଂଶୋଧନ ଅଧ୍ୟାଦେଶ ପ୍ରତ୍ୟାହାର, କୃଷି ଋଣ ଛାଡ କରିବା, ବିନା ସୁଧରେ ଚାଷୀ ଓ ଭାଗ ଚାଷୀଙ୍କୁ ଋଣ ପ୍ରଦାନ , ଗରିବ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ କ୍ରୟ କରିବା ପାଇଁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରିବା ଆଦି ଦାବି ରହିଛି । କ୍ରାନ୍ତି ଦିବସ ଅବସରରେ ଅଲଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଘର ଜିଲ୍ଲା ସଂଗଠକ ସୁବାସ ସ୍ୱାଇଁଙ୍କ ନେତୃତ୍ୱରେ ନାଉଗାଁର କୃଷି ବିଶାରଦ କେଦାର ପ୍ରସାଦ ରାୟ, ନାଉଗାଁ ଶାଖା ସଭାପତି ମହେଶ୍ୱର ଦାସ, ବାଲିକୁଦା ଶାଖା ସଂପାଦକ ଆର୍ତ ଦାସ, କୋଷାଧ୍ୟକ୍ଷ ରଘୁନାଥ ଦାସ, ରଂଜନ କୁମାର ଦାସ, ସୁବ୍ରତ କୁମାର କାଣ୍ଡି ଆଦି ଉପସ୍ଥିତ ରହି ପ୍ରତିବାଦ କରିଥିଲେ ।


