କ୍ଲାସ ବନ୍ଦର ବିକଳ୍ପ ବ୍ୟବସ୍ଥା ହ୍ୱାଟ୍ସଅପ ଦ୍ୱାରା ପାଠ ପଢ଼ା ପ୍ରୟାସ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ): କରୋନା ପାଇଁ ଲକ ଡ଼ାଉନ ଘୋଷଣା ପରେ ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି । ଫଳରେ ପାଠପଢ଼ା ବ୍ୟାହତ ହୋଇଛି । ଏପରି ପରିସ୍ଥିତିରେ ଆଧୁନିକ ଜ୍ଞାନ କୌଶଳର ବ୍ୟବହାର କରି ପିଲାଙ୍କୁ ନିଜ ଘରେ ବସି ଶ୍ରେଣୀର ପାଠପଢ଼ା ପାଇଁ ପ୍ରୟାସ କରାଯାଇଛି । ହ୍ୱାଟ୍ସଅପ ଗ୍ରୁଫରେ ନିର୍ଦ୍ଦିଷ୍ଟ ସମୟରେ ଶିକ୍ଷାବିତ ଉପସ୍ଥିତ ରହି କ୍ଲାସ କରିବେ । ଛାତ୍ରଛାତ୍ରୀଙ୍କୁ ଉକ୍ତ ସମୟରେ ଅନଲାଇନରେ ହ୍ୱାଟ୍ସଅପ ଗ୍ରୁଫରେ ଜଡ଼ିତ ରହିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । କ୍ଲାସରେ ଟାଇମ ଟେବୁଲ ପରି ଭିଡ଼ିଓ ମାଧ୍ୟମରେ ନିର୍ଦ୍ଦିଷ୍ଟ ଶିକ୍ଷାବିତ ଉପସ୍ଥିତ ରହି ଶିକ୍ଷାଦାନ କରିବେ । ଛାତ୍ରଛାତ୍ରୀଙ୍କ ସଂଦେହ ସମାଧାନ , ପ୍ରଶ୍ନ ଓ ଉତ୍ତର ଖାତା ମଧ୍ୟ ଅନ ଲାଇନରେ କରାଯିବ । ହିଂଜିଳିକାଟୁ ବ୍ଳକ ଶାସନଆମ୍ବଗାଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଗତ ସୋମବାର ଠାରୁ ହ୍ୱାଟ୍ସଅପ ଗ୍ରୁଫ ମାଧ୍ୟମରେ ଦଶମ ଓ ଦ୍ୱାଦଶ ଶ୍ରେଣୀ କ୍ଳାସ ଆରମ୍ଭ ହୋଇଛି ବୋଲି ଅଧ୍ୟକ୍ଷ ଅରୁଣ କୁମାର ପଟେଲ କହିଛନ୍ତି । ଜୁମ ନାମକ ଏକ ଆପ ମାଧ୍ୟମରେ ପରେ ପାଠ ପଢ଼ାଯିବାକୁ ନିଷ୍ପତି ହୋଇଛି ବୋଲି ଅଧ୍ୟକ୍ଷ ପଟେଲ କହିଛନ୍ତିି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟ ହିଂଜିଳିକାଟୁ ପକ୍ଷରୁ ୬ଷ୍ଠ ରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ଆସନ୍ତା ସୋମବାର ଠାରୁ ହ୍ୱାଟ୍ସଅପ ଦ୍ୱାରା କ୍ଲାସ କରାଯିବ ବୋଲି ସୁଚନା ମିଳିଛି । ଛାତ୍ରଛାତ୍ରୀଙ୍କୁ ଏହି ସମୟରେ ମୋବାଇଲ କିମ୍ବା ଲାପଟପରେ ଅନଲାଇନରେ ହାଟ୍ସଅପ ଗ୍ରୁଫରେ ଯୋଡ଼ି ରହିବା ପାଇଁ କୁହାଯାଇଛି । ଏଥିପାଇଁ ଟାଇମ ଟେବୁଲ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି । ଫଳରେ କରୋନା ପ୍ରଭାବ ପାଇଁ ଲକ ଡ଼ାଉନରେ ଶ୍ରେଣୀ ବନ୍ଦ ହେତୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ଆଶା ପ୍ରକାଶ ପାଇଛି । ଅନ୍ୟ ପକ୍ଷରେ ଏହି ବ୍ୟବସ୍ଥା ଭଲ ଭାବରେ କାର୍ଯ୍ୟକାରୀ ହେଲେ ଆଗକୁ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର ସହ ଶ୍ରେଣୀର ପାଠପଢ଼ା ଅନଲାଇନରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ମଧ୍ୟ ନେବା ସମ୍ଭାବନା ସୃଷ୍ଟି କରିଛି । ଏପରି ନୂତନ ପାଠପଢ଼ା ବ୍ୟବସ୍ଥା ନେଇ ବହୁ ଛାତ୍ରଛାତ୍ରୀ ଉତ୍ସାହିତ ଥିବା ଜଣା ପଡ଼ିଛି । ଅବିଭାବକ ମହଲରେ ମଧ୍ୟ ଏପରି ଶିକ୍ଷାନୁଷ୍ଠାନର ପ୍ରୟାସକୁ ପ୍ରଶଂସା କରାଯାଇଛି ।