କ୍ଷମତା ସର୍ବସ୍ଵ ରାଜନୀତି

ରାଜନୀତିରେ ଆଦର୍ଶଗତ ପାର୍ଥକ୍ୟ ରହିବା ଏକ ସ୍ଵଭାବିକ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଆଜିର ଦିନରେ ଯେହେତୁ ପ୍ରାୟ ରାଜ ନୈତିକ ଦଳ ମାନଙ୍କରେ ସମସ୍ତ ଆଦର୍ଶକୁ ଜଳାଞ୍ଜଳି ଦେଇ କେବଳ କ୍ଷମତା ଉପଭୋଗକୁ ରାଜନୀତିର ମୁଖ୍ୟ ଆଧାର କରି ନେଇଛନ୍ତି ସେଇଠି କ୍ଷମତା ପାଇଁ କେବଳ ହିଂସା କାହିଁକି ଯେକୌଣସି ସ୍ତରକୁ ଯିବା ପାଇଁ ମଧ୍ୟ ଏମାନେ ପ୍ରସ୍ତୁତ ହୋଇଥାନ୍ତି। ଯେଉଁ ଦଳ ଯେତେବେଳେ କ୍ଷମତାସୀନ ହୁଏ,ସେ ନିଜ ଦଳର ରାଜନୈତିକ ଆଦର୍ଶକୁ କାର୍ଯ୍ୟକାରୀ କରିଥାଏ। ଆମ ଦେଶରେ ବୁର୍ଜୁଆ ରାଜ- ନୈତିକ ଆଦର୍ଶ, ସାମ୍ପ୍ରଦାୟିକ ରାଜନୈତିକ ଆଦର୍ଶ ଓ ସମାଜବାଦୀ ରାଜନୈତିକ ଆଦର୍ଶକୁ ନେଇ ଗଠିତ ରାଜନୈତିକ ଦଳମାନଙ୍କ ଉତ୍ପତି ଓ ପ୍ରଭାବ ଦେଖିବାକୁ ମିଳୁଥିଲେ ମଧ୍ୟ ଦୀର୍ଘବର୍ଷ ଅର୍ଥାତ ପ୍ରାୟ ପାଞ୍ଚଦଶନ୍ଧିରୁ ଉର୍ଦ୍ଧ ସମୟଧରି ବୁର୍ଜୁଆ ରାଜନୈତିକ ଆଦର୍ଶ ରେ ପରିଚାଳିତ କଂଗ୍ରେସ ଦଳ ଓ ପ୍ରାୟ ଦୁଇ ଦଶନ୍ଧି ସମୟ ଧରି ସାମ୍ପ୍ରଦାୟିକ ରାଜନୈତିକ ଆଦର୍ଶରେ ବିଶ୍ଵାସ ରଖୁଥିବା ଭାରତୀୟ ଜନତା ଦଳ (ମେଣ୍ଟ ସରକାରର ସମୟ ସହିତ) କ୍ଷମତାସୀନ ହୋଇଛନ୍ତି। ସମାଜବାଦୀ ରାଜନୈତିକ ଆଦର୍ଶକୁ ନେଇ ଗଠିତ ରାଜନୈତିକ ଦଳ ରୂପେ କମ୍ୟୁନିଷ୍ଟ ମାନେ କେବେବି ଏକାକୀଭାବେ କ୍ଷମତାସୀନ ହୋଇନଥିଲେ ମଧ୍ୟ ଥରେ ମାତ୍ର ମିଳିତ ସରକାର ରେ ଅଂଶୀଦାର ହୋଇଛନ୍ତି। ସେହିଭଳି ଯେଉଁଯେଉଁ ରାଜ୍ୟରେ ପ୍ରାଦେଶିକ ସ୍ତରରେ ଆଞ୍ଚଳିକ ଦଳମାନ ଗଠନ ହୋଇଛନ୍ତି ସେସବୁ ପ୍ରାୟ ବୁର୍ଜୁଆ ରାଜନୈତିକ ଆଦର୍ଶରେ ହିଁ ପରିଚାଳିତ ହୋଇ ଆସୁଥିବା ଦେଖା ଯାଇଛି। ଆଞ୍ଚଳିକ ଦଳ ମାନଙ୍କ ଉତ୍ପତି କଦାପି ଆମ ଦେଶର ଜାତୀୟତା ପାଇଁ ଶୁଭଙ୍କର ହୋଇନଥିଲେ ମଧ୍ୟ ଅନେକ ରାଜ୍ୟରେ ଅନେକ ବର୍ଷ ଧରି ସେମାନଙ୍କ କର୍ତୁତ୍ଵ ରହି ଆସିଛି, ସେମାନେ ସର୍ବଦା ନିଜ ରାଜ୍ୟର ସ୍ଵାର୍ଥ ପ୍ରତି ସମର୍ପିତ ଥିବାରୁ ଆମ ଦେଶର ଜାତୀୟ ନୀତି ଓ ବୈଦେଶିକ ନୀତି ଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତିରେ ଅଂଶୀଦାର ହେବା ପରିବର୍ତ୍ତେ ନିଜ ସ୍ଵାର୍ଥ ପାଇଁ କ୍ଷମତାସୀନ ଜାତୀୟଦଳ ସହିତ ସାଲିସ କରି ଚାଲିଥାନ୍ତି, ଯାହାରକି ଫାଇଦା ସେମାନେ ପ୍ରଚୁର ମାତ୍ରାରେ ହାସଲ କରିଥାନ୍ତି।
ସମୟ କ୍ରମେ ପ୍ରାୟ ସବୁ ରାଜନୈତିକ ଦଳରେ କ୍ଷମତା ମୋହ ଏତେ ପରିମାଣରେ ବୃଦ୍ଧି ପାଇବାରେ ଲାଗିଛି ଯେ ସେମାନେ କ୍ଷମତା ପାଇଁ ନିଜର ସମସ୍ତ ରାଜନୈତିକ ଆଦର୍ଶକୁ ଭୁଲିଯାଇ ସାଲିସ କରି ଚାଲିଥାନ୍ତି। ତାତ୍ପର୍ଜ୍ୟ ଓ ପରିତାପର ବିଷୟ ଏହିକି ଅନ୍ୟ ରାଜନୈତିକ ଦଳରେ ରହି ଗଳଦଘର୍ମ ହୋଇ କଣ୍ଠ ଫଟାଇ ସାମ୍ପ୍ରଦାୟିକତା ବାଦ ବିରୁଦ୍ଧରେ ଭାଷଣ ଦେଉଥିବା ବ୍ୟକ୍ତିଟି ପରଦିନ ଯାଇ ସେହି ସାମ୍ପ୍ରଦାୟିକତା ବାଦୀ ରାଜନୈତିକ ଦଳରେ ଯୋଗ ଦେଉଥିବା ବେଳେ ବିରୋଧୀ ଦଳକୁ କଟୁ ସମାଲୋଚନା କରି ଆସୁଥିବା ଶାସକଦଳ ସେହି ବିରୋଧୀ ଦଳରୁ ଲୋକଙ୍କୁ ଆଣି ନିଜ ଦଳର ୱାସିଙ୍ଗ ମେସିନରେ ପୁରାଇ ପବିତ୍ର କରାଇ ନେଇଥାନ୍ତି। ଆଠ ଥରର ସାଂସଦ, କେନ୍ଦ୍ର ମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ, ବିରୋଧୀ ଦଳର ନେତା ଓ ଛାମୁଆ ନେତାମାନେ ଯେଉଁଭଳି ସମସ୍ତ ଲାଜ ଲଜ୍ୟାକୁ ପରିତ୍ୟାଗ କରି କେବଳ କ୍ଷମତାକୁ ଉପଭୋଗ କରିବା ଆଶାରେ ଦଳବଦଳ କରି ଶାସକ ଦଳରେ ଯୋଗ ଦେବାରେ ଲାଗିଛନ୍ତି ଫଳତଃ ଲୋକଙ୍କ ବିଶ୍ୱାସରେ ବିଷ ଦେଇ ରାଜନୀତିକୁ କଳୁଷିତ କରିବା ସଦୃଶ୍ୟ ହେଉଛି (କାହାର ନାମ ପ୍ରକାଶ ବିନା ଜ୍ଞାନୀ, ଗୁଣୀ, ସୁଧୀ ପାଠକମାନେ ଏହାକୁ ହୃଦୟଙ୍ଗମ କରି ପାରିବାର ଆଶା ରଖୁଛି) ଥରେ ସଦ୍ୟ ଦଳବଦଳ କରିଥିବା ଜଣେ ବନ୍ଧୁ ଙ୍କ ସହିତ ସାକ୍ଷାତ ଛଳରେ ଏକଥା ପଚାରିବାରେ କ୍ଷମତାବିନା ଲୋକଙ୍କ ସେବା କରିବା ଅସମ୍ଭବ ବୋଲି ଉତ୍ତର ଦେଇଥିଲେ।
ସତେ ଯେମିତି ଏହିମାନେ କ୍ଷମତାସୀନ ଦଳରେ ଯୋଗଦେଇ ଅନ୍ୟାୟ, ଅନୀତି, ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ବନ୍ଦ କରିଦେଇ ରାମରାଜ୍ୟ ଆଡକୁ ଦେଶକୁ ନେଉଛନ୍ତି ନା ଖୋଲୁଥିବା ତୁଣ୍ଡରେ ପଟି ବାନ୍ଧିଦେଇ ପଞ୍ଜୁରି ଭିତରେ ସାରୀ ଭଳି କର୍ମଆଦରି ପଡି ରହୁଛନ୍ତି? ଶାସକ ଓ ପ୍ରଶାସକର ଯୋଉ ସମ୍ପର୍କ ତାର ଚରିତ୍ରକୁ ବଦଳେଇ କେବଳ କ୍ଷମତା ପାଇଁ ଶାସକ ଆଜି ପ୍ରଶାସକ ପାଖରେ ମଥାନତ ହୋଇ ପଡି ରହିଛନ୍ତି ତାହା ବିରାଡି ଆଖି ବୁଜି ବୁଜି କ୍ଷୀରପିଇବା ସଦୃଶ୍ୟ ସର୍ବତ୍ର ଦୃଶ୍ୟମାନ ହେଉଛି। ଶାସକ ଦଳରେ ରହି ସରକାର ବା ପ୍ରଶାସନର ନୀତି ଅନୀତି ବିରୁଦ୍ଧରେ କଥା କହିବାର ଅଧିକାର ହରେଈ ବସିଥିବା ନେତା ଜଣକ ଅନ୍ତତଃ ବିରୋଧୀ ଦଳରେ ରହିଥିଲେ ଲୋକଙ୍କ ସୁଖ ଦୁଖରେ ଭାଗନେଇ, ସ୍ଵର ଉତ୍ତୋଳନ କରି ସରକାରକୁ ଠିକବାଟରେ ପରିଚାଳନା କରି ବାରେ ସହାୟକ ହୋଇପାରିଥାନ୍ତା। ଏହିଭଳି ରାଜନୀତିରେ ବ୍ୟତିକ୍ରମ ଦେଖି ଦେଶର ଜନତା ମଧ୍ୟ ନିଜର ନାଗରିକ ସମ୍ମାନ ଓ ଅଧିକାରକୁ ଭୁଲିଯାଇ କେବଳ ଜଣେ ଭୋଟର ରୂପେ ନିଜକୁ ସମର୍ପି ଦେଇ ଯେତେବେଳେ ଯୋଉଦଳ କ୍ଷମତାସୀନ ହେଉଛି ତାର ଜୟଜୟକାର କରିଚାଲିଛନ୍ତି। ଅଧିକ ଅବହେଳିତ ହୋଇଆସୁଥିବା ତଥାକଥିତ ମଧ୍ୟବିତ୍ତ ଶ୍ରେଣୀର ଲୋକେ ନା ଭୋଟ ଦେଉଛନ୍ତି ନା ସରକାର ବିରୁଦ୍ଧରେ ସ୍ଵର ଉତ୍ତୋଳନ କରୁଛନ୍ତି, କେବଳ ବୃଥା ଅଭିମାନ ଦେଖେଇ ନୀରବ ରହୁଛନ୍ତି। ଏଣୁ ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ଅନୁମାନ କଲେ ଯାହା ଜଣାଯାଏ ତାହା କେବଳ ଅରକ୍ଷୀତକୁ ଦଇବସାହା ସଦୃଶ୍ୟ ମନେହୁଏ। ପାଠକ ଶ୍ରେଷ୍ଠ ବିଚାରକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ