ଖଣିରେ କାର୍ଯ୍ୟ କରିବାକୁ ନେଇ ଆକ୍ରମଣ , ଜଣେ ଆହତ, ଥାନାରେ ମାମଲା

ହାଟଡ଼ିହି, (ବିକାଶ ବିଶ୍ୱାଳ):ବାଙ୍ଗୋର ଓଏମସି ଖଣିରେ କାର୍ଯ୍ୟ କରିବାକୁ ନେଇ ବିବାଦ ଦେଖା ଦେଇଥିବାବେଳେ ଆଜି ଅପରାହ୍ନରେ ବିଦ୍ୟାଧରପୁର ବଜାରରେ ଏନେଇ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ ହୋଇଛି । ଆକ୍ରମଣରେ ଅକ୍ଷୟ ପାତ୍ର ନାମକ ଜଣେ ବ୍ୟକ୍ତି ଆହତ ହୋଇଥିବା ବେଳେ ସୋସୋ ଥାନାରେ ଏନେଇ ଉଭୟ ପଟରୁ ତିନି ତିନଟି ଅଭିଯୋଗ ହୋଇଛି । ଅକ୍ଷୟଙ୍କ ଅଭିଯୋଗ ଅନୁଯାଇ ସେ ଆଜି ଦିନ ୨ଟାବେଳେ ବିଦ୍ୟାଧରପୁର ବଜାରରେ ଠିଆ ହୋଇଥିବାବେଳେ ବାଙ୍ଗୋର କରଡାପାଳ ଗ୍ରାମର ରବିନ୍ଦ୍ର ସାହୁ ଓ ତାଙ୍କ ପୁଅ ମାନଙ୍କ ସମେତ ୨୦ରୁ ୨୫ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ତାକୁ ଅତର୍କିତ ଆକ୍ରମଣ କରିଥିଲେ । ତାଙ୍କ ମୁଣ୍ଡ, ପିଠି ସମେତ ଅନେକ ସ୍ଥାନରେ କ୍ଷତ ହେବାସହ ସେ ରକ୍ତ ଯୁଡୁବୁଡୁ ଅବସ୍ଥାରେ ନୀଜ ଜୀବନ ବଞ୍ଚାଇବାକୁ ଦୌଡି ଯାଇ ଜିଲ୍ଲାପରିଷଦ ଉପାଧ୍ୟକ୍ଷଙ୍କ ଘରେ ପସିଯାଇ ରକ୍ଷାକର ରକ୍ଷାକର ବୋଲି ଡାକ ପକାଇବାରୁ ସୋମନାଥଙ୍କ ପତ୍ନୀ ଦଉଡି ଆସି ତାଙ୍କୁ ଘରେ ପୁରାଇ ଗେଟ ଦେଇ ଦେଇଥିଲେ । ଏପରିକି ନିଜେ ଜିଲ୍ଲାପରିଷଦ ସୋମନାଥ ଦାସ ମଧ୍ୟ ବାହାରକୁ ଆସି ଆକ୍ରମଣକାରୀ ମାନଙ୍କୁ ବୁଝାସୁଝା କରି ଫେରାଇଦେବା ପରେ ଏ ନେଇ ପୁଲିସକୁ ସୁଚନା ଦେଇଥିଲେ । ପୁଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଆହତ ଅକ୍ଷୟଙ୍କୁ ଉଦ୍ଧାର କରି ଆଗରପଡା ଡାକ୍ତରଖାନା ନେଇ ଚିକିତ୍ସା କରାଇଥିବା ସେ କହିଛନ୍ତି । ସେ ଜଣେ ପମ୍ପ ଡ୍ରାଇଭର ଭାବେ ଓଏମସି ଖଣିରେ କାମ କରୁଥିବାବେଳେ ରାଜନୈତିକ ଆକ୍ରୋଶ ରଖି ତାଙ୍କୁ କମ୍ପାନୀର ଠିକାସଂସ୍ଥାର ଅଧିକାରୀ ମାନେ ଶ୍ରମିକ ଭାବେ ଖଟାଉଥିଲେ । ଏହାକୁ ସେ ବିରୋଧ କରି ଗତକାଲି କାମ ଅଧାରୁ ପାଟିତୁଣ୍ଡ କରି ପଳାଇ ଆସିଥିଲେ । ଏପରିକି କମ୍ପାନୀର ଜଣେ ଅଧିକାରୀ ଗତକାଲି ଆସି ଜିଲ୍ଲାପରିଷଦଙ୍କ ଉପସ୍ଥିତିରେ ଏହାର ସମାଧାନ ମଧ୍ୟ କରିଥିେଲେ ବୋଲି ଜିଲ୍ଲା ପରିଷଦ ସଦସ୍ୟ ସୋମନାଥ ଦାସ କହିଛନ୍ତି । ଏହି ଖଣି କାମକୁ ନେଇ ତାଙ୍କ ସ୍ୱାମୀଙ୍କ ଉପରେ ଆକ୍ରମଣ କରାଯାଇଥିବା ତାଙ୍କ ପତ୍ନୀ କହିଛନ୍ତି । ଏନେଇ ଅକ୍ଷୟ ପାତ୍ର ସୋସୋ ଥାନାରେ ରବିନ୍ଦ୍ରଙ୍କ ସମେତ ୫ଜଣଙ୍କ ନାମରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷେରେ ରବିନ୍ଦ୍ର ସାହୁଙ୍କ କହିବାନୁଯାଇ ତାଙ୍କ ପୁଅ ବଜାରକୁ ଗାଡିର ମୋବିଲ ପରିବର୍ତ୍ତନ କରିବାକୁ ଯାଇଥିବାବେଳେ ଠାକୁରପାଟଣା ଗ୍ରାମର ଅକ୍ଷୟ ପାତ୍ର ଏକ ଖଣ୍ଡା ଧରି ତୁ ଯାଇପାରିବୁନି, ତୋ ବାପକୁ ଡାକ, ତାକୁ ନଡାକିଲେ ତୋତେ ମର୍ଡର କରିବି ବୋଲି ଧମକ ଦେଇଥିଲା । ଅନେକ ସମୟ ଧରି ଧମକ ଚମକ ଦେବା ସହ ଗାଳିଗୁଲଜ କରିବାରୁ ପୁଅ ପାଖରୁ ଫୋନ ପାଇ ଆମେ ଯିବାରୁ ସେ ଆମକୁ ମଧ୍ୟ ଗାଳିଗୁଲଜ କରିଥିଲା ବୋଲି ରବିନ୍ଦ୍ର ଅଭିଯୋଗ କରିଛନ୍ତି । ରବିନ୍ଦ୍ର ଏନେଇ ସୋସୋ ଥାନାରେ ଅଭିଯୋଗ କରିଥିବାବେଳେ ବାଙ୍ଗୋର ଗ୍ରାମର ବାବୁଲା ପାତ୍ର ମଧ୍ୟ ଅକ୍ଷୟଙ୍କ ବିରୁଦ୍ଧରେ ତାଙ୍କୁ ଜାତିଆଣ ଆକ୍ଷେପ କରି ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି । ପୁଲିସ ଉଭୟ ପକ୍ଷଙ୍କ ଅଭିଯୋଗ ପାଇବାପରେ ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ