ଖଣି ଅଧିକାରୀଙ୍କୁ ଆକ୍ରମଣ କରି ବାଲି ଚୋରମାନେ ଜବରଦସ୍ତ ଗାଡି ନେଇ ଗଲେ, କାଶୀନଗର ଥାନାରେ ଏତଲା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ବାଲି ଚୋରା ଚାଲାଣକୁ ରୋକିବା ସହ ବାଲି ବୋଝେଇ ଚାଲାଣ ହେଉଥିବା ଗାଡିକୁ ଜବତ କରିବା ଯୋଗୁଁ ଖଣି ଅଧୂକାରୀଙ୍କୁ ଆକ୍ରମଣ କରାଯାଇଥିବା ସୂଚନା ମିଳିଛି. ଚୋରା ବାଲି ବେପାରୀଙ୍କ ଆକ୍ରମଣରେ ଲହୁ ଲୁହାଣ ହୋଇଛନ୍ତି ଗଜପତି ଜିଲା ଖଣି ଅଧିକାରୀ ଦିପେନ ପରିଡା । ଅଧିକାରୀଙ୍କୁ ଆକ୍ରମଣ କରିବା ପରେ ବାଲି ବୋଝେଇ ଗାଡିକୁ ଆକ୍ରମଣକାରୀମାନେ ଜବରଦସ୍ତ ନେଇ ଯାଇଥିଲେ. ସେ ଏନେଇ କାଶୀନଗର ଥାନାରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା କାଶୀନଗର ଥାନା ଅଧୂକାରୀ ଦାୟିତ୍ଵରେ ଥିବା ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ ଭୂପତି ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ଦେଇଛନ୍ତିଯେ, ଘଟଣା ନେଇ ଲିଖିତ ଅଭିଯୋଗ ହୋଇଛି. ଏହାକୁ ଭିତ୍ତି କରି ଅନୁଧ୍ୟାନ ତଦନ୍ତ ଆରମ୍ଭ ହୋଇଛି. ଅତିଶୀଘ୍ର ଏଥିରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତୁରନ୍ତ ଗିରଫ କରାଯିବ. ଏଠାରେ ଉଲ୍ଲେଖଯୋଗ୍ୟଯେ, ପୂର୍ବତନ ସଚିବ ଭି.କେ ପାଣ୍ଡିଆନ ଲୋକଙ୍କ ଅଭିଯୋଗ ଶୁଣିବାକୁ ଗଜପତି ଜିଲା ଗସ୍ତ କରିବା ସମୟରେ କାଶୀନଗର ବ୍ଲକ ଓ ଅଲଡାର କିଛି ଲୋକେ ସେମାନଙ୍କ ଖର୍ଚ୍ଚ କାମ ପାଇଁ ପାଣ୍ଠି ଯୋଗାଇ ଦେବାକୁ ଅନୁରୋଧ କରିଥିଲେ । ଏହି ଅନୁରୋଧ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୪ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଥିଲେ । ଏହି ଟଙ୍କାରେ ଆରମ୍ଭ ହୋଇଥିବା ଚର୍ଜ କାମ ପାଇଁ ଆବଶ୍ୟକୀୟ ବାଲିକୁ ବଂଶଧାର ନଦୀରୁ ସଂଗ୍ରହ କରି ଆଣୁଥିବା ବେଳେ ଖବର ପାଇଥିଲେ ଖଣି ଅଧିକାରୀ ଶ୍ରୀ ପରିଡା । ସେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବେଆଇନ ବାଲି ବୋଝେଇ ଗାଡିକୁ ଅଟକାଇଥିଲେ । ଏହାର ପ୍ରତିବାଦ କରି ବାଲି ସଂଗ୍ରହକାରୀ ଖଣି ଅଧିକାରୀଙ୍କୁ ଘେରି ଯାଇଥିଲେ । ବେଆଇନ ବାଲି ଗାଡିକୁ ନଛାଡି ଜରିମାନା ଆଦାୟ ସହ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଖଣି ଅଧିକାରୀ ଜିଦ୍ ଧରିଥିଲେ । ତେଣୁ ସେଠାରେ ଏକାଠି ହୋଇ ରହିଥିବା ଲୋକେ ତାଙ୍କୁ ଆକ୍ରମଣ କରିବା ସହ ବାଲି ଗାଡିକୁ ସେଠାରୁ ନେଇ ପଳାଇଥିଲେ । ଏହାପରେ ଖଣି ଅଧିକାରୀ ଶ୍ରୀ ପରିଡା କାଶୀନଗର ଥାନାରେ ପହଞ୍ଚି ଘଟଣା ସମ୍ପର୍କରେ ଅଭିଯୋଗ କରିବା ପରେ ପୋଲିସ୍ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି.


