ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଖବରକାଗଜ ହକରମାନଙ୍କ ପାଇଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରାଯାଇଛି । ଆଜି ଗୁରୁବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଠାରେ ଭରଚୁଆଲ ମୋଡରେ ସମଗ୍ର ରାଜ୍ୟରେ ଏହି ଯୋଜନାର ଶୁଭାରମ୍ଭ କରିବା ପରିପ୍ରେକ୍ଷୀରେ ଗଜପତି ଜିଲ୍ଲାରେ ମଧ୍ୟ ଏହା ଅନୁଷ୍ଠିତ ହୋଇଯାଇଛି । ପଞ୍ଜିକୃତ ଖବରକାଗଜ ହକରମାନଙ୍କ ପାଇଁ ମୋଟ ୬ ହଜାର ଟଙ୍କା ଲେଖାଏଁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରାଯାଉଥିବାର ଜଣାପଡିଛି । ଗଜପତି ଜିଲ୍ଲାରେ ମୋଟ ୮୪ହକର ଆବେଦନ କରିଥିବା ବେଳେ ଆଜି ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ମୋଟ ୨୩ଜଣ ହକରଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଛି । ଅବଶିଷ୍ଟ ହକରଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଉକ୍ତ ରାଶି ପ୍ରଦାନ କରାଯିବ ବୋଲି ଜଣାପଡିଛି । ଏନେଇ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଭିଡିଓ କନ୍ଫେରେନ୍ସିଂ ହଲ ଠାରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଏହି ସହାୟାତା ରାଶି ପ୍ରଦାନ ସହ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସ୍ୱରାଜ ଶିଶା ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ । ୨୩ଜଣ ହକରଙ୍କୁ ସହାୟତା ରାଶି ସେମାନଙ୍କ ନିଜସ୍ୱ ଆକାଉଣ୍ଟକୁ ପ୍ରଦାନ କରାଯାଇଥିବା ବେଳେ ପରିଚୟପତ୍ର ଜିଲ୍ଲାପାଳ ଶ୍ରୀପଣ୍ଡା ପ୍ରଦାନ କରିଥିଲେ । ଉକ୍ତ ସହାୟତା ରାଶି ପାଇଥିବା ସମସ୍ତ ହକରମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ମହତ୍ୱ ଉଦ୍ଦେଶ୍ୟକୁ କୃତଜ୍ଞତା ଜଣାଇଥିବା ବେଳେ ଜିଲ୍ଲାପାଳ ତଥା ଜିଲ୍ଲାପ୍ରଶାନକୁ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ପ୍ରଥମ କରି ଏପରି ଏକ ମହତ୍ୱ ଯୋଜନାର ପରିକଳ୍ପନା କରାଯାଇ ହକରମାନଙ୍କୁ ସହାୟତା ପ୍ରଦାନ କରାଯାଇଛି ।