ଖବର ପ୍ରକାଶ ପାଇବାପରେ ହିତାଧିକାରୀଙ୍କୁ ମିଳିଲା ଭତ୍ତା
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତରେ ଦୁଇମାସ ହେଲା ଭତ୍ତା ପାଉନଥିବା ନେଇ ଲୋକମାନେ କାର୍ଯ୍ୟାଳୟ ଘେରାଉ କରିବା ଖବର ଆଜି ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ପିଇଓଙ୍କ ଚେତା ପସିଛି । ଆଜି ତରବର ହୋଇ କିଛି ଭଦ୍ରବ୍ୟକ୍ତିଙ୍କ ସହଯୋଗରେ କାର୍ଯ୍ୟାଳୟକୁ ମାସେ, ଦୁଇମାସ ହେଲା ଭତ୍ତା ପାଇନଥିବା ହିତାଧିକାରୀଙ୍କୁ କାର୍ଯ୍ୟାଳୟକୁ ଡାକି ଭତ୍ତା ବଣ୍ଟନ କରିଛନ୍ତି ପିଇଓ ଅମୀୟ ମାଝୀ । ଗରିବ ବୃଦ୍ଧବୃଦ୍ଧା ମାନଙ୍କ ଭତ୍ତା ପାଇଁ ସରକାର ୧୪ତାରିଖ ଭିତରେ ଟଙ୍କା ଯୋଗାଇ ଦେଉଥିବାବେଳେ ୧୫ତାରିଖ ଦିନ ଭତ୍ତା ହିତାଧିକାରୀଙ୍କୁ ଟଙ୍କା ବଣ୍ଟନ କରିବାକୁ ନିଦେ୍ର୍ଦଶ ଅଛି । କିନ୍ତୁ ବାଲିବରେଇ ପଞ୍ଚାୟତରେ ଏହା ଠିକ ଭାବେ କାର୍ଯ୍ୟକାରୀ କରାଯାଉନି । ଏହି ପିଇଓ ଜଣକ ଫେବୃୟାରୀ ୧୮ତାରିଖରେ ଭତ୍ତା ଟଙ୍କା ଉଠାଇ ଗୋଟିଏ ଦିନ କିଛି ଲୋକଙ୍କୁ ଟଙ୍କା ବାଣ୍ଟବା ପରେ କେଉଁଆଡେ ପଳାଇଥିଲେ ଯେ ଗରିବ ହିତାଧିକାରୀ ମାନେ ଭତ୍ତା ନପାଇ ନାନା ଦୁଖଃକଷ୍ଟରେ କାଳାତିପାତ କରୁଥିଲେ । ଯାହାକୁନେଇ ଗତକାଲି ଶତାଧିକ ହିତାଧିକାରୀ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ସଂପୃକ୍ତ ପିଇଓଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାପରେ ଆଜି ପିଇଓ ହିତାଧିକାରୀ ମାନଙ୍କୁ ଭତ୍ତା ବଣ୍ଟନ କରିଥିବାରୁ ପଞ୍ଚାୟତବାସୀ ଗଣମାଧ୍ୟମକୁ ସାଧୁବାଦ ଜଣାଇଛନ୍ତି ।