ଖବର ସଂଗ୍ରହଣ ବେଳେ ସାବଧାନତା ଅବଲମ୍ବନ କରିବା ପାଇଁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜିଲ୍ଲାପାଳଙ୍କ ପରାମର୍ଶ
ଛତ୍ରପୁର,(ଓ୍ବାଇଏନ୍ଏସ୍):ହଟସ୍ପଟ୍ ଅଞ୍ଚଳରୁ ହଜାର ହଜାର ଓଡିଆ ପ୍ରବାସୀଙ୍କ ଫେରନ୍ତା ହେତୁ ଗଂଜାମ ଜିଲ୍ଲା ରେଡ୍ ଜୋନ୍ରେ ପହଞ୍ଚିଛି । ଏପରିକି କରୋନା ପଜିଟିଭି ପାଇଁ ଗଂଜାମ ରାଜ୍ୟର ଶୀର୍ଷସ୍ଥାନରେ ରହିଛି । ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ଲାଗିଥିବା ବେଳେ ଜିଲ୍ଲାକୁ ବାହାର ରାଜ୍ୟରୁ ଫେରନ୍ତା ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଗଣମାଧ୍ୟମ ପ୍ରତିନିଧିମାନେ ସଂପୃକ୍ତ ବିଷୟରେ ଖବର ସଂଗ୍ରହ ବେଳେ ସାମାଜିକ ଦୂରତ୍ୱା ଅବଲମ୍ବନ କରୁ ନଥିବା ନେଇ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏକ ଜରୁରୀ ପରାମର୍ଶ ଜାରି କରିଛନ୍ତି । କେତେକ ଗଣମାଧ୍ୟମ ପ୍ରତିନିଧି ପ୍ରବାସୀ ଫେରନ୍ତା ସମ୍ବନ୍ଧୀୟ ଖବର ସଂଗ୍ରହ କରିବା ବେଳେ ସାମାଜିକ ଦୂରତ୍ୱା ଅବଲମ୍ବନ କରୁନଥିବା ସେ ନିଜେ ଦେଖିଥିବା ଜିଲ୍ଲାପାଳ କହିଛନ୍ତି । ଏଥିଲାଗି ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ଏକ ସୂଚନାନାମା ଜାରି ହୋଇଛି । ଏଥିରେ ଜିଲ୍ଲାପାଳ କହିଛନ୍ତି, ବହୁ ସଂଖ୍ୟାରେ ପ୍ରବାସୀ ଦେଶର ବିଭିନ୍ନ ରାଜ୍ୟରେ ଅଛନ୍ତି । ଟ୍ରେନ୍,ବସ୍ କିମ୍ବା ଅନ୍ୟାନ୍ୟ ଉପାୟରେ ଜିଲ୍ଲାକୁ ଫେରିବାରେ ଲାଗିଛନ୍ତି । ସେମାନେ ହଟସ୍ପଟ ଅଞ୍ଚଳରୁ ଆସୁଛନ୍ତି । ଏଣୁ ସମସ୍ତ ଗଣମାଧ୍ୟମ ପ୍ରତିନିଧି ନିଜେ ସାବଧାନତା ଓ ପ୍ରତିଷେଧମୂଳକ ଅବଲମ୍ବନ କରିବା ସହ ମାସ୍କ ପିନ୍ଧିବା, ସାନିଟାଇଜର, ଗ୍ଲୋବସ୍ ଓ ମୁଣ୍ଡଗଳା ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ଜିଲ୍ଲାପାଳ ଉକ୍ତ ସୂଚାଇ ଦେଇଛନ୍ତି । ସଙ୍ଗରୋଧ କେନ୍ଦ୍ରକୁ ଯିବା ଏବଂ ଅନ୍ୟ ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କ ମତାମତ ସଂଗ୍ରହରୁ ନିବୃତ୍ତ ରହିବାକୁ ଜିଲ୍ଲାପାଳ କହିଛନ୍ତି । ଏପରିକି କୌଣସି କୋଭିଡ୍ ହସ୍ପିଟାଲକୁ ଯାଆନ୍ତୁ ନାହିଁ । କୌଣସି ଭୟଭୀତ ଓ ଆତଙ୍କକୁ ପ୍ରତ୍ୟାଖାନ କରିବାରେ ଗଣମାଧ୍ୟମର ବହୁଳ ଭାବରେ ଦାୟିତ୍ୱ ରହିଛି । ମହାମାରୀ କରୋନା ଠାରୁ ନିଜେ ଓ ନିଜ ପରିବାର ଏବଂ ସମାଜକୁ ମଧ୍ୟ ସୁରକ୍ଷା ରଖିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।