ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ମର୍ଦ୍ଦରାଜ ମହୋତ୍ସବ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଖଲ୍ଲିକୋଟ ରାଜବଂଶର ଅବଦାନ ଓଡ଼ିଆ ଜାତିକୁ କେବଳ ସଂଗଠିତ କରି ନ ଥିଲା, ବରଂ ପ୍ରତ୍ୟେକ ଓଡ଼ିଆଙ୍କ ହୃଦୟରେ ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ଵୀଜ ବପନ କରି ଦେଇଥିଲା l ଖଲ୍ଲିକୋଟ ରାଜା ହରିହର ମର୍ଦ୍ଦରାଜ ଦ୍ୱାରା ନିର୍ମିତ ଭିତ୍ତିଭୂମି ଉପରେ ତାଙ୍କ ସୁପୁତ୍ର ରାମଚନ୍ଦ୍ର ମର୍ଦ୍ଦରାଜ ଓଡ଼ିଆ ଜାତିର ବିଶାଳ କୋଣାର୍କ ନିର୍ମାଣ କରି କୀର୍ତ୍ତିମାନ୍ ସ୍ଥାପନ କରି ଯାଇଛନ୍ତି l ପ୍ରକୃତରେ ସେ ଥିଲେ ଆଧୁନିକ ଓଡ଼ିଶା ଗଠନର ସୁଦକ୍ଷ ସ୍ଥପତି ଓ ଜଣେ ଜାତୀୟବାଦୀ ରାଜଯୋଗୀ ବୋଲି ଓଡ଼ିଶାର ପ୍ରାକ୍ତନ ମୁଖ୍ୟ ସୂଚନା ଆଯୁକ୍ତ ସୁନୀଲ କୁମାର ମିଶ୍ର ମତବ୍ୟକ୍ତ କରିଛନ୍ତି lଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ଶହେ ଚବିଶତମ ଜୟନ୍ତୀ ଅବସରରେ ଆୟୋଜିତ ମର୍ଦ୍ଦରାଜ ମହୋତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ ଶ୍ରୀ ମିଶ୍ର ଓଡ଼ିଶା ପ୍ରଦେଶ ଗଠନର ପ୍ରେକ୍ଷାପଟ ଓ ଖଲ୍ଲିକୋଟ ମର୍ଦ୍ଦରାଜ ବଂଶର ଅବଦାନ ସଂପର୍କରେ ତଥ୍ୟପୂର୍ଣ୍ଣ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ସାକେତ ରାମା ରାଓଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ମହୋତ୍ସବରେ ରାଜ୍ୟ ଯୋଜନା ଆୟୋଗ ସଦସ୍ୟ, ବ୍ରହ୍ମପୁରର ପ୍ରାକ୍ତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଖଲ୍ଲିକୋଟ ବିଧାୟିକା ଶ୍ରୀମତୀ ସୂର୍ଯ୍ୟମଣି ବୈଦ୍ୟ ଓ ରାଜ୍ୟ କାଜୁ ଉନ୍ନୟନ ନିଗମ ଅଧ୍ୟକ୍ଷ ସୁବାସ ମହାରଣା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଓଡ଼ିଶାର ଅସ୍ମିତା ନିର୍ମାଣରେ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଭୂମିକା ପ୍ରସଙ୍ଗ ଉଲ୍ଲେଖ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ସ୍ଥାନୀୟ ଟାଟାବେଞ୍ଜ ଛକ ସ୍ଥିତ କେ.ସି. ପବ୍ଲିକ୍ ସ୍କୁଲ୍ ପରିସରସ୍ଥ ମୁକ୍ତମଞ୍ଚରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଏହି ଉତ୍ସବରେ ତାମିଲନାଡୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ମୁଖ୍ୟ ପ୍ରଫେସର୍ ଭଗବାନ ସାହୁ ମୁଖ୍ୟବକ୍ତା ରୂପେ ଯୋଗଦେଇ ଭାଷାଭିତ୍ତିକ ଓଡ଼ିଶା ପ୍ରଦେଶ ଗଠନରେ ରାଜା ବାହାଦୂର ରାମଚନ୍ଦ୍ର ମର୍ଦ୍ଦରାଜଙ୍କ ମହାର୍ଘ ଅବଦାନ, ତୃତୀୟ ଗୋଲ୍ ଟେବୁଲ୍ ବୈଠକରେ ରାଜ୍ୟ ଗଠନ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ, ସୀମା ନିର୍ଦ୍ଧାରଣ ସମିତି ପ୍ରଭୃତି ପ୍ରସଙ୍ଗରେ ଆଲୋକପାତ କରିଥିଲେ lଅନ୍ତର୍ଜାତୀୟ ଖ୍ୟାତିସଂପନ୍ନ ମଞ୍ଚ ଉଦ୍-ଘୋଷକ, ବିଶିଷ୍ଟ ସଂସ୍କୃତିବିତ୍ ହୃଷୀକେଶ ପାଣିଗ୍ରାହୀଙ୍କ ସଂଯୋଜନାରେ ସଂଚାଳିତ ଏହି ମହୋତ୍ସବରେ ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ୍, ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଓ ସଭାପତି ପ୍ରଫେସର୍ ମନୋଜ ରଞ୍ଜନ ନାୟକଙ୍କୁ ପ୍ରଶସ୍ତିପତ୍ର ଓ ଉପାୟନ ପ୍ରଦାନ ପୂର୍ବକ ଚଳିତ ବର୍ଷର ‘ମର୍ଦ୍ଦରାଜ ସମ୍ମାନ’ରେ ସମ୍ମାନିତ କରାଯାଇଥିଲା l ଖଲ୍ଲିକୋଟ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର ସଂପାଦକ ସୁଧାଂଶୁ ଶେଖର ସାହୁ ବିବରଣୀ ଉପସ୍ଥାପନ ପୂର୍ବକ ପରିଷଦର କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ l ପ୍ରଫେସର୍ ନାୟକଙ୍କ ତରଫରୁ ‘ପ୍ରମେୟ’ ବ୍ରହ୍ମପୁର ସଂସ୍କରଣର ମୁଖ୍ୟ ଅମ୍ବିକା ଦାଶ ଏହି ସମ୍ମାନ ଗ୍ରହଣ କରିଥିଲେ l ମର୍ଦ୍ଦରାଜ ମହୋତ୍ସବ ଅବସରରେ ଡ. କୁଳମଣି ଓଝା, ଡ. ହୃଷୀକେଶ ପଣ୍ଡା, ଡ. ସିଦ୍ଧାର୍ଥ ଶଙ୍କର ପାଢ଼ୀ, ଡ. ପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି (ହରିତସ), ଅଶୋକ କୁମାର ମିଶ୍ରଙ୍କ ସଂପାଦନାରେ ପ୍ରକାଶିତ ସ୍ମରଣିକା ‘ମର୍ଦ୍ଦରାଜ’ ଏବଂ ପ୍ରଫେସର୍ ମେଜର୍ ରମାରମଣ ପାଢ଼ୀଙ୍କ ସଂକଳିତ ଗ୍ରନ୍ଥ ‘ରୋଲ୍ ଅଫ୍ ରାଜା ରାମଚନ୍ଦ୍ର ମର୍ଦ୍ଦରାଜ ଦେଓ ଇନ୍ ଦି ମେକିଙ୍ଗ ଅଫ୍ଓଡ଼ିଶା ପ୍ରୋଭିନ୍ସ’ ଅତିଥିମାନଙ୍କ କରକମଳରେ ଲୋକାର୍ପିତ ହୋଇଥିଲା l ଶେଷରେ ଭୁବନେଶ୍ୱରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ସଂଗୀତ, ଓଡ଼ିଶୀ ନୃତ୍ୟ ସହ କେ.ସି. ପବ୍ଲିକ୍ ଛାତ୍ରଛାତ୍ରୀ ନୃତ୍ୟ-ସଂଗୀତ ପରିବେଷଣ କରିଥିଲେ l କେ.ସି. ପବ୍ଲିକ୍ ସ୍କୁଲ୍ ଅଧ୍ୟକ୍ଷ ଅଶୋକ କୁମାର ମିଶ୍ର ଓ ସୁଧାଂଶୁ ଶେଖର ସାହୁଙ୍କ ସମେତ ବିଦ୍ୟାଳୟର ଶିକ୍ଷୟିତ୍ରୀମାନେ ମହୋତ୍ସବ ସଂଚାଳନାରେ ସହଯୋଗ କରିଥିଲେ l ଏହି ମହୋତ୍ସବରେ ପ୍ରଫେସର୍ ବିଷ୍ଣୁଚରଣ ଚୌଧୁରୀ, ମେଜର୍ ରମାରମଣ ପାଢ଼ୀ, ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଡ. ଶ୍ରୀକାନ୍ତ ମହାପାତ୍ର, ଡ. କୁଳମଣି ଓଝା, ପ୍ରଫେସର୍ ମନ୍ମଥ ପାଢ଼ୀ, ପ୍ରଫେସର୍ ଲକ୍ଷ୍ମୀନାରାୟଣ ରାଉତ, ଡ. କୃଷ୍ଣପ୍ରସାଦ ମହାପାତ୍ର, ସୁଶାନ୍ତ ଦାସଙ୍କ ସମେତ ବହୁ ବିଶିଷ୍ଟ ଶିକ୍ଷାବିତ୍ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ