ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କୁ ୩ ମାସ ମାଗଣା ଚାଉଳ, ଡାଲି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ ବଳବତ୍ତର ରହିଉି । ଏଥିପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଡାଲି ଦିଆଯିବ । ହିତାଧିକାରୀଙ୍କୁ ମାସକୁ ମୁଣ୍ଡ ପିଛା ୫ କିଲୋଗ୍ରାମ ଲେଖାଏଁ ଚାଉଳ ବିନା ମୂଲ୍ୟରେ ୩ ମାସ ପାଇଁ ଦିଆଯିବ । ଏପ୍ରିଲ, ମେ ଓ ଜୁନ ମାସ ପାଇଁ ଏହି ଚାଉଳ ବଣ୍ଟାଯିବ । ଚାଉଳ ବଣ୍ଟନ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସମସ୍ତଙ୍କ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ସୁଲଭ ମୂଲ୍ୟ ଦୋକାନ ମାଧ୍ୟମରେ ହିତାଧିକାରୀଙ୍କୁ ଚାଉଳ ସହିତ ପରିବାର ପିଛା ମାସକୁ ୧ କିଲୋଗ୍ରାମ ଲେଖାଏଁ ହରଡ଼ ଡାଲି ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଏଥିପାଇଁ ତୁରନ୍ତ ଚାଉଳ ଓ ଡାଲି ଉଠାଣ ଓ ପରିବହନ ଲାଗି ନିର୍ଦ୍ଦେଶ ଜାରି ହୋଇଛି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ ୧ ଲକ୍ଷ ୧୬ ହଜାର ୭ ପରିବାରର ୩ ଲକ୍ଷ ୭୮ ହଜାର ୮୨୯ ଜଣ ହିତାଧିକାରୀ ଏଥିରେ ଉପକୃତ ହେବେ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷ ଆଇନ ଅନ୍ତର୍ଭୁକ୍ତ ୮୦ ଲକ୍ଷ ୨୬ ହଜାର ୩୭୫ଟି ପରିବାର ୨ କୋଟି ୮୬ ଲକ୍ଷ ୬ ହଜାର ୨୩୯ ଜଣ ହିତାଧିକାରୀ ଓ ଅନ୍ତ୍ୟୋଦୟ ଅନ୍ନ ଯୋଜନାର ୧୨ ଲକ୍ଷ ୫୯ ହଜାର ୧୮୧ଟି ପରିବାରର ୩୮ ଲକ୍ଷ ୬୪ ହଜାର ୨୬୦ ଜଣ ହିତାଧିକାରୀ ଉପକୃତ ହେବେ । ହିତାଧିକାରୀମାନଙ୍କୁ ମାସକୁ ମୁଣ୍ଡ ପିଛା ୫ କିଲୋ ଲେଖାଏଁ ଚାଉଳ ୩ ମାସ ପାଇଁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ସୂଚନା ଯୋଗ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଯୋଗ୍ୟ ରାସନ କାର୍ଡଧାରୀମାନଙ୍କୁ ୩ ମାସ ପାଇଁ ଯୋଗାଇ ଦିଆଯାଉଥିବା ଚାଉଳ ସହିତ ଅତିରିକ୍ତ ଭାବେ ଏହି ଚାଉଳ, ଡାଲି ମାଗଣାରେ ଦିଆଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ