ଖୋର୍ଦ୍ଧାରେ ଶହୀଦ ଜୟୀ ରାଜଗୁରୁ ଜୟନ୍ତୀ ସମାରୋହ

ଖୋର୍ଦ୍ଧା : ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଭାରତ ସ୍ୱଧୀନତା ସଂଗ୍ରାମର ପ୍ରଥମ ଶହୀଦ ଜୟୀ ରାଜଗୁରୁଙ୍କର ୨୮୦ତମ ଜୟନ୍ତୀ ଶହୀଦ ଜୟୀ ରାଜଗୁରୁ ସ୍ମୃତି ସମାରୋହ ସମିତି ଆନୁକୂଲ୍ୟରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମୁଖ୍ୟ ଅତିଥି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ପରେ ସଭାପତି ଡକ୍ଟର ନନ୍ଦ ତାଙ୍କ ସ୍ୱାଗତ ଭାଷଣରେ କହିଲେ ଆଜି ପାଇକ ବିଦ୍ରୋହକୁ ୨୧୬ ବର୍ଷ ବିତିଯାଇଥିଲେ ମଧ୍ୟ ଆଜିର କେନ୍ଦ୍ର ସରକାର ସେହି ବୀର ପୁଙ୍ଗବ ତଥା ପାଇକ ମାନଙ୍କର ଅମ୍ଳାନ ଦିନର ମହାନ୍ ସ୍ମୃତି ଇତିହାସକୁ କାଳ କାଳ ପାଇଁ ଜୀବିତ କରି ରଖିବା ପାଇଁ ଏହି ଖୋର୍ଦ୍ଧାର ବରୁଣେଇ ପାହାଡର ପାଦ ଦେଶର ବିଶାଳ ଭୂଖଣ୍ଡରେ କେନ୍ଦ୍ର ସରକାରଙ୍କ ସଂସ୍କୃତି ବିଭାଗ ଏବଂ ଇଣ୍ଡିଆନ ଅଏଲ୍ ଫାଉଣ୍ଡେସନ୍ ମ଼ିଳିତ ଭାବରେ ଶହ ଶହ କୋଟି ଟଙ୍କା ବ୍ୟୟ କରିବାକୁ ପ୍ରତିଶୃତି ବଦ୍ଧ । ସେଥିପାଇଁ ଖୋର୍ଦ୍ଧା ତଥା ଓଡିଶାର ଏହି ମହାନ ଗାଥାକୁ ମଳିନ ହେବାକୁ ନଦେଇ ଆଜିର ରାଜ୍ୟ ସରକାର ସମସ୍ତ ପ୍ରକାର ରାଜନୀତିରୁ ଉଦ୍ଦ୍ୱର୍ରେ ରହି କୋଟି କୋଟି ଓଡିଆଙ୍କ କୋହକୁ ଅନୁଭବ କରି ଓଡିଶା ସରକାର ସେଥିପାଇଁ ଯୋଗାଇ ଦେଇଥିବା ୧୦ ଏକର ଜମି ପରିବର୍ତେ ୧୦୦ ଏକରର ଭୂଖଣ୍ଡ ସେହି ଐତିହାସିକ ବରୁଣେଇର ପାଦ ଦେଶରେ ଯୋଗାଇ ଦିଅନ୍ତୁ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ଜୟୀ ରାଜଗୁରୁଙ୍କର ଜୀବନାଦର୍ଶକୁ ମନେ ପକାଇ ଏକ ଭାବବିହ୍ୱୋଳ ଢଙ୍ଗରେ କହିଲେ ଯେଉଁମାନେ ଇଂରେଜ ମାନଙ୍କୁ କଡାକଡି ଭାବରେ ବିରୋଧ କରିଥିଲେ, ସେମାନଙ୍କୁ ଇଂରେଜମାନେ ଅତ୍ୟନ୍ତ ନିର୍ମମ ଭାବରେ ହତ୍ୟା କରିଛନ୍ତି ଏବଂ ସେହି ଐତିହାସିକ ତଥ୍ୟ ସମୂହକୁ ଲୋକଲୋଚନକୁ ଆଣିବାକୁ ଦିଆଯାଇନାହିଁ । ବର୍ତମାନ ସମୟ ଆସିଛି ସେସବୁ ତଥ୍ୟ ସମୂହକୁ ପୁନରୁଦ୍ଧାର କରି ଏହି ବୀର ଜାତିର ପୂର୍ବ ଗୌରବକୁ ଫେରାଇ ଆଣିବାକୁ ହେବ । ଆଜିର କେନ୍ଦ୍ର ସରକାର ସେଥିପାଇଁ ଆଗେଇ ଆସିଥିବାରୁ ଆମେ ଗର୍ବିତ । ମୁଖ୍ୟବକ୍ତା ଭାବରେ ବିଶିଷ୍ଟ ପରିବେଶବିତ ତଥା ସମାଜସେବୀ ଡକ୍ଟର ଦିଲୀପ ଶ୍ରୀଚନ୍ଦନ ଯୋଗଦେଇ କହିଲେ ଜୟୀ ରାଜଗୁରୁ ନିଜର ମାଟି ମାଆ ତଥା ରାଜାଙ୍କୁ ରକ୍ଷା କରିବାକୁ ଯାଇ ଏକ ଅଜେୟ ଶକ୍ତି ବିରୋଧରେ ସଂଗ୍ରାମ ଚଳାଇ ଓଡ଼ିଶା ତଥା ଭାରତ ଇତିହାସରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଯାଇଛନ୍ତି । ତାଙ୍କଦ୍ୱାରା ଅନୁସୃତ ପନ୍ଥା ପରବର୍ତୀ ସମୟର ପାଇକ ବିଦ୍ରୋହକୁ ପ୍ରେରଣା ଯୋଗାଇଛି । ତାଙ୍କ ସଂଗ୍ରାମ ତଥା ଖୋରଧାକୁ ମୁକ୍ତ ଓ ସ୍ୱାଧୀନ କରିବାର ପ୍ରୟାସ ଊନବିଂଶ ଶତାଦ୍ଦୀର ପ୍ରାରମ୍ଭରେ ଏକ ନୂତନ ଉତ୍ସ୍ୱାସ ଓ ଉଦ୍ଦୀପନା ସୃଷ୍ଟି କରିଛି, ଯାହାକି ଏହି ବିଶାଳ ଭାରତ ବର୍ଷର ସ୍ୱାଧୀନତା ପାଇଁ ଦେଶର ପ୍ରଥମ ସ୍ୱାଧୀନତା ସଂଗ୍ରାମ ଭାବରେ ପରିଗଣିତ ହୋଇପାରିଛି ଏବଂ ସେହି ବୀର ଶହୀଦ ଜୟୀ ରାଜଗୁରୁଙ୍କୁ ଦେଶ ସ୍ୱାଧୀନତା ସଂଗ୍ରାମର ପ୍ରଥମ ଶହୀଦ ବୋଲି ସରକାରୀ ଭାବେ ମାନ୍ୟତା ମିଳିବା ଉଚିତ । ଏହି ବୀରତ୍ୱର ବାର୍ତା ଆମର ପରପୀଢ଼ିମାନେ ଜାଣିଲେ ଏହି ଓଡିଆ ଜାତିର ଉତଥାନ ହୋଇପାରିବ । ସମ୍ମାନୀତ ଅତିଥି ଭାବରେ ଇଂ ଶାରଦା ପ୍ରସନ୍ନ ସ୍ୱାଇଁ ଯୋଗଦେଇ କହିଲେ ଜୟୀ ରାଜଗୁରୁଙ୍କ ଭଳି ସାହସୀ, ସ୍ୱାଭିମାନୀ ଯୋଦ୍ଧା ପୃଥିବୀ ଇତିହାସରେ ବିରଳ, କିନ୍ତୁ କ୍ଷୋଭର ବିଷୟ ତାଙ୍କ ସ୍ମୃତି ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ସେଭଳି କିଛି କାମ କରି ନାହାଁନ୍ତି । ଅନ୍ୟତମ ସମ୍ମାନୀତ ଅତିଥି ଭାବରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ଶକ୍ତି ଶଙ୍କର ମିଶ୍ର, ଶିକ୍ଷାବିତ୍ ଡକ୍ଟର ବୃନ୍ଦାବନ ପଣ୍ଡା ଏବଂ ଇଂ ସୀତାକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଜୟୀ ରାଜଗୁରୁଙ୍କର ଅମ୍ଳାନ ଗାଥାକୁ ସ୍ମରଣ କରାଇ ଦେଇଥିବା ବେଳେ କବି ଅଖିଳେଶ ମହାପାତ୍ର ଓ ନୀଳାଦ୍ରୀନାଥ ଜଗଦେବ ପ୍ରମୁଖ ଜୟୀ ରାଜଗୁରୁଙ୍କ ଉପରେ ସ୍ୱରଚିତ କବିତା ପାଠକରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମଚାରୀଙ୍କ ସମେତ ଖୋର୍ଦ୍ଧାର ବହୁ ବୁଦ୍ଧିଜିବୀ ଉପସ୍ଥିତ ଥିଲେ । ପୂର୍ବାହ୍ଣରେ ସ୍ମୃତି ସଂସଦ ତରଫରୁ ସହରର ଗଡଖୋର୍ଦ୍ଧା ଛକଠାରେ ଅମର ଶହୀଦ୍‌ଙ୍କ ସମେତ ପଂଚ ପାଇକଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ