ଖୋର୍ଦ୍ଧା ନାବାଳିକା ଦୁଷ୍କର୍ମ ଓ ହତ୍ୟା ପରେ – ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ): ଓଡିଆ ମା’ଭଉଣୀଙ୍କ ଇଜ୍ଜତ ଉପରେ ଯେ ହାତ ପକାଇବ, ସେ ତାଙ୍କ କ୍ରୋଧର ନିଆଁରେ ଜଳିପୋଡି ଧ୍ୱଂସ ହୋଇଯିବ । ଏ କଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମନେରଖିବା ଉଚିତ ବୋଲି ଜଟଣୀରେ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜଟଣୀ ଥାନା ଅଧିକାରୀ ଏଫ୍ଆଇଆର୍ ନରଖିବା ମାମଲାରେ ସାମାଜିକ ଗଣମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ତୃତୀୟ ମହଲାର ବିନା ଅନୁମତିରେ ରାଜ୍ୟର ୫୦୦ରୁ ଉଦ୍ଧ୍ୱର୍ ଥାନାରେ ସୋରିଷ ଫୁଟେନାହିଁ । ଗତ ୧୧ ତାରିଖ ଦିନ ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ନାକ ତଳେ ଖୋର୍ଦ୍ଧା ଜଟଣୀ ଥାନା ଅନ୍ତର୍ଗତ ଜଣେ ନୀରିହ ଝିଅକୁ ଆତତାୟୀ ଧର୍ଷଣ କରି ହତ୍ୟା କଲେ । ଏହା ପରେ ଶିଶୁ କନ୍ୟାର ବାପା ଥାନାକୁ ଅଭିଯୋଗ କରିବାକୁ ଆସିବା ପରେ ଥାନାରେ ତାଙ୍କ ଅଭିଯୋଗ ରଖାଗଲାନାହିଁ । ଶାସକ ଦଳର ନେତାମାନେ ଥାନା ଭିତରେ ଅଭିଯୋଗକାରୀ ବାପାକୁ ମାରପିଟ କଲେ । ଏହା କଣ ମହିଳା ସମ୍ମାନ ବୋଲି ପ୍ରଶ୍ନ କରିବା ସହ ଦୀର୍ଘ ସମୟ ଧରି ଜଟଣା ଥାନା ଅଧିକାରୀ ଏଫଆଇଆର୍ କାହା ଚକ୍ରାନ୍ତରେ ନେଲେ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।