ଖୋଲା ବଜାରରୁ ୬୮,୮୨୫ କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ୨୦ ରାଜ୍ୟକୁ ଅନୁମତି

ନୂଆଦିଲ୍ଲୀ:ଅର୍ଥ ମନ୍ତ୍ରଣାଳୟ ଅଧୀନ ବ୍ୟୟ ବିଭାଗ ପକ୍ଷରୁ ଖୋଲା ବଜାରରୁ ୬୮,୮୨୫ କୋଟି ଟଙ୍କାର ଋଣ ସଂଗ୍ରହ ନିମନ୍ତେ ୨୦ଟି ରାଜ୍ୟକୁ ଅନୁମତି ଦିଆଯାଇଛି।
ଏହି ୨୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ମଧ୍ୟ ସାମିଲ ରହିଛି। ରାଜ୍ୟକୁ ଖୋଲା ବଜାରରୁ ୨୮୫୮ କୋଟି ଟଙ୍କା ଋଣ ସଂଗ୍ରହ ନିମନ୍ତେ ଅନୁମତି ମିଳିଛି।ଜିଏସଟି କାର‌୍ୟ୍ୟକାରିତା କାରଣରୁ ଦେଖାଦେଇଥିବା ପୁଞ୍ଜି ଅଭାବ ଦୂର କରିବା ଲାଗି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଦୁଇଟି ବିକଳ୍ପ ପ୍ରଦାନ କରାଯାଇଥିଲା। ଏଥିମଧ୍ୟରୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ସକଳ ରାଜ୍ୟ ଘରୋଇ ଉତ୍ପାଦ (ଜିଏସଡିପି)ର ୦.୫୦ % ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଏହି ଅନୁମତି ପ୍ରଦାନ କରାଯାଇଛି।୨୭ ଅଗଷ୍ଟ, ୨୦୨୦ରେ ଜିଏସଟି ପରିଷଦର ବୈଠକ ବସିଥିଲା। ଏଥିରେ ଦୁଇଟି ବିକଳ୍ପ ଦିଆଯାଇଥିଲା ଏବଂ ୨୯ ଅଗଷ୍ଟ ୨୦୨୦ରେ ଏ ସମ୍ପର୍କରେ ରାଜ୍ୟଗୁଡ଼ିକୁ ସୂଚିତ କରାଯାଇଥିଲା। ୨୦ଟି ରାଜ୍ୟ ପ୍ରଥମ ବିକଳ୍ପ ଚୟନ କରିଥିଲେ। ଏହି ରାଜ୍ୟଗୁଡ଼ିକ ହେଲେ-ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ବିହାର, ଗୋଆ, ଗୁଜରାଟ, ହରିୟାଣା, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ଓଡ଼ିଶା, ସିକିମ, ତ୍ରିପୁରା, ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡ। ଆଠଟି ରାଜ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ଚୟନ କରିନାହାନ୍ତି।
ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକୁ ଦିଆଯିବାକୁ ଥିବା ସୁବିଧାରେ ସାମିଲ ରହିଛି :
ଅର୍ଥ ମନ୍ତ୍ରଣାଳୟ ସହଯୋଗରେ ଋଣ ଜାରି ଜରିଆରେ ରାଜସ୍ୱ ନିଅଣ୍ଟ ପୂରଣ କରିବା ଲାଗି ଏକ ସ୍ୱତନ୍ତ୍ର ଋଣ ସଂଗ୍ରହ ୱିଣ୍ଡୋ। ଏ କ୍ଷେତ୍ରରେ ରାଜ୍ୟଗୁଡ଼ିକର ରାଜସ୍ୱ ନିଅଣ୍ଟ ୧.୧ ଲକ୍ଷ କୋଟି ଟଙ୍କା ରହିବ ବୋଲି ଆକଳନ କରାଯାଇଛି।
କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ଭାରତ ସରକାରଙ୍କ ଦ୍ୱାରା ଅନୁମତିପ୍ରାପ୍ତ ୨% ଅତିରିକ୍ତ ଋଣ ସୀମା ମଧ୍ୟରୁ ସୁଧାର ସର୍ତ୍ତ ଛାଡ଼ କରି ଜିଏସଡିପିର ୦.୫% ଚୁଡ଼ାନ୍ତ କିସ୍ତି ଆକାରରେ ଋଣ କରିବା ନିମନ୍ତେ ଅନୁମତି ଦିଆଯାଇଛି।୧୭, ମେ ୨୦୨୦ରେ ବ୍ୟୟ ବିଭାଗ ପକ୍ଷରୁ ରାଜ୍ୟଗୁଡ଼ିକୁ ଜିଏସଡିପିର ୨% ସୀମା ପର‌୍ୟ୍ୟନ୍ତ ଅତିରିକ୍ତ ଋଣ ସଂଗ୍ରହ ନିମନ୍ତେ ଅନୁମତି ଦିଆଯାଇଥିଲା। ୨% ସୀମା ମଧ୍ୟରୁ ୦.୫% ଚୁଡ଼ାନ୍ତ କିସ୍ତି ଭାରତ ସରକାରଙ୍କ ଦ୍ୱାରା ଧାର‌୍ୟ୍ୟ କରାଯାଇଥିବା ଚାରିଟି ସଂସ୍କାର ମଧ୍ୟରୁ ଅତି କମରେ ତିନୋଟି ସଂସ୍କାର କାର‌୍ୟ୍ୟକାରୀ କରିବା ସହିତ ଜଡ଼ିତ । ତେବେ, ଜିଏସଟି କାର‌୍ୟ୍ୟକାରିତା ଲାଗି ସୃଷ୍ଟି ହୋଇଥିବା ରାଜସ୍ୱ ନିଅଣ୍ଟ ଭରଣା କରିବା ଲାଗି ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକ କ୍ଷେତ୍ରରେ ଜିଏସଡିପିର ୦.୫% ଚୁଡ଼ାନ୍ତ କିସ୍ତି ହାସଲ କରିବା ଲାଗି ସଂସ୍କାର ସର୍ତ୍ତାବଳୀ କୋହଳ କରାଯାଇଛି। ତେଣୁ ପ୍ରଥମ ବିକଳ୍ପ ଚୟନ କରିଥିବା ରାଜ୍ୟଗୁଡ଼ିକ ଖୋଲାବଜାରରୁ ଋଣ ଆକାରରେ ୬୮,୮୨୫ କୋଟି ଟଙ୍କାର ପୁଞ୍ଜି ସଂଗ୍ରହ କରିପାରିବେ। ସ୍ୱତନ୍ତ୍ର ଋଣ ସଂଗ୍ରହ ୱିଣ୍ଡୋ ଉପରେ ପୃଥକ ଭାବେ ପଦକ୍ଷେପ ନିଆଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ