ଗଂଗଦାହାଟରେ ଚାଲିଛି ଖୁଲମଖୁଲା ଜୁଆ ଆଡ୍ଡା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) : ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ଗଙ୍ଗଦାହାଟରେ ଚାଲିଛି ଖୁଲମଖୁଲା ଭାବେ ଜୁଆ ଆଡ୍ଡା । ଏହି ଆଡ୍ଡାକୁ ପ୍ରତ୍ୟେହ ଶତାଧିକ ଲୋକ ଆସୁଥିବା ଜଣାଯାଇଛି । ଗଙ୍ଗଦାହାଟରେ ଥିବା ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଓ ପଂଚାୟତ ପକ୍ଷରୁ ନିର୍ମାଣ କରାଯାଇଥିବା ଦୋକାନ ଗୃହର ମଧ୍ୟରେ ଜରୀ ପାଲରେ ଘର ନିର୍ମାଣ କରାଯାଇ ଚାଲିଛି ଏହି ବେଆଇନ ଜୁଆ ଆଡ୍ଡା । ଦୋକାନ ଗୃହର ପଛ କାନ୍ଥରେ ସାଧା କାଗଜରେ ବିଭିନ୍ନ ନମ୍ବର ସାଂଗକୁ ଖେଳର ନାମ ଲଗାଯାଇଛି । ଏଥିରେ ଖେଳର ନିୟମ, ସିଲଭର,ଡାଇମଣ୍ଡ ଓ ଗୋଲଡେନ ବିଷୟ ସଂପର୍କରେ ସୂଚନା ମଧ୍ୟ କାନ୍ଥରେ ଲଗାଯାଇଛି । ସବୁଠାରୁ ବଡକଥା ହେଲା ୧୧ ଟଙ୍କାର ଲଟେରୀ ଟିକେଟ କିଣିଲେ ୧୦୦ ଟଙ୍କା ମିଳିବ । ଏହି ଆଶାରେ ବହୁ ଲୋକ ଏଠାରେ ସମାବେଶ ହେଉଛନ୍ତି । ସକାଳ ୯ଟାରୁ ରାତି ୯ ପର୍ଯ୍ୟନ୍ତ ଏହି ଖେଳ ଚାଲୁଛି । ୦ ରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏହି ଖେଳ ଇଂଟରନେଟ ମାଧ୍ୟମରେ ଚାଲୁଅଛି । ଯେଉଁ ଖେଳ ଦ୍ୱାରା ଉକ୍ତ ଅଂଚଳରେ କୁପ୍ରଭାବ ପଡିବାରେ ଲାଗିଛି । ଗାଁ ଗହଳିରେ ବିଶେଷ କରି ଯୁବପିଢି ଏଥିରେ ଅଧିକ ଆକୃଷ୍ଟ ହୋଇ ଖେଳୁଥିବାର ଲକ୍ଷ୍ୟ କରାଯାଉଛି । କେତେବେଳେ କିଏ ଟଙ୍କା ଜିତୁଛି ତ କିଏ ପୁଣି ଶହ ଶହ ଟଙ୍କା ହାରୁଛି । ଯେଉଁ ଖେଳକୁ ନେଇ ପରିବାରରେ ମଧ୍ୟ ଆଶାନ୍ତି ବୃଦ୍ଧି ପାଉଛି । ଅଧିକ ଟଙ୍କା ଜିତିବା ଆଶାରେ ବେକାର ପିଲାମାନେ ଘରୁ ଚୋରି କରି ଖେଳରେ ମାତୁଛନ୍ତି । ଏହି ଖେଳ ସକାଳ ୯ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଜଣାଯାଇଛି । ଯେଉଁ ସ୍ଥାନରେ ଏହି ଖେଳ କରାଯାଉଛି ଉକ୍ତ ସ୍ଥାନଟି ଏକ ସମ୍ବେଦନଶୀଳ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ । ଜୁଆ ଆଡ୍ଡାଟି ଗଙ୍ଗଦା ବଜାର ମଧ୍ୟରେ ହୋଇଥିବାରୁ ଏହି ରାସ୍ତା ଦେଇ ଶ୍ରୀ ଶ୍ରୀ ମଉଳା ଭଣଜା ମହାବିଦ୍ୟାଳୟ, ଡେରିକିସ୍ଥିତ ବ୍ୟାଙ୍କ ଅଫ ଇଣ୍ଡିଆ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ, ଡେରିକି ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ, ଛାତ୍ରଛାତ୍ରୀ ଓ ସାଧାରଣ ଜନତାମାନେ ଯାଉଥିବା ବେଳେ ବଜାର ମଧ୍ୟଙ୍କୁ ପାଖାପାଖି ୫ ଟି ପଂଚାୟତରୁ ପ୍ରାୟ ୧୫ ହଜାର ଉର୍ଦ୍ଧ ଲୋକ ବିଭିନ୍ନ କାର୍ଯ୍ୟ ପାଇଁ ଆସୁଛନ୍ତି । ଜୁଆ ଖେଳର ପ୍ରଭାବ ମଧ୍ୟ ତାଙ୍କ ଉପରେ ପଡିବାର ଯଥେଷ୍ଟ ସମ୍ଭାବନା ରହିଛି । ଗାଁ ଗହଳିରେ ଅଧିକାଂଶ ଲୋକ ଚାଷ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ବର୍ତମାନ ଜୁଆ ଖେଳରେ ମାତୁଥିବା ଦେଖାଯାଉଛି । ଯେଉଁ ଖେଳ ପାଇଁ ଉକ୍ତ ଅଂଚଳର କେତେକ ପରିବାର ସର୍ବସ୍ୱାନ୍ତ ହେବ କହି ହେବ ନାହିଁ । ସଂଖ୍ୟାର ମ୍ୟାଜିକ ଦେଖାଇ ଅଧିକ ଅର୍ଥ ପାଇବାର ଲୋଭ ଦେଖାଇ ଜୁଆ ଖେଳାଳି ମାଲ ମାଲ ହେଉଥିବା ଜଣାଯାଇଛି । ଏହି ଜୁଆ ଆଡ୍ଡାକୁ ନାଉଗାଁ ବ୍ଳକ ସମେତ ବାଲିକୁଦା,ନିଆଳି ଓ କାକଟପୁର ବ୍ଲକରୁ ମଧ୍ୟ ଲୋକ ଆସୁଥିବା ଜଣାଯାଇଛି । ଫଳରେ ବେଆଇନ ଜୁଆ ଖେଳ ହେଲେ ଚୋରୀ ସହିତ ଅସାମାଜିକ କାର୍ଯ୍ୟ ବୃଦ୍ଧି ପାଇବାର ଆଶଙ୍କା ଦେଖା ଦେଇଛି । ଏଠାରେ ସୂଚନା ଥାଉକି ଦିର୍ଘ ୧୦ ବର୍ଷ ତଳେ ଏହି ଖେଳ ଗଂଗହାହାଟରେ ପ୍ରଥମେ ଆରମ୍ଭ ହୋଇଥିଲା । ସେତେ ବେଳେ ଏହି ଖେଳରେ ଏହି ଅଂଚଳର ଅନେକ ବ୍ୟକ୍ତି ବଶବର୍ତି ହୋଇ ତଳି ତଳାନ୍ତ ହୋଇଯାଇଥିବା ନଜିର ରହିଛି । ସ୍ଥାନୀୟ ଅଂଚଳର ସ୍ୱାର୍ଥ ଦୃଷ୍ଟିରୁ ଜୁଆ ଖେଳକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ