ଗଂଗଦା ହାଟରେ ଖୁଲମଖୁଲା ଚାଲିଛି ବେଆଇନ ଭୁଟ୍ଟାନ ଲଟେରୀ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ ) :ନାଉଗାଁ ବ୍ଳକ ଅନ୍ତର୍ଗତ ଡେରିକି ପଂଚାୟତର ଗଙ୍ଗଦାହାଟର ୨ ଟି ସ୍ଥାନରେ ଖୁଲମଖୁଲା ଭାବେ ଜୁଆ ଆଡ୍ଡା ଚାଲିଛି । ଏହି ଆଡ୍ଡାକୁ ପ୍ରତ୍ୟେହ ଶତାଧିକ ଲୋକ ଆସୁଥିବା ଜଣାଯାଇଛି । ଗଙ୍ଗଦାହାଟ ଦେବୀ ଘର ନିକଟରେ ହେଉଥିବା ବେଳେ ଅନ୍ୟଟି ହାଟ ଠାରୁ ୫୦ ମିଟର ଦୁରରେ ଥିବା ଦୁଇଟି ମୋବାଇଲ ଟାୱାର ନିକଟରେ କରାଯାଉଛି । ଏହି ଜୁଆ ଖେଳକୁ କେହି କେହି ଭୁଟାନ ଲଟେରୀ ବୋଲି କହୁଛନ୍ତି । ଖେଳ ହେବା ଆଗରୁ ଖେଳର ନିୟମ ସିଲଭର,ଡାଇମଣ୍ଡ ଓ ଗୋଲଡେନ ବୋଲି କୁହାଯାଇ ଏହାର ବିଜୟ ସଂପର୍କରେ ସୂଚନା ମଧ୍ୟ କାନ୍ଥରେ ଲଗାଯାଇଛି । ସବୁଠାରୁ ବଡକଥା ହେଲା ୧୧ ଟଙ୍କା ଦେଇ ଲଟେରୀ ଟିକେଟ କିଣିଲେ ବିଜୟୀ ହେଲେ ୧୦୦ ଟଙ୍କା ମିଳିବ । ଏହି ଆଶାରେ ବହୁ ଲୋକ ଏଠାରେ ସମାବେଶ ହେଉଛନ୍ତି । ଏଥିରେ ଶୂନ ରୁ ୯ ପର୍ଯ୍ୟନ୍ତ ସଂଖ୍ୟାକୁ ନେଇ ଏହି ଖେଳ ଅନଲାଇନ ମାଧ୍ୟମରେ ଚାଲୁଅଛି । ଯେଉଁ ଖେଳ ଦ୍ୱାରା ଉକ୍ତ ଅଂଚଳରେ କୁପ୍ରଭାବ ପଡିବାରେ ଲାଗିଛି । ଗାଁ ଗହଳିରେ ବିଶେଷ କରି ଯୁବପିଢି ଏଥିରେ ଅଧିକ ଆକୃଷ୍ଟ ହୋଇ ଖେଳୁଥିବାର ଲକ୍ଷ୍ୟ କରାଯାଉଛି । କେତେ ବେଳେ କିଏ ଟଙ୍କା ଜିତୁଛି ତ କିଏ ପୁଣି ଶହ ଶହ ଟଙ୍କା ହାରୁଛି । ଯେଉଁ ଖେଳକୁ ନେଇ ପରିବାରରେ ମଧ୍ୟ ଆଶାନ୍ତି ବୃଦ୍ଧି ପାଉଛି । ଅଧିକ ଟଙ୍କା ଜିତିବା ଆଶାରେ ବେକାର ଯୁବକମାନେ ଘରୁ ଚୋରି କରି ଖେଳରେ ମାତୁଛନ୍ତି । କେବଳ ସେତିକି ନୁହେଁ କେତେକ ବ୍ୟକ୍ତି ମଧ୍ୟ ଘରର ସଉଦା ବନ୍ଦ କରି ଅଧିକ ଟଙ୍କା ପାଇବା ଆଶାରେ ଖେଳୁଥିବାର ଦେଖିବାକୁ ମିଳୁଛି ।ଏହି ଖେଳ ସକାଳ ୯ ଟାରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲୁଥିବା ଜଣାଯାଇଛି ।ସ୍ଥାନୀୟ ଅଂଚଳର ସ୍ୱାର୍ଥ ଦୃଷ୍ଟିରୁ ଜୁଆ ଖେଳକୁ ବନ୍ଦ କରିବା ପାଇଁ ବୁଦ୍ଧିଜୀବମାନେ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟରେ ନାଉଗାଁ ଥାନାଧିକାରୀ ପ୍ରଜ୍ଞା ରିତାମ୍ବର କରଙ୍କୁ ପଚାରିବାରୁ ମୁଁ ଯଥା ଶୀଘ୍ର ଏ ଦିଗରେ ପଦକ୍ଷେପ ଗ୍ରହଣ କରିବି ବୋଲି ପ୍ରକାଶ କରିଥିଲେ ।