ଗଂଜାମ ତହସିଲ ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତଙ୍କ ଉଦ୍ଦେଶ୍ୟରେ ୨ଲକ୍ଷ୨୦ହଜାର ଟଙ୍କା ସହାୟତା ପ୍ରଦାନ
ଛତ୍ରପୁର (ଯୁଗାବ୍ଦ ନୁୃ୍ୟଜ ) : ଗତ୩ତାରିଖ ଓଡିଶାରେ ସଂଗଠିତ ପ୍ରଳୟଙ୍କର ସାମୁଦ୍ରିକ ଘୂର୍ଣ୍ଣଝଡ ଫନୀ ଓଡିଶାର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ପକାଇବା ସହ ବାତ୍ୟା ପରବର୍ତିକାଳୀନ ସ୍ଥିତି ବେଶ ଶୋଚନୀୟ ହୋଇ ପଡିଛି । ହଜାର ହଜାର କ୍ଷତିଗ୍ରସ୍ତ ଖୋଲା ଆକାଶ ତଳେ ହତାଶ ହୋଇ ପଡି ରହିଛନ୍ତି । ସେମାନଙ୍କ ପାଇଁ ସହାୟତାର ହାତ ବଢାଇଛି ଗଂଜାମ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ୱେଚ୍ଛସେବୀ ସଂଗଠନ, ସମାଜସେବୀ, ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତିମାନେ ଏବଂ ବିଭିନ୍ନ ରାଜନୈତିକ ନେତା ମାନେ । ଏହାସହ ଗଂଜାମ ଜିଲ୍ଲାର ବ୍ରହ୍ମପୁର ଓ ଗଂଜାମ ପୁଲିସ ଜିଲ୍ଲାର ପୁଲିସ ବାହିନୀ ମଧ୍ୟ ଦିନରାତି ଏକ କରି ସହାୟତା ରାଶି ଠାରୁ ଆରମ୍ଭ ରିଲିଫ ସାମଗ୍ରୀ ପଠାଇଛନ୍ତି ପୂରୀ, ଖୋର୍ଦ୍ଧା ଏବଂ କ୍ଷତିଗ୍ରସ୍ତ ଜିଲ୍ଲା ଗୁଡିକୁ । ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଉଚ୍ଚ ପଦାଧିକାରୀ ମାନଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ କିପରୀ କ୍ଷତିଗ୍ରସ୍ତ ଅଂଚଳକୁ ବିଭିନ୍ନ ରିଲିଫ ସାମଗ୍ରୀ ଏବଂ ଆର୍ଥକ ସହାୟତା ଯୋଗାଇପାରିବେ ସେନେଇ ଅହରହ ଉଦ୍ୟମ ଚଳାଇଛନ୍ତି । ଜିଲ୍ଲାର ବିଭିନ୍ନ ବ୍ଲକ , ତହସିଲ, ଏନଏସି, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ସ୍ୱତନ୍ତ୍ର କେନ୍ଦ୍ର ଖୋଲିଛନ୍ତି । ଏହାଦ୍ୱାର ଯେଉଁ ମାନେ ଫନୀ ବାତ୍ୟା କ୍ଷତିଗ୍ରସ୍ତ ଅଂଚଳ ଗୁଡିକୁ ବିଭିନ୍ନ ଖାଦ୍ୟ ସାମଗ୍ରୀ ଏବଂ ଆର୍ଥିକ ସହାୟତା ରାଶି ପ୍ରଦାନ କରିପାରିବେ । ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ସରକାରୀ କର୍ମଚାରୀ ମାନେ ୩୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଲକ୍ଷ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି । ସେହିପରି ବ୍ରହ୍ମପୁର ପୁଲିସ ଜିଲ୍ଲାର ଏସପି ପିନାକ ମିଶ୍ର ଏବଂ ଗଂଜାମ ପୁଲିସ ଜିଲ୍ଲାର ଏସପି ବ୍ରିଜେଶ କୁମାର ରାଏ ଙ୍କ ନେତୃତ୍ୱ ଅବିଳକ କାର୍ଯ୍ୟ ଚାଲୁରହିଛି । ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାପ୍ରଶାସନ ପକ୍ଷରୁ ବିଭିନ୍ନ କେନ୍ଦ୍ର ମିଳିଥିବା ରିଲିଫ ସାମଗ୍ରୀ ଟ୍ରକ ମାଧ୍ୟମରେ ପୂରୀ ଏବଂ ଖୋର୍ଦ୍ଧା ଜିଲ୍ଲା ଗୁଡିକୁ ପଠାଯାଇଥିବା ବେଳେ ସେହିପରି ଦୁଇଟି ପୁଲିସ ଜିଲ୍ଲା ପକ୍ଷରୁ ମଧ୍ୟ ରିଲିଫ ସାମଗ୍ରୀ ପୂରୀ ଜିଲ୍ଲାକୁ ପଠାଯାଇଛି । ଏନେଇ ଗଂଜାମ ଜିଲ୍ଲାର ଗଂଜାମ ତହସିଲଦାର ଅବନୀ କୁମାର ସାହୁଙ୍କ ପ୍ରଚେଷ୍ଠାରେ କର୍ମଚାରୀଙ୍କ ସହଯୋଗରେ ବାତ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ରାଶି ସଂଗ୍ରହ କରାଯାଇଛି । ବିଭିନ୍ନ ବ୍ୟକ୍ତିବିଶେଷ ଏବଂ ଅନୁଷ୍ଠାନ ମାନଙ୍କରୁ ୨ଲକ୍ଷ ୨୦ହଜାର ଟଙ୍କାର ସହାୟତା ରାଶି ସଂଗ୍ରହ କରାଯାଇଥିଲା । ଏହି ସହାୟତା ରାଶିକୁ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ଭେଟି ପ୍ରଦାନ କରାଯାଇଛି । ଏହି ସହାୟତା ରାଶି ପ୍ରଦାନ ବେଳେ ଗଂଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) କବିନ୍ଦ୍ର କୁମାର ସାହୁ, ଡିଆରଡିଏ ଏପିଡି ଦେବବ୍ରତ ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟଂ ରଂଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ।