ଗଂଜାମ ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌) : ସ୍ଥାନୀୟ ଏସପିଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ପୁଲିସ ଜିଲ୍ଲାର ସ୍ୱତନ୍ତ୍ର ବୈଠକ ଶୁକ୍ରବାର ଗଂଜାମ ଏସପି ବ୍ରିଜେଶ କୁମାର ରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆଜି ଦିନତମାମ ପୁଲିସ ସହ ପରିବନ ବିଭାଗ , ଅବକାରୀ ବିଭାଗ , ଜେଲ ବିଭାଗ ଏବଂ ଏସପିପି ମାନଙ୍କ ସହ ପୃଥକ୍ ପୃଥକ୍ ବୈଠକ କରି ବିଭିନ୍ନ ବିଷୟ ଉପରେ ଏସପି ଶ୍ରୀ ରାଏ ସମୀକ୍ଷା କରିଥିଲେ । ପ୍ରଥମେ ଗଂଜାମ ଜିଲ୍ଲାର ଥାନା ୱାରୀ ସମୀକ୍ଷା କରି ପଡି ରହିଥିବା ବିଭିନ୍ନ ମାମଲା ଗୁଡିକ ତୁରନ୍ତ ଫଇସଲା କରିବା ସହ ଫାଇବ ଟି ଏବଂ ମୋ କାର୍ଯ୍ୟକ୍ରମ ସଂପର୍କିତ ଆଲୋଚନା କରିଥିଲେ । ସବୁ ମାମଲା ଗୁଡିକ ଉପରେ ଗୁରୁତ୍ୱ, କୌଣସି ମାମଲାରେ ମଧ୍ୟ ସାଧାରଣ ଲୋକ ଯେପରି ଅସୁବିଧାର ସମ୍ମୁଖୀନ ହେବେ ନାହିଁ, ଅପରାଧୀମାନଙ୍କ ପ୍ରତି ସାମନ୍ୟତମ କୋହଳ ନୀତି ନାହିଁ, ଚିଟ୍‌ଫଣ୍ଡ ଭଳି ମାମଲା ଗୁଡିକ ତୁରନ୍ତ ତଦନ୍ତ କରିବା ସହ ଠକେଇ ଏବଂ ଟଙ୍କା ଦେଣନେଣ ମାମଲାରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ସମେତ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାର ଘଟଣାର ତୁରନ୍ତ ତଦନ୍ତ କରିବା ସହ ୬୦ ଦିନ ମଧ୍ୟରେ ଚାର୍ଜସିଟ୍ କରି କୋର୍ଟକୁ ପଠାଇବାକୁ ଏସପି ଏହି ବୈଠକରେ ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅପରାଧୀମାନେ ଅପରାଧ କରି ଖସି ଯାଉଛନ୍ତି । ସାକ୍ଷୀମାନଙ୍କୁ ଧମକ ଦେବା ସହ ସମୟେ ସମୟେ ସାକ୍ଷୀମାନଙ୍କୁ ପ୍ରଲୋଭନ କରି ନିଜ ସପକ୍ଷକୁ ନେଇ ଯାଉଛନ୍ତି । ଏହାସହ ତଦନ୍ତ ଅଧିକାରୀମାନେ ମଧ୍ୟ ଠିକ୍ ଭାବେ ଘଟଣାକୁ ନ ପରଖୀ କୋର୍ଟରେ ନଥିପତ୍ର ଉପସ୍ଥାନ କରିଥାନ୍ତି । ଫଳ ସ୍ୱରୂପ ପ୍ରତିପକ୍ଷ ଓକିଲମାନେ ଏହାର ସୁଯୋଗ ନେଇ କୋର୍ଟରେ ଅପରାଧୀଙ୍କୁ ଖସାଇବାରେ ସଫଳ ହେଉଛନ୍ତି । ସେହିପରି ଠିକ୍ ସମୟରେ ସାକ୍ଷୀମାନଙ୍କୁ କୋର୍ଟରେ ହାଜର କରିବା ସହ ତଦନ୍ତ ଅଧିକାରୀମାନେ ମଧ୍ୟ ସମୟ ଅନୁସାରେ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ଦେଲେ ନିଶ୍ଚିତ ଭାବେ ଦୋଷୀମାନେ ଦଣ୍ଡ ପାଇବେ । ଏହାକୁ ଆଧାର କରି ଗୃହ ଓ ଆଇନ ବିଭାଗର ନିର୍ଦ୍ଦେଶ କ୍ରମେ ପ୍ରତିମାସରେ ଗଂଜାମ ଏସ୍‌ପିଙ୍କ ଅଧୀନରେ ଗଂଜାମ କ୍ୟାଡର ଡିପିପି ଓ ପିପିକୁ ନେଇ ଏକ ବୈଠକର ଆୟୋଜନ କରାଯାଉଛି । ଏନେଇ ଆଜି ଅନୁରୂପ ପ୍ରତ୍ୟେକ ଘଟଣାର ତନାଘନ ତଦନ୍ତ କରି ଘଟଣାବଳୀ ଏବଂ ଏଫଆଇଆରକୁ ଭଲଭାବେ ଦେଖି ଜଜ୍‌ଙ୍କ ସମ୍ମୁଖକୁ ଗଲେ ସଫଳତା ନିଶ୍ଚିତ ମିଳିବ ବୋଲି କହିଥିଲେ । ତଦନ୍ତ ଅଧିକାରୀମାନେ ପ୍ରତ୍ୟେକ ଧାର୍ଯ୍ୟ ତାରିଖରେ ହାଜର ରହିବା ପାଇଁ ମଧ୍ୟ କହିଥିଲେ । ହତ୍ୟା, ଅପହରଣ, ଦୁଷ୍କର୍ମ ଏବଂ ଗଂଜେଇ ଚୋରାଚାଲଣ ମାମଲାରେ ଅପରାଧୀମାନେ ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏବଂ ସରକାରୀ ଓକିଲ ଓ ତଦନ୍ତ ଅଧିକାରୀମାନଙ୍କ ତାଳମେଳ ରହୁନିଥିବାରୁ ଅପରାଧୀମାନେ ଖଲାସ ହେଉଛନ୍ତି । ତେଣୁ ଉଭୟ ସରକାରୀ ଓକିଲ ଓ ପୁଲିସ ମଧ୍ୟରେ ଉତମ ସମନ୍ୱୟ ରଖାଗଲେ ଅପରାଧୀଙ୍କୁ ଉପଯୁକ୍ତ ଦଣ୍ଡ ମିଳିବା ସହିତ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଗଂଜାମ ଏସ୍‌ପି ମତବ୍ୟକ୍ତ ରଖିଥିଲେ । ଏତତ୍ ବ୍ୟତିତ ପୂର୍ବଭଳି ୱାରେଣ୍ଟି ଧରପଗଡ ଜୋରଦାର କରିବା ସହ କୌଣସି ଗୋଟିଏ ୱାରେଣ୍ଟି ଯେପରି ଖୋଲାରେ ବୁଲି ନ ପାରିବେ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଏସ୍‌ପି କହିଛନ୍ତି । କାରାଗାର ଗୁଡିକରେ ଅପରାଧୀଙ୍କ ଗତିବିଧିକୁ ତୀକ୍ଷଣ ଦୃଷ୍ଟି ଦିଆଯିବ । ଜେଲ ଭିତରେ ରହି ଅପରାଧୀମାନେ ବାହାରେ ସେମାନଙ୍କ ନେଟ୍‌ୱାର୍କ ବିସ୍ତାର କରୁଛନ୍ତି । ଏଥିପ୍ରତି ଜେଲ ଅଧିକାରୀ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଉତ୍ତମ ସମନ୍ୱୟ ରଖି ଜେଲ ଭିତର ଅପରାଧୀଙ୍କ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇ ପାରିବ ବୋଲି ଏସ୍‌ପି ଗୁରୁତ୍ୱାରୋପ କରିଥିଲେ । ଏହାସହ ଦାଗୀ ଅପରାଧୀମାନଙ୍କୁ ଚିହ୍ନଟ କରିବାରେ ସହଜ ହେବ । ସେହିପରି ବୈଠକରେ ସଡକ ସୁରକ୍ଷା ଓ ଟ୍ରାଫିକ ନିୟମକୁ କଡାକଡି ଓ ସମସ୍ତ ଥାନା ଅଧୀନରେ ଚୋରାମଦ କାରବାର ଉପରେ ଅବକାରୀ ଓ ପୁଲିସ ଅଧିକାରୀଙ୍କ ମିଳିତ ଭାବେ ଚଢାଉ ଜାରି ରଖିବା ପାଇଁ କୁହାଯାଇଛି । ଏହି ସ୍ୱତନ୍ତ୍ର ବୈଠକରେ ଗଂଜାମ ପୁଲିସ ଜିଲ୍ଲାର ଅତିରିକ୍ତ ଏସପି ପତିତପାବନ ଚୌଧୂରୀ ଓ ଠାକୁର ପ୍ରସାଦ ପାତ୍ର, ଡିଏସପି ଉତ୍କଳ କେଶରୀ ଦାଶ, ସାମୁଲିସ ପ୍ରଧାନ ଓ ଅଜୟ କୁମାର ମିଶ୍ର, ରିଜର୍ଭ ଇନ୍ସପେକ୍ଟର ଗଙ୍ଗାଧର ଧାଙ୍ଗର, ସରକାରୀ ଅଭିଯୋଜକ ଉପନିର୍ଦ୍ଦେଶକ ଯମେଶ୍ୱର ମିଶ୍ର, ପରିବହନ ଅଧିକାରୀଙ୍କ ସମେତ ଜେଲ ଓ ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ