ଜିଲ୍ଲାବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବିଭିନ୍ନ ଯୋଜନାର ସଫଳ ରୂପାୟନ ଦିଗରେ ଜିଲ୍ଲାର ସମସ୍ତ ବ୍ୟାଙ୍କ ଅଧିକାରୀ ଏବଂ ଜିଲ୍ଲାର ଉନ୍ନୟନ ବିଭାଗ ଅଧିକାରୀମାନଙ୍କ ମଧ୍ୟରେ ଆପୋଷ ଉତମ ସମନ୍ୱୟ ରହିବା ଆବଶ୍ୟକ ବୋଲି ଜିଲ୍ଲାପାଳ କହିଥିଲେ । କେନ୍ଦ୍ର ଓ ରାଜ୍ୟ ସରକାର ଚାଷୀଙ୍କ ନିମନ୍ତେ ପ୍ରଚଳିତ କରିଥିବା ଯୋଜନା ଗୁଡିକୁ ବ୍ୟାଙ୍କ ଜରିଆରେ ଚାଷୀଙ୍କ ଠାରେ ପହଞ୍ଚା ପାରିଲେ ସମସ୍ତ ଯୋଜନା ଫଳପ୍ରଦ ହୋଇପାରିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଋଣ ପ୍ରଦାନ ଯୋଜନାକୁ ଅଧିକ ବ୍ୟବସ୍ଥିତ କରିବାକୁ ସେ ପରାମର୍ଶ ଦେଇଥିଲେ । ଜିଲ୍ଲାର ବିଭିନ୍ନ ବ୍ୟାଙ୍କର ମୋଟ ୪୨୦ ଟି ଶାଖାରେ ସେପ୍ଟେମ୍ବର ସୁଦ୍ଧା ୨୦ ହଜାର ୨୦ କୋଟି ଜମା ସଂଗ୍ରହ କରାଯାଇଥିବା ବେଳେ ୭ ହଜାର ୯୮୩ କୋଟି ଋଣ ପ୍ରଦାନ ହୋଇଛି । ଏବାବଦରେ କେବଳ ୪୦ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଛି । ଆଗକୁ ଏହାକୁ ବୃଦ୍ଧି କରିବା ଉପରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ । କୃଷି, ମତ୍ସ୍୍ୟ, ପଶୁ, ଉଦ୍ୟାନ ଆଦି ବିଭାଗୀୟ ଅଧୀନରେ ଥିବା ବିଭିନ୍ନ ଯୋଜନାରେ ଚାଷ କରିବା ପାଇଁ ଚାଷୀ ଋଣ ବାବାଦରେ ବ୍ୟାଙ୍କ ଗୁଡିକ ଗୁରୁତ୍ୱ ସହ ପଦକ୍ଷେପ ନେବାକୁ ହେବ । ଚାଷୀଙ୍କ ଋଣ ପ୍ରଦାନ ବାବଦରେ ସଚେତନତା ତଥା ଋଣମେଳାର ଆୟୋଜନ ନିମନ୍ତେ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ।ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଆରବିଆଇ ଏଲ୍ଡିଓ ତାରିଣୀ ପାଇକ, ଆନ୍ଧ୍ରାବ୍ୟାଙ୍କ ଏଜିଏମ୍ ଅନୁଜ କୁମାର ପ୍ରଧାନ, ଏଲ୍ଡିଏମ ଅଶୋକ କୁମାର ପଣ୍ଡାଙ୍କ ସମେତ ଜିଲ୍ଲାର ସରକାରୀ ଓ ବେସରକାରୀ ବ୍ୟାଙ୍କର ଅଧିକାରୀ ଏବଂ ଜିଲ୍ଲାର ସମସ୍ତ ଉନ୍ନୟନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଶେଷରେ ଏଲ୍ଡିଏମ୍ ଶ୍ରୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


