ଗଛ ଦିଏ ବର୍ଷାର ଆଗୁଆ ସୂଚନା
ଗୁଜରାଟରେ ରହିଛି କିଛି ଗଛ ଯାହା ବର୍ଷା ସମ୍ପର୍କରେ ସୂଚନା ଦେଇଥାଏ । ଏହା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ତେବେ ଏହା ସତ୍ୟ । ସ୍ଥାନୀୟ ଶୀତଳା ମାତା ମନ୍ଦିର ପ୍ରାଙ୍ଗଣରେ ଥିବା ଏକ ପ୍ରକାର ଗଛର ବୃଦ୍ଧିକୁ ଦେଖି ବର୍ଷା ହେବ କି ନାହିଁ ତାହା ସେଠାକାର ଲୋକେ ଜାଣିପାରୁଛନ୍ତି । ଏ ପ୍ରକାର ଗଛ ପ୍ରାୟତଃ ବାଗଡ଼ ଅଞ୍ଚଳର ଗାଲିୟାକୋଟରେ ଦେଖାଯାଇଥାଏ । ଏଠାରେ ଥିବା ଶୀତଳା ମାତାଙ୍କ ମନ୍ଦିରର ଛାତ ନାହିଁ । ମନ୍ଦିରରେ ମାତାଙ୍କ ମୂର୍ତ୍ତିର ଠିକ୍ ପଛରେ ଏହି ପ୍ରଜାତିର ଗଛ ପ୍ରତିବର୍ଷ ଆଷାଢ଼ ମାସରେ ଆପେ ଆପେ ଉଠେ । ସ୍ଥାନୀୟ ଭାଷାରେ ଏହି ଗଛକୁ “ହରଣ’ କୁହାଯାଏ । ଗଛର ବୃଦ୍ଧି ଭଲ ହେଲେ ଆସନ୍ତା ବର୍ଷ ସେଠାରେ ଆଶାଜନକ ବର୍ଷା ହେବ ବୋଲି କୁହାଯାଇଥାଏ । ଏହି ଗଛ ଦୁର୍ଗାପୂଜା ସମୟରେ ମରିଯାଏ । ମନ୍ଦିର ପୁରୋହିତଙ୍କ କହିବା ଅନୁସାରେ ଅତି ପ୍ରାଚୀନ କାଳରୁ ଏହି ସ୍ଥାନରେ ଗଛ ଏମିତି ପ୍ରତିବର୍ଷ ଉଠେ ଓ ତା’ପରେ ଶୁଖିଯାଏ । ଏହା ଆଗାମୀ ବର୍ଷରେ ବର୍ଷା ହେବ କି ନାହିଁ ସେ ବିଷୟରେ ସୂଚନା ଦେଇଥାଏ ।


