ଗଜପତିରେ ଜଳ ବିଦ୍ୟୁତ ପ୍ରକଳ୍ପ : ବିସ୍ତାପିତ ଲୋକଙ୍କୁ ପ୍ରତିଶ୍ରୁତି ଅନୁଯାୟୀ ଥଇଥାନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାର ଛେଳିଗଡ ନିକଟରେ ଏକ ବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟ ସରକାର ଆରମ୍ଭ କରିଥିଲେ ଯୋଜନା । ଯାହାକୁ ନେଇ ଲାଗି ରହିଥିଲା ବହୁ ବାଦ ବିବାଦ । ପ୍ରକଳ୍ପ ହେବା ସ୍ଥାନରେ ବସବାସ କରୁଥିବା ଲୋକଙ୍କୁ ବିସ୍ଥାପିତ କରି ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ଦିଆଯାଇଥିଲା ପ୍ରତିଶ୍ରୁତି । ଆଉ ତାହାକୁ ପାଳନ କରିବାରେ ଆଜି ସକ୍ଷମ ହୋଇପାରିଛନ୍ତି ରାଜ୍ୟ ସରକାର । ବିସ୍ଥାପତି ପରିବାରଙ୍କୁ ନେଇ ଗଜପତି-ଗଞ୍ଜାମ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଥଇଥାନ ନିମନ୍ତେ ନିର୍ମାଣ କରାଯାଇଛି କଲୋନୀ । ଯହାର ନାମ ରହିଛି କୃପାମୟୀପୁର ଓ ବାବୁଲିବନ୍ଧ । ବହୁ ବର୍ଷ ପୂର୍ବେ ରାଜ୍ୟ ସରକାର ଗଜପତି ଜିଲ୍ଲା ଆର୍‌.ଉଦୟଗରି ବ୍ଲକର ଛେଳିଗଡ ନିକଟରେ ଏକ ବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ନିର୍ମାଣ ପାଇଁ ୧୯୮୫ ମସିହାରେ ନସ୍କା ପ୍ରସ୍ତୁତ କରିଥିଲେ । କର୍ମଚାରୀ ନିଯୁକ୍ତି ସହ ରହିବା ପାଇଁ ଘର ମଧ୍ୟ ତିଆରି କଲେ । ଏହି ପ୍ରକଳ୍ପ ନିର୍ମାଣ ହେଲେ ୫ଟି ଗ୍ରାମ ସଂପୂର୍ଣ୍ଣ ଜଳମଗ୍ନ ଏବଂ ୧୦ରୁ ଉର୍ଦ୍ଧ ଗ୍ରାମ ଆଂଶିକ ଭାବେ ପ୍ରଭାବିତ ହେବେ । ପ୍ରକଳ୍ପ ନିର୍ମାଣ ଦ୍ୱାରା ଗଞ୍ଜାମ ଜିଲ୍ରାର ୩ହଜାର ୬୧୦ ହେକ୍ଟର ଚାଷଜମିକୁ ଜଳଯୋଗାଣ ସହ ଲୋକଙ୍କୁ ୧କ୍ୟୁମେକ୍ସ ପାନୀୟଜଳ ଯୋଗାଇ ଦିଆଯିବ । ହେଲେ ଲୋକଙ୍କ ବିରୋଧ ଯୋଗୁଁ ଦୀର୍ଘ ୩ ଦଶନ୍ଧି ଧରି ଏହି ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତି ଘଟିପାରିଲା ନାହିଁ । କାରଣ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା ଯେ, କେବଳ ଗଞ୍ଜାମ ଜିଲ୍ଲାର ଲୋକେ ଉପକୃତ ହେବା ସହ ସେମାନେ ବିସ୍ଥାପିତ ହେଲେ କାଳେ ବେସାହାରା ହୋଇଯିବେ । ହେଲେ ପ୍ରକଳ୍ପ ଦ୍ୱାରା ୩୬ ମେଗାୱାଟ ବିଦ୍ୟୁତ୍ ଉତ୍ପାଦନ ସହ ଗଜପତି ଜିଲ୍ଲାର ୧୧ଶହ ହେକ୍ଟର ଚାଷଜମିକୁ ଜଳସେଚିତ କରାଯିବ କହି ସେସବୁରେ ଏବେ ପୂର୍ଣ୍ଣଛେଦ ପକାଇଛି ଜଳସମ୍ପଦ ବିଭାଗ ଓ ସ୍ଥାନୀୟ ପ୍ରଶାସନ । ଆଉ ଯାହାକୁ ନେଇ ଧିରେ ଧିରେ ଲୋକଙ୍କ ବିରୋଧ କମିବାକୁ ଲାଗିଥିବାବେଳେ ସଂପୂର୍ଣ୍ଣ ବୁଡି ଅଞ୍ଚଳ ଭାବେ ଘୋଷଣା ହୋଇଥିବା ସୁଗୁବା, ଚଢେୟାପଦା, ତିଳିଗାଁ, କାକିଲି ଓ ବିଦ୍ୟାଧରପୁର ଅଞ୍ଚଳର ବିସ୍ଥାପିତ ପରିବାରଙ୍କୁ କ୍ଷତିପୂରଣ ଅର୍ଥ ଦିଆଯିବା ସହ ବିଭିନ୍ନ ସ୍ଥାନରେ ଥଇଥାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଖମାରିଗାଁ ପଞ୍ଚାୟତ ଅଧିନସ୍ଥ ଗଡସାମନ୍ତରାପୁର ନିକଟରେ ନିର୍ମାଣ ହୋଇଛି କୃପାମୟୀପୁର ବିସ୍ଥାପିତ କଲୋନୀ । ଯେଉଁଠି ରହିଛି ଖେଳପଡିଆ ଠାରୁ ଆରମ୍ଭ କରି ହାଟବଜାର, ବସ୍‌ଷ୍ଟାଣ୍ଡ, କୋଠଘର, ପାଣିଟାଙ୍କି, ମାର୍କେଟ କମ୍ପେକ୍ସ, ପୋଖରୀ ଓ ମନ୍ଦିର ମାଳିନୀ । ଏଠାରେ ସୁଗୁବା ଓ ତିଳିଗାଁର ପ୍ରାୟ ୧୨୭ ପରିବାରଙ୍କୁ ଥଇଥାନ ନିମନ୍ତେ ଯୋଜନା ରହିଥିବା ବେଳେ ୧୦୫ ପରିବାର ସମସ୍ତ କ୍ଷତିପୂରଣ ଅର୍ଥ ପାଇଛନ୍ତି ଏବଂ ଘର ନିର୍ମାଣ ମଧ୍ୟ ଆରମ୍ଭ କରିଛନ୍ତି । ହେଲେ ସେମାନଙ୍କ ପାଇଁ ସ୍କୁଲ, ଅଙ୍ଗନବାଡି ଓ ଏକ ମଣ୍ଡପର ଆବଶ୍ୟକତା ରହିଥିବା ପ୍ରକାଶ କରିଛନ୍ତି କିଛି ବିସ୍ତାପିତ ପରିବାର । ସେଥିପାଇଁ ପ୍ରଶାନ ଦୃଷ୍ଟି ଦେବାକୁ ସେମାନେ ଦାବି କରିଛନ୍ତି । ଏଠାରେ ବସବାସ କରୁଥିବା ଏବଂ ଆଗାମୀ ଦିନରେ ବସବାସ ପାଇଁ ଉଦ୍ୟମ କରୁଥିବା ବିସ୍ଥାପିତଙ୍କୁ ଦିଆଯାଇଥିବା ଚାଷଜମି ଗୁଡିକୁ ଜଳସେଚନର ବ୍ୟବସ୍ଥା ପାଇଁ ଚେକଡେମ୍ ନିର୍ମାଣ ହୋଇଥିଲେ ମଧ୍ୟ ବର୍ଷା ଅଭାବରୁ ସେଥିରେ ପାଣି ନଥିବାରୁ ଚାଷ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଯୋଗୁଁ ତୁରନ୍ତ ସେମାନଙ୍କୁ ବୋରିଂ ଯୋଗାଇଦେବାକୁ ଦାବି କରିଛନ୍ତି କିଛି ବିସ୍ଥାପିତ ପରିବାର । ଘଟଣା ନେଇ ସେମାନେ ରାଜ୍ୟ ସରକାରଙ୍କ ନିକଟରେ ନିଜର ଦାବି ଉପସ୍ଥାପନ କରିଥିବା ବେଳେ ସରକାରଙ୍କ ପକ୍ଷରୁ ତାହାକୁ ପାଳନ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ମିଳିଥିଲା । ଯାହାକି ଅଦ୍ୟାବଧି କାର୍ଯ୍ୟକାରୀ ହୋଇନଥିବାରୁ ବିସ୍ଥାପିତଙ୍କ ମଧ୍ୟରେ ଏକ ପ୍ରକାର ଅସନ୍ତୋଷ ଦେଖାଦେଇଛି । ସେହିପରି ସମ୍ପୂର୍ଣ୍ଣ ବୁଡି ଅଞ୍ଚଳ ଭାବେ ପରିଚିତ କାକିଲି ଗ୍ରାମର ୬୮ ପରିବାରକୁ ଗଞ୍ଜାମ ଜିଲ୍ଲାର ଭୀଷ୍ମଗିରି ନକଟସ୍ଥ ବାବୁଲିବନ୍ଧ ଠାରେ ମଧ୍ୟ ଥଇଥାନ ପାଇଁ ଉଦ୍ୟମ କରାଯାଉଛି । ସେଠାରେ ରାସ୍ତା, ପୋଖରୀ, ବିଜୁଳି ଓ ପାନୀୟଜଳର ବ୍ୟବସ୍ଥା ହୋଇଥିବା ବେଳେ ସମସ୍ତ ପରିବାରକୁ ଜମି ବଣ୍ଟନ କରାଯାଇଛି । ଯଦିଓ କିଛି ବିସ୍ଥାପିତ ପରିବାର କ୍ଷତିପୂରଣ ନେଇନାହାନ୍ତି ଏବଂ ସେମାନଙ୍କ ଯାହାବି ଅଭିଯୋଗ ରହିଛି ସେଥିପାଇଁ ପ୍ରତି ଗ୍ରାମରେ ଗୋଟିଏ ଗୋଟିଏ ଶିବିରର ଆୟୋଜନ କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ସେପଟେ ଏହି ଘଟଣାକୁ ନେଇ ଜଳସଂପଦ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ନଗେନ୍ଦ୍ର ନାଥ ମହାରଣା ବିସ୍ଥାପିତଙ୍କ ଯାହା ସମସ୍ୟା ଓ ଅଭି ଯୋଗ ରହୁଛି ତାହାକୁ ଆମେ ନିଜେ ଲୋକଙ୍କ ପାଖରେ ପହଞ୍ôଚ ତାଙ୍କର ସମସ୍ୟା ବୁଝି ସରକାରଙ୍କ ପାଖରେ ପହଞ୍ଚାଇ ତାହାର ସମାଧାନର ବାଟ ବାହାର କରିବା ଲାଗି ସଦା ସର୍ବଦା ତପ୍ତର ବୋଲି ଗଣ ମାଧ୍ୟମର ସମ୍ମୁଖରେ ପ୍ରକାଶ କରିଥିଲେ । ଦୀର୍ଘ ବର୍ଷ ଧରି ଅନିଶ୍ଚିତତା ଘେରରେ ରହିଆସିଥିବା ଛେଳିଗଡ ଜଳବିଦ୍ୟୁତ୍ ପ୍ରକଳ୍ପର ଅଗ୍ରଗତି ନେଇ ବାଟ ଓଗାଳିଥିବା ବିସ୍ଥାପିତ ପରିବାରମାନେ ଏବେ ସରକାରଙ୍କୁ ସହଯୋଗର ହାତ ବଢାଇଛନ୍ତି । ନିର୍ମଳ ତଥା ସ୍ୱଚ୍ଛ ଶାସନ ନୀତିକୁ ନେଇ ନବୀନ ସରକାଙ୍କ ମୂଖ୍ୟ ସହଯୋଗୀ ସାଜିଥିବା ଜଳସମ୍ପଦ ବିଭାଗର ଅଧିକାରୀମାନେ ଏବେ ଏକ ମାଇଲ ଖୁଣ୍ଟ ସୃଷ୍ଟି କରିଛନ୍ତି କହେଲେ ଅତ୍ୟୁକ୍ତି ହେବନାହିଁ । ଆଉ, ଜଳ ପ୍ରକଳ୍ପର କାର୍ଯ୍ୟ ମଧ୍ୟ ଖୁବଶୀଗ୍ର ଆରମ୍ଭ ହେବାନେଇ ଆଶା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ