ଗଜପତିରେ ପରିବହନ ବିଭାଗ କର୍ମଚାରୀଙ୍କୁ ହଟହଟା, ୪ଘଣ୍ଟା ଅଟକ ପରେ ବର୍ଦ୍ଧିତ ଜରିମାନା ଟଙ୍କା ଏମଭିଆଇ ନିଜ ପକେଟରୁ ଭରିଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ବେଆଇନ ଭାବେ ଏକ ଟ୍ରକ୍‌କୁ ୨୦ହଜାର୫୦୦ ଟଙ୍କା ଜରିମାନା ନିର୍ଦ୍ଧାରଣ କରିଥିବା ଏମ୍‌ଭିଆଇ ଜନସାଧାରଣ ଓ ଚାଷୀଙ୍କ ଯୋଗୁଁ ହଟହଟାର ସମ୍ମୁଖିନ ହୋଇଥିଲେ । ୪ଘଣ୍ଟାର ଅଟକ ପରେ ଏମ୍‌ଭିଆଇ ନିଜ ପକେଟରୁ ଜରିମାନା ଟଙ୍କା ଭରଣ କରିବା ପରେ ସାଧାରଣଙ୍କ ପ୍ରତିବାଦ ଶାନ୍ତ ପଡିଥିଲା । ଘଟଣାରୁ ପ୍ରକାଶ ଗତକାଲି ମଧ୍ୟାହ୍ନରେ ଗଜପତି ଜିଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ସାତମାଇଲ ଛକ ନିକଟରେ ଆର୍‌ଟିଓଙ୍କ ଏମ୍‌ଭିଆଇ ଓଆର ୧୩ ଟି ୦୧୭୯ନମ୍ବର ବିଶିଷ୍ଟ ଏକ କପା ବୋଝେଇ ଟ୍ରକ୍‌କୁ ଅଟକାଇ ତନଖି କରିଥିଲେ । ଏଥିରେ ଏମ୍‌ଭିଆଇ ୨୦ହଜାର ୫୦୦ ଟଙ୍କା ଜରିମାନା ଟ୍ରକଟିକୁ ଧାର୍ଯ୍ୟ କରିଥିଲେ । କପା ବୋଝେଇ ନେଉଥିବା ଚାଷୀ ବି.ଶ୍ରୀରାମୁଲୁ ଟ୍ରକର ସମସ୍ତ କାଗଜପତ୍ର ଥାଇ ଏଭଳି ଅନ୍ୟାୟ ଭାବେ ଜରିମାନା ଧାର୍ଯ୍ୟ କରିବା ନେଇ ପ୍ରତିବାଦ ଜଣାଇଥିଲେ । ତଥାପି ଜରିମାନା ଦେବାକୁ ପଡିବ ବୋଲି ପରିବହନ ବିଭାଗର କର୍ମଚାରୀ ମାନେ ଜଣାଇଥିଲେ । ଏଥିରେ ସମ୍ପୃକ୍ତ ଚାଷୀ ମୁଣ୍ଡରେ ହାତମାରି ବର୍ଷ ସାରା ପରିଶ୍ରମ କରି ସଞ୍ଚୟ କପାରୁ ବିକ୍ରି ପରେ ପରିବାର ପରିପୋଷଣ ପାଇଁ ଯେଉଁ ଟଙ୍କା ପାଉଛନ୍ତି ତାହା ଚଳିବା କଷ୍ଟକର ହେଉଛି । ଏପରି ସ୍ଥଳେ ଏତେଗୁଡିଏ ଟଙ୍କା ଜରିମାନା ଦେଇ ପାରିବି ନାହିଁ । ବିଷ ଖାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବି ବୋଲି ଆକୁଳ କ୍ରନ୍ଦନ କରୁଥିବା ଚାଷୀକୁ ଦେଖି ଅଞ୍ଚଳବାସୀ ଓ ଚାଷୀ ଭାଇମାନେ ଅସନ୍ତୋଷ ପ୍ରକାଶ କରି ଏକତ୍ରୀତ ହୋଇଥିଲେ । ସମସ୍ତେ ମିଳିତ ଭାବେ ସମ୍ପୃକ୍ତ ଏମଭିଆଇ ଜିତେନ୍ଦ୍ର ମୁର୍ମୁଙ୍କୁ ଜରିମାନା ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ । ଏଥିରେ ଏମଭିଆଇ ରାଜି ନହେବାରୁ ମିଳିତ ଭାବେ ସେଠାରେ ପ୍ରତିବାଦ କରି ଅଟକ ରଖିଥିଲେ । ଅପରାହ୍ନ ଏକ ଘଣ୍ଟା ଠାରୁ ୫ଘଣ୍ଟା ପର୍ଯ୍ୟନ୍ତ ଏହି ଅଟକ ଜାରି ରହିଥିଲା । ପରେ ଖବର ପାଇ ପାରଳାଖେମୁଣ୍ଡି ଏସଡିପିଓ ପ୍ରକାଶ ଚନ୍ଦ୍ର ଜେନା,ଗୁରାଣ୍ଡି ଥାନା ଅଧିକାରୀ ମୁକେଶ ଲାକ୍ରା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଲୋକେ ଜରିମାନ ପ୍ରତ୍ୟାହାର କଲେ ଅଟକ ପ୍ରତ୍ୟାହାର ହେବ ବୋଲି କହିଥିଲେ । ପରେ କୌଣସି ଜରିମାନା ଅର୍ଥ ଏମଭିଆଇ ନିଜ ପକେଟରୁ ଭରଣ କରିବେ ବୋଲି ଜଣାଇବା ପରେ ଅଟକ ପ୍ରତ୍ୟାହୃତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ