ଗଜପତିରେ ପୁଣି ୧୫କୋଟି ଟଙ୍କାର ଚୋରା ଗଞ୍ଜେଇ ଚାଷକୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଓ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ,ବନ,ରାଜସ୍ୱ ଓ ପୋଲିସ ବିଭାଗ ତରଫରୁ ମିଳିତ ଚଢାଉ କରାଯାଇ ପୁଣି ୧୧୨ଏକର ଜଙ୍ଗଲ ଜମୀରେ ଚାଷ କରାଯାଇଥିବା ଚୋରା ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରି ଦିଆଯାଥିବା ସୁଚନା ମିଳିଛି । ଘଟଣାରୁ ପ୍ରକାଶ ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବାଘମାରୀ ପଞ୍ଚାୟତ ଅନ୍ତର୍ଗତ ଶିକୁଳିପଦର ମୌଜାର ନାରଙ୍ଗି ଗ୍ରାମ ଠାରେ ଅବକାରୀ, ବନବିଭାଗ, ରାଜସ୍ୱ ଓ ପୋଲିସ ବିଭାଗର ମିଳିତ ଚଢାଉରେ ପ୍ରାୟ ୧୧୨ ଏକର ଜଙ୍ଗଲ ଜମିରେ ଚୋରାରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ ଚଢାଉ କରାଯାଇଥିଲା । ଏହି ଚଢାଉରେ ୧୧୨ଏକର ଜମିରେ ଥିବା ଗଞ୍ଜେଇ ଗଛକୁ କାଟି ପୋଡି ନଷ୍ଟ କରାଯାଇଛି । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛର ପ୍ରାୟ ଆନୁମାନିକ ମୂଲ୍ୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଏହି ଚଢାଉରେ ମୋହନା ପୋଲିସ ସମେତ ଅବକାରୀ,ବନ ଓ ରାଜସ୍ୱ ବିଭାଗ କର୍ମଚାରୀଙ୍କ ମିଳିତ ଭାବେ ପାଦଚଲାରେ ବନ ପାହାଡ ଅତିକ୍ରମ କରି ଏଠାରେ ଚଢାଉ କରିଥିବା ଜଣାପଡିଛି ।


