ଗଜପତିରେ ସ୍ଥିତି ଉଦ୍‌ବେଗଜନକ ଗୋଟିଏ ଦିନରେ୨୮ କରୋନା ପଜିଟିଭ୍

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାରେ ସ୍ଥିତି ଆଜି ଅତ୍ୟନ୍ତ ଉଦ୍‌ବେଗଜନକ ପରିସ୍ଥିତିରେ ପହଞ୍ଚିଛି । ଗୋଟିଏ ଦିନରେ ଜଣେ ନାବାଳକଙ୍କ ସମେତ ୨୮ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟାଏ ଦିନରେ ୨୮ ଜଣ ଚିହ୍ନଟ ନେଇ ସାଧାରଣରେ ଉଦ୍‌ବେଗ ପ୍ରକାଶ ପାଇଛି । ଆଜିର ଏହି ୨୮ କରୋନା ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ୧୯୧ରେ ପହଞ୍ଚିଛି । ଏହି ୨୮ ଜଣଙ୍କୁ ଆଜି ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୨୮ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୧୯୧ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ମୋଟ ୮୭ ଜଣ ଗଜପତି ଜିଲ୍ଲାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ବର୍ତ୍ତମାନ କୋଭିଡ ହସ୍ପିଟାଲରେ ୧୦୫ଜଣ ରହିଛନ୍ତି । ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନିକ ଅଧିକାରୀମାନଙ୍କୁ ସମ୍ପୁଣ୍ଣ ଭାବେ ଏ ନେଇ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଆଜି ନୁତନ ଭାବେ ଯେଉଁ ୨୮ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ତାମିଲନାଡୁରୁ ୧୯ଜଣ,ଆନ୍ଧ୍ରରୁ ୨ ଜଣ ଓ ତେଲାଙ୍ଗାନାରୁ ୭ଜଣ ପ୍ରବାସୀ ଗଜପତି ଜିଲ୍ଲାକୁ ଫେରିଥିଲେ । ଏହି ୨୮ଜଣଙ୍କୁ ଅସ୍ଥାୟୀ ସଂଘରୋଧ କେନ୍ଦ୍ରରେ ରଖାଯାଇଥିଲା । ଏମାନଙ୍କ ଠାରୁ ସ୍ୱାବ ସଂଗ୍ରହ କରାଯାଇଥିଲା । ଏହାର ପଜିଟିଭ୍ ରିପୋର୍ଟ ଆସିବା ପରେ ଆଜି ଏହି ୨୮ ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଜିଲ୍ଲାର ସମସ୍ତ ୨୦୭ ଅସ୍ଥାୟୀ ସଂଘରୋଧ କେନ୍ଦ୍ର ସମେତ ଜିଲ୍ଲାର ସମସ୍ତ ଅଞ୍ଚଳରେ ଯେ କୌଣସି ବ୍ୟକ୍ତିଙ୍କ ଠାରେ କିଛି ଲକ୍ଷଣ ଦେଖାଗଲେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ବିଭାଗୀୟ କର୍ମଚାରୀମାନେ ପ୍ରସ୍ତୁତ ରହିଛନ୍ତି । ତେଣୁ ଜିଲ୍ଲାବାସୀ ଏଥିରେ କୌଣସି ଭୟଭୀତ ହେବାର ଆବଶ୍ୟକତା ନାହିଁ । ଅନ୍ୟ ପକ୍ଷରେ ଜନସାଧାରଣ ଲକ୍‌ଡାଉନ୍ ନିୟମକୁ ମାନି ନିଜ ନିଜର ଘରେ ସୁରକ୍ଷିତ ଭାବେ ରୁହନ୍ତୁ ଏବଂ ପ୍ରଶାସନକୁ ସହଯୋଗ କରନ୍ତୁ ବୋଲି ଗଜପତି ଜିଲ୍ଲାପାଳ ସାଧାରଣଙ୍କୁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ