ଗଜପତିରେ ୬୦ଜଣ ଗ୍ରାମୀଣ ରାଜମିସ୍ତ୍ରୀଙ୍କ ତାଲିମ ଶିବିର ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍.ଉଦୟଗିରି ବ୍ଲକ ଅନ୍ତର୍ଗତ ଅନଘା ଗ୍ରାମରେ ଗ୍ରାମୀଣ ରାଜମିସ୍ତ୍ରୀ ତାଲିମ ଶିବର କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି । ଏହି ତାଲିମ ଶିବିର ୪୫ଦିନ ଧରି ଚାଲୁ ରହିଥିବାବେଳେ ପ୍ରାୟ ୬୦ଜଣ ବିଭିନ୍ନ ପ୍ରାନ୍ତରୁ ଆସି ପ୍ରଶିକ୍ଷଣ ନେଇଥିଲେ । ଆଜି ବୁଧବାର ଦିନ ହୋଇଥିବା ଉଦ୍ଯାପନୀ ଉତ୍ସବରେ ଅନଘା ପଞ୍ଚାୟତର ସରପଞ୍ଚ କୃଷ୍ଣ ଚନ୍ଦ୍ର ବଡମୁଣ୍ଡି ମୁଖ୍ୟ ଅତିଥିଭାବେ ଯୋଗଦେଇଥିବାବେଳେ ରାଜମିସ୍ତ୍ରୀ ସଂଘର ସଭାପତି ଦାଶରଥି ରଇତ, ଉପସଭାପତି ପ୍ରଫୁଲ କୁମାର କାର୍ଯୀ, ସମ୍ପାଦକ ଅମରେଶ୍ୱର ପ୍ରଧାନ, ବ୍ରହ୍ମପୁରର ପ୍ରଶିକ୍ଷକ ପ୍ରଦୀପ କୁମାର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷାର୍ଥୀମାନଙ୍କୁ ଏହି ପ୍ରଶିକ୍ଷଣ ଦ୍ୱାରା ନିଜେ ନିଜେ ଆତ୍ମନିର୍ଭରଶୀଳ ହୋଇପାରି ଅର୍ଥ ଉପାର୍ଜନ କରିବା ସହ ଅନ୍ୟକୁ ରୋଜଗାର ପନ୍ଥା ମଧ୍ୟ ଦେଇପାରିବେ ବୋଲି କହିଥିଲେ । ଏହା ସହ ବର୍ତ୍ତମାନର କୌଶଳ ଯନ୍ତ୍ରପାତିକୁ ଆପଣାଇ କାର୍ଯ୍ୟ ଗୁଡିକୁ କିପରି ଶୀଘ୍ର ସମ୍ପାଦନ କରିବେ ସେନେଇ ବୁଝାଇଥିଲେ । ଏହି ୪୫ଦିନର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବେ ବ୍ରହ୍ମପୁରର ଇଂଜିନିୟର ପ୍ରଦୀପ କୁମାର ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀ ତଥା ରାଜମିସ୍ତ୍ରୀଙ୍କୁ ବିଭିନ୍ନ ସରଞ୍ଜାମ କିଟ୍ ପ୍ରଦାନ କରାଯାଇଥିଲା ।