ଗଜପତି ଜିଲ୍ଲା ନେହେରୁ ଯୁବ କେନ୍ଦ୍ରର ବାର୍ଷିକ କାର୍ଯ୍ୟକ୍ରମର ସମୀକ୍ଷା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଗଜପତି ଜିଲ୍ଲା ନେହେରୁ ଯୁବକେନ୍ଦ୍ରର ବାର୍ଷିକ କାର୍ଯ୍ୟକ୍ରମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରିଥିବାବେଳେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ କୁମାର ଚୈଧୁରୀ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଦୀପ କୁମାର ପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ମିନତି ଦେଇ, ଜିଲ୍ଲା ଯୁବ ସଂଯୋଜକ ବିଜୟ କୁମାର ମହାପାତ୍ର, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଭାକର ତ୍ରିପାଠୀ, ଡିଆଇସି ମୋହନ ଶବରଙ୍କ ସହ ବିଭାଗୀୟ ଅଧିକାରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତଥିଲେ । ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ମହାପାତ୍ର ୨୦୨୦-୨୧ ଆର୍ଥିକ ବର୍ଷରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହେବାକୁଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ । ଗ୍ରାମାଞ୍ଚଳରେ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଇବା ଯଥା ସ୍ୱାସ୍ଥ୍ୟ ପାନୀୟ ଜଳ, କ୍ରୀଡା, ସ୍ୱଚ୍ଛ ଭାରତ ଏବଂ କରୋନା ରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯିବା ସହ ପରିବେଶ ସୁରକ୍ଷାକୁ ନେଇ ବିଭିନ୍ନ ଅଞ୍ଚଳରେ ବୃକ୍ଷରୋପଣ କାର୍ଯଛ୍ୟକ୍ରମ କରାଯିବା ନିମନ୍ତେ ସଂଘର ସଦସ୍ୟମାନେ ଗୁରୁତ୍ୱ ଦେବାକୁ ପଡିବ ବୋଲି ଜିଲ୍ଲାପାଳ ଶ୍ରୀ ସାହା ପରାମର୍ଶ ଦେଇଥିଲେ । ପରିଶେଷରେ ଜିଲ୍ଲା ଯୁବ ସଂଯୋଜକ ଶ୍ରୀ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।


