ଆନ୍ଧ୍ର ଜିଲ୍ଲାପାଳଙ୍କ ସହ ଗଜପତି ଜିଲ୍ଲାପାଳଙ୍କ ଆଲୋଚନା ପରେ ଗଜପତିରୁ ଆନ୍ଧ୍ର ଦେଇ ବସ୍ ଚଳାଚଳ କରିବ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ସମଗ୍ର ଦେଶରେ ଲକ୍‌ଡାଉନ,ସଟ୍‌ଡାଉନ୍ ପରେ ଯାତ୍ରୀବାହୀ ବସ୍ ଗୁଡିକ ଯାତାୟତ କଟକଣା ଆଦିକୁ ହଟାଇ ଦିଆଯାଇ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ଗଜପତି ଜିଲ୍ଲାରୁ ଆନ୍ଧ୍ର ଦେଇ ବସ୍ ଯାତାୟତ କରିପାରୁ ନ ଥିଲା । ଏହାର ମୁଖ୍ୟ କାରଣ ଥିଲା ଆନ୍ଧ୍ର ପରିମିଟ ଦେଉ ନଥିଲା । ହେଲେ ଜିଲ୍ଲା ମଧ୍ୟରେ ଏବଂ ଓଡିଶା ପରିସୀମା ଦେଇ କିଛି ବସ୍ ଚଳାଚଳ କରୁଥିଲା । କିନ୍ତୁ ଆନ୍ଧ୍ର ପ୍ରଦେଶ ଦେଇ ଗୁଣୁପୁର-ପାରଳାଖେମୁଣ୍ଡି-ବ୍ରହ୍ମପୁର-ପଲାସା ଏବଂ ଅନ୍ୟାନ୍ୟ କେତେକ ଆନ୍ଧ୍ର ଅଞ୍ଚଳକୁ ବସ୍ ଯାତାୟତରେ ସମସ୍ୟା ରହିଥିଲା । ଏନେଇ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ର ପ୍ରଦେଶ ଦେଇ ବସ୍ ଚଳାଚଳ କରିବ ବୋଲି ଜଣାପଡିଛି । ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ଗଜପତି ଜିଲ୍ଲାର ଘରୋଇ ବସ୍ ଗୁଡିକୁ ଅନୁମତି ତଥା ପରିମିଟ ପ୍ରଦାନ କରୁ ନ ଥିବାରୁ ଏପରି ସମସ୍ୟା ଉପୁଜିଥିଲା । ଏନେଇ ବସ୍ ମାଲିକମାନେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଏହାପରେ ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ ଗୁରୁତର ସହ ନେଇ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିବା ପରେ ସମସ୍ୟାର ସମାଧାନ ହୋଇଛି । ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷ ଗଜପତି ଜିଲ୍ଲାର ଘରୋଇ ବସ ଗୁଡିକୁ ପରିମିଟ ପ୍ରଦାନ କରିବାପାଇଁ ବ୍ୟବସ୍ଥା କରିଛନ୍ତି । ଅତି ତୁରନ୍ତ ଆନ୍ଧ୍ରର ପଲାସା, ମଞ୍ଜୁସା ଦେଇ ବ୍ରହ୍ମପୁର, ରାୟଗଡା ଜିଲ୍ଲାର ଗୁଣୁପୁର, ରାୟଗଡା ଆଦି ଦେଇ ବସ୍ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡା ସୂଚନା ଦେଇଛନ୍ତି । ସୂଚନା ଯୋଗ୍ୟ ଯେ କୋଭିଡ୍‌-୧୯ କଟକଣା ପାଇଁ ଗତ ମାର୍ଚ୍ଚ ଶେଷ ସପ୍ତାହ ଠାରୁ ଦୀର୍ଘ ୮ ମାସ ଧରି ଜିଲ୍ଲାରେ ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିଥିଲା । ଏଥି ନିମନ୍ତେ ଜିଲ୍ଲାବାସୀ ବିଶେଷ କରି ଆନ୍ଧ୍ରର ପଲାସା ଦେଇ ବ୍ରହ୍ମପୁର ଯାତାୟତ କରିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଥିଲେ । ପାରଳାଖେମୁଣ୍ଡିରୁ ବ୍ରହ୍ମପୁର ଯିବାକୁ ହେଲେ ଆନ୍ଧ୍ର ପ୍ରଦେଶର ପଲାସା ଏବଂ ମଞ୍ଜୁସା ଦେଇ ଗଲେ ପ୍ରାୟ ୬୦ରୁ ୭୦କିମି ରାସ୍ତା କମ୍ ପଡୁଥିବାବେଳେ ବ୍ରହ୍ମପୁର ଉପରେ ପାରଳାଖେମୁଣ୍ଡି ଅଞ୍ଚଳବାସୀ ସ୍ୱାସ୍ଥ୍ୟଗତ ଚିକିତ୍ସା ଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀକ କାରବାର ଉପରେ ନିର୍ଭର କରିଥାନ୍ତି । ଏହା ସହ ଆନ୍ଧ୍ର ପ୍ରଦେଶର ପଲାସା ରେଳ ଷ୍ଟେସନରୁ ଦୈନିକ ଶହ ଶହ ଯାତ୍ରୀ ରେଳ ଯୋଗେ ରାଜ୍ୟ ତଥା ରାଜ୍ୟ ବାହାରକୁ ଯିବାପାଇଁ ନିର୍ଭର କରିଥାନ୍ତି । ଏତଦ୍‌ବ୍ୟତୀତ ଆନ୍ଧ୍ର ରୁଟରେ ନିର୍ଭର କରୁଥିବା ବସ୍ ଗୁଡିକର ମାଲିକ ମାନେ ବସ୍ ଚଳାଚଳ ବନ୍ଦଥିବାରୁ ବହୁ କ୍ଷତି ସହିବା ସହ କର୍ମଚାରୀମାନେ ଏକପ୍ରକାର ରୋଜଗାର ହରାଇଥିଲେ । ପରି ଶେଷରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ହସ୍ତକ୍ଷେପ ପରେ ଏହି ସମସ୍ୟା ସମାଧାନ ହୋଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ