ଗଜଲକ୍ଷ୍ମୀ ଭଷାଣୀ ଉତ୍ସବ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ) : ଆଜି ପୂର୍ବାହ୍ନ ପ୍ରାୟ ୧୦ଟାରେ ସମସ୍ତ ୪୮ଟି ମେଢ ପୁରୁଣାବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରେ ପହଞ୍ଚିବା ପରେ ଭୋଗଲାଗି କରାଯାଇଥିଲା । ପରେ ଅପରାହ୍ନ ପ୍ରାୟ ୧୨ଟାରେ ଭଷାଣୀ ଉତ୍ସବ ଆରମ୍ଭ ହୋଇଥିଲା ଏବଂ ଗୋଟିଏ ପରେ ଗୋଟିଏ ମେଢ ମେଲଣ ପଡିଆରୁ ବିଷର୍ଜ୍ଜନ ଘାଟ ଅଭିମୁଖେ ବାହାରିଥିଲେ । ଭଷାଣୀ ଉତ୍ସବ ଅବସାରରେ ମେଢ ଗୁଡିକରେ ବାଜୁଥିବା ଦୁଲଦୁଲି ଓ ସିଂହବାଜାରେ ସାରା କେନ୍ଦ୍ରାପଡା ସହର ସତେ ଯେମିତି ଦୁଲୁକି ଉଠୁଛି । ଗଜଲକ୍ଷ୍ମୀ ଭଷାଣୀ ଉତ୍ସବର ରାତି ସାଢେ ୮ଟା ସୁଦ୍ଧା ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରୁ ୨୨ଟି ମେଢ ମଧ୍ୟରୁ ନୂଆ ବସଷ୍ଟାଣ୍ଡସ୍ଥିତ ବିଷର୍ଜ୍ଜନ ଘାଟରେ ମାତ୍ର ୮ଟି ମେଢ ପହଞ୍ଚିପାରିଛି । ସେହିଭଳି ପୁରୁଣା ବସଷ୍ଟାଣ୍ଡସ୍ଥିତ ମେଲଣ ପଡିଆରୁ ସାନ୍ତସାହି ପାଶ୍ୱର୍ସ୍ଥ ବିଷର୍ଜ୍ଜନ ଘାଟରେ ୨୬ଟି ମେଢ ମଧ୍ୟରୁ ମାତ୍ର ୧୦ଟି ମେଢ ପହଞ୍ଚିପାରିଛି । ଆଜି ରାତି ସୁଦ୍ଧା ସମସ୍ତ ମେଢ ଗୁଡିକ ମେଲଣ ପଡିଆରୁ ବାହାରି ବିଷର୍ଜ୍ଜନ ଘାଟରେ ପହଞ୍ଚିବାର ସମ୍ଭାବନା ବହୁତ କମ୍ । ଚଳିତ ବର୍ଷ ପ୍ରଶାସନ ଓ ପୋଲିସ ପକ୍ଷରୁ ୨ଦିନ ଭିତରେ ମେଲଣ ଓ ଭଷାଣୀ ଉତ୍ସବ ଶେଷ କରିବାକୁ ନିଆଯାଇଥିବା ନିଷ୍ପତ୍ତି କେତେଦୁର କାର୍ଯ୍ୟକାରୀ ହେଉଛି ତାହା ଦେଖିବାକୁ ବାକି ରହିଲା । ଏତଦ୍ବ୍ୟତିତ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବରେ ଡିଜେ ଭାଇବ୍ରେଟରରେ ସାରା ସହର ପ୍ରକମ୍ପିତ ହୋଇଉଠୁଛି । ଜିଲ୍ଲା ପ୍ରଶାସନ ଓ ପୋଲିସର ସମସ୍ତ ବାରଣ ସତ୍ୱେ ପ୍ରାୟ ପ୍ରତ୍ୟେକ ପୂଜା କମିଟିର ମେଢ ସହିତ ଡିଜେ ଭାଇବ୍ରେଟର ଏଭଳି ବାଜୁଛି ଯେ ବୟଷ୍କ ଓ ହୃଦରୋଗୀମାନଙ୍କ ଜୀବନ ପ୍ରତି ଏହା ବିପଦକୁ ଟାଣି ଆଣୁଛି । ପୋଲିସ ଓ ପ୍ରଶାସନ ସବୁ ଦେଖି କିଛି ନଦେଖିବା ଭଳି ନୀରବ ଦ୍ରଷ୍ଟା ସାଜିଛି । କାଲି ରାତିରେ ବାଜା ବଜାଉଥିବା ବେଳେ ଜଣେ ଢୋଲ ବାଦକ ହଠାତ ଟଳି ପଡିଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଗତ କିଛି ବର୍ଷ ଧରି ଗଜଲକ୍ଷ୍ମୀ ମେଲଣ ଓ ଭଷାଣୀ ଉତ୍ସବରେ ଡିଜେ କୁ ବ୍ୟାନ କରାଯିବା ପାଇଁ ସାଧାରଣରେ ପ୍ରବଳ ଦାବି ହୋଇ ଆସୁଥିଲେ ମଧ୍ୟ ପ୍ରଶାସନ ଓ ପୋଲିସ ପକ୍ଷରୁ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିିଁ । ସହର ଆଖପାଖ ଅଞ୍ଚଳରୁ ଆଜି ହଜାର ହଜାର ସଂଖ୍ୟାରେ ଲୋକମାନେ ଏହି ଭଷାଣୀ ଉତ୍ସବ ଦେଖିବାକୁ ଆସି କେନ୍ଦ୍ରାପଡା ସହରରେ ପ୍ରବଳ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନର କୈାଣସି ଜଣେବି ଅଧିକାରୀ କିମ୍ବା ମାଜିଷ୍ଟେଟ ଦାୟିତ୍ୱରେ ଥିବା ଜଣେବି ସରକାରୀ ଅଧିକାରୀଙ୍କୁ ମେଲଣ ପଡିଆ କିମ୍ବା ଉବ୍ୟ ପାଶ୍ୱର୍କୁ ଯାଉଥିବା ମେଢ ସହିତ ଅଥବା ବିଷର୍ଜ୍ଜନ ଘାଟରେ ଦେଖିବାକୁ ମିଳିନଥିଲା । ଅପରାହ୍ନ ୨ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ପୁରୁଣା ବସଷ୍ଟାଣ୍ଡସ୍ଥିତ ପୋଲିସ କଂଟ୍ରୋଲରୁମରେ ଜଣେବି ଅଧିକାରୀ ଉପସ୍ଥିତ ନଥିବାର ଦେଖାଯାଇଥିଲା । କେତେକ ମେଢର ସଦସ୍ୟମାନେ ସେଠାରେ ପହଞ୍ଚି କୈାଣସି ପ୍ରଶାସନିକ ବା ପୋଲିସ ଅଧିକାରୀଙ୍କୁ ନପାଇ ଉପସ୍ଥିତ ଥିବା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଉପରେ ସେମାନଙ୍କର ରୋଷ ସାରିବା ଦେଖିବାକୁ ମିଳିଥିଲା । ଆରକ୍ଷୀ ଅଧିକ୍ଷକ ସମ୍ବିତ ସମ୍ପଦ ମଡ଼କରଙ୍କ ନେତୃତ୍ୱରେ ୩ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସମେତ କେନ୍ଦ୍ରାପଡା ଏସଡିପିଓ ଦେବେନ୍ଦ୍ର ମଲ୍ଲିକ, ଡିଏସପି ଜ୍ୟୋତିରଞ୍ଜନ ସାମନ୍ତରାୟ ପ୍ରମୁଖ ଗଜଲକ୍ଷ୍ମୀ ଭଷାଣୀ ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହିତ ସମାପନ କରିବାକୁ କାର୍ଯ୍ୟରତ ଥିବା ଦେଖାଯାଇଛି । ଭଷାଣୀ ନିମନ୍ତେ ୩ଜଣ ଏଏସପି, ୧୨ଜଣ ଡିଏସପି, ୧୮ଜଣ ଇନିସପେକ୍ଟର, ୨୦ଜଣ ସବଇନିସପେକ୍ଟର, ୫୪ଜଣ ସହକାରୀ ସବଇନିସପେକ୍ଟରଙ୍କ ସମେତ ୨୩ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହୋଇଥିବା ସୂଚନା ଦିଆଯାଇଛି ।