ଗଞ୍ଜାମରେ ଝିଅଙ୍କ ଆନୁପାତିକ ହାର ବଢୁଛି
ଛତ୍ରପୁର (ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମରେ ଝିଅ ମାନଙ୍କ ସଂଖ୍ୟାରେ ବୃଦ୍ଧି ପରିଲକ୍ଷିତ ହେଉଛି ।୨୦୧୬ ମସିହାରେ ପୁଅ ମାନଙ୍କ ସଂଖ୍ୟା ୧୦୦୦ ତୁଳନାରେ ଝିଅ ମାନଙ୍କ ସଂଖ୍ୟା ୮୫୪ ଥିବା ବେଳେ ୨୦୧୯ ମସିହାରେ ଏହି ଅନୁପାତ ପ୍ରତି ହଜାର ପୁଅରେ ଝିଅ ସଂଖ୍ୟା ୯୩୭କୁ ବୃଦ୍ଧି ପାଇଛି । ବିଜୁକନ୍ୟାରତ୍ନ ଏବଂ ମୋ ଗେହ୍ଲାଝିଅ ପ୍ରଭୃତି କାର୍ଯ୍ୟକ୍ରମ ଝିଅଙ୍କ ସଂଖ୍ୟା ବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ବୋଲି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ପ୍ରକାଶ କରିଛନ୍ତି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଭ୍ରୁଣଲିଙ୍ଗ ନିରୂପଣ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଲୋକମାନଙ୍କ ମାନସିକତା ପରିବର୍ତ୍ତନ ପାଇଁ ଚେଷ୍ଟା କରିବାକୁ ଆହ୍ବାନ ଦେଇଥିଲେ । ଗେହ୍ଲାଝିଅ କାର୍ଯ୍ୟକ୍ରମରେ ଜନସାଧାରଣଙ୍କୁ ବହୁଳ ମାତ୍ରାରେ ସାମିଲ କରାଯିବ । ଚଳିତ ମାସରେ ଜିଲ୍ଲାରେ ୫୦୩ ଗୋଟି ପଞ୍ଚୟତରେ କନ୍ୟା ସନ୍ତାନ ସୁରକ୍ଷା ରାଲି କରାଯିବ । ଝିଅର ପାରିବାରିକ ଏବଂ ସାମାଜିକ ଆବଶ୍ୟକତା ଲୋକଙ୍କୁ ବୁଝାଇ ଦିଆଯିବ । ଝିଅ ପରିବାରର ବଡ ସମ୍ପତ୍ତି ବୋଲି ଜନସାଧାରଣ ହୃଦୟଙ୍ଗମ କରିବେ । ଏସବୁ ସଚେତନତା କାଯ୍ୟକ୍ରମ ଦ୍ୱାରା ଆଗାମୀ କିଛି ବର୍ଷ ମଧ୍ୟରେ ପୁଅଝିଅଙ୍କ ଅନୁପାତ ସମାନ ସ୍ତରକୁ ଆସିଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଜିଲ୍ଲାରେ ଲିଙ୍ଗଭୃଣ ନିରୂପଣ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୁଦ୍ଧରେ ଅତ୍ୟଧିକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅସିଷ୍ଟାଣ୍ଡ କଲେକ୍ଟର ଲିୟନ କୁମାର ସାହୁ ,ଜିଲ୍ଲା ଶିଶୁସୁରକ୍ଷା ଅଧିକାରୀ ସୁବୋଧ ଶତପଥି, ଚାଇଲଡ ଲାଇନ ସ୍ୱେଚ୍ଛାସେବୀ ଅନୁଷ୍ଟାନର ସୁଧୀର ସାବତ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।


