ପୁରୁଣା ଦଦରା ବସ ରାସ୍ତାରୁ ହଟିବ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଞ୍ଜାମ ଜିଲ୍ଲାରେ ଯାତ୍ରୀ ପରିବହନ କରୁଥିବା ପୁରୁଣା ବସ ଗୁଡିକ ରାସ୍ତାରୁ ହଟିବ । ଏହା ବଦଳରେ ନୂଆ ବସକୁ ଅଧିକ ପ୍ରୋତ୍ସାହିତ କରାଯିବ । ଏହି ବସ ଗୁଡିକ ଚାଲିବା ଦ୍ୱାରା ପ୍ରଦୂଷଣ ବୃଦ୍ଧି ପାଇବା ସହିତ ଯାତ୍ରୀ ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ଲାଗୁଛି । ଏହି ସବୁ ପୁରୁଣା ବସ ଯାଞ୍ଚ କରିବାରେ ଜିଲ୍ଲାପାଳ ନିଜେ ସଂପୃକ୍ତ ରହିବେ । ଗ୍ରାମାଞ୍ଚଳ ବସ ଚଳାଚଳ ଉପରେ ଅଧିକ ଧ୍ୟାନ ଦିଆଯିବ । ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସଡକ ପରିବହନ ପ୍ରାଧିକରଣ ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହା ପ୍ରକାଶ କରିଛନ୍ତି । ଜିଲ୍ଲା ମଧ୍ୟରେ ଯାତ୍ରୀ ପରିବହନ ପାଇଁ ଚଳାଚଳ କରୁଥିବା ୧୧୨ ଗୋଟି ବସ ମଧ୍ୟରୁ ଯେଉଁ ଗୁଡିକ ୧୫ ବର୍ଷରୁ ଉଦ୍ଧର୍୍ ତାହା ଯାଞ୍ଚ କରାଯିବ । କେଉଁ ସ୍ଥାନରୁ କେତେ ଯାତ୍ରୀ ପରିବହନ ହେଉଛନ୍ତି ତାର ଆକଳନ ବସ ମାଲିକ ସଂଘ ଓ ପରିବହନ କର୍ମଚାରୀ ମିଳିତ ଭାବେ କରିବେ । ସେହି ଅନୁଯାୟୀ ବସ ରୁଟ ପରମିଟ ଦିଆଯିବ । କଟୁ ଶବ୍ଦ କରୁଥିବା ହର୍ଣ ତୁରନ୍ତ ବନ୍ଦ କରିବା ପାଇଁ ଜିଲ୍ଲାପାଳ ବସ ମାଲିକ ସଂଘକୁ ନିର୍ଦ୍ଦେଶ ଦେଇଛନ୍ତି । ବସ ସାମନାରେ ଜଳୁ ଥିବା ରଙ୍ଗବେରଙ୍ଗ ଆଲୁଅକୁ ନିଷେଧ କରିବାକୁ ମଧ୍ୟ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବ୍ରହ୍ମପୁର ଉପଜିଲ୍ଲାପାଳ ସିନେ୍ଧ ଦତ୍ତାତ୍ରୟ ଭାଉସାହେବ,ଛତ୍ରପୁର ଅଞ୍ଚଳିକ ପରିବହନ ଅଧିକାରୀ ସଞ୍ଜୟ କୁମାର ବିଶ୍ୱାଳ,ଭଂଜନଗର ପରିବହନ ଆଞ୍ଚଳିକ ଅଧିକାରୀ ଶୁଭେନ୍ଦୁ ରାୟ ଓ ବସ ମାଲିକ ସଇଘର କର୍ମକର୍ତ୍ତା ଯୋଗଦେଇଥିଲେ ।


