ଗଞ୍ଜାମ ଜିଲ୍ଲାରେ ଆଜି ରାତି ୯ରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍
ଛତ୍ରପୁର (ୱାଇଏନ୍ଏସ୍): ଗଂଜାମ ଜିଲ୍ଲାରେ ଶୁକ୍ରବାର ରାତି ୯ଟାରୁ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ । ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ଲକ୍ ଡାଉନ୍ ପ୍ରକ୍ରିୟା ଜାରି ରହିବ । ଅପରପକ୍ଷରେ ଗଞ୍ଜାମ ଜିଲ୍ଲାର ସହରାଂଚଳ ଗୁଡ଼ିକରେ ଲାଗୁ କରାଯାଇଥିବା ସଟ୍ ଡାଉନ୍ କୁ ଉଠାଇ ଦିଆଯାଇଛି । ସେଠାରୁ ମଧ୍ୟ ଲକ୍ ଡାଉନ୍ ଜାରି ରହିବ । ଜିଲ୍ଲାର ଯେଉଁ ଯେଉଁ ଅଂଚଳକୁ ନିଷିଧାଂଚଳ ଘୋଷଣା କରାଯାଇଛି ସେହି ଅଂଚଳ ଗୁଡ଼ିକ ସରକାରୀ ଗାଇଡ୍ ଲାଇନ୍ ଅନୁସାରେ କାର୍ଯ୍ୟକାରୀ କରାଯିବ । ସେଠାରୁ ପୂର୍ବ ଭଳି ନିଷିଧାଂଚଳ ନିୟମ ବଳବତର ରହିବ । ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଲକ୍ ଡାଉନ୍ କୁ ସଂପୂର୍ଣ୍ଣ ଭାବେ କଡ଼ା କଡ଼ି କରାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଶୁକ୍ରବାର ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ନିତ୍ୟାବଶ୍ୟକୀୟ ଦୋକାନ ଗୁଡ଼ିକ ଖୋଲାଯିବ । ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଏହି ଦୋକାନ ଗୁଡ଼ିକ ଖୋଲାଯିବ । ଏହା ସହିତ ଏମାନେ କୋଭିଡ୍ ଗାଇଡ୍ ଲାଇନ ଅନୁସାରେ ବେରିକେଡ୍ ବାନ୍ଧିବା ସହ ସାମାଜିକ ଦୂରତା, ମାସ୍କ ପରିଧାନ କରିବା ଓ ଗ୍ରାହକ ମାନଙ୍କ ଠିକଣା ଡାଏରୀ ରଖିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି । ଯଦି କେହି ନିୟମ ଉଲ୍ଲଘଂନ କରନ୍ତି ତେବେ ଦୋକାନ ବନ୍ଦ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାରେ ଗତକାଲି ଠାରୁ ଗ୍ରାମାଞ୍ଚଳର ରେଡ୍ ଜୋନ୍ ତଥା କରୋନା ଆକ୍ରାନ୍ତ ଅଂଚଳ ଗୁଡ଼ିକରେ ଘରକୁ ଘର ଯାଇ ସ୍କେନିଂ ଆରମ୍ଭ କରିବା ସହ ଅକ୍ସି ମିଟର କରାଯାଉଛି । ଜିଲ୍ଲାକୁ ବର୍ତମାନ ୧୩୦ଜଣ ଡାକ୍ତର ଓ ପ୍ରଶାସନ ଅଧିକାରୀମାନେ ଆସି କାର୍ଯ୍ୟରେ ଯୋଗ ଦେଇ ସାରିଲେଣି । ଏମାନଙ୍କୁ ବିଭିନ୍ନ ଦାୟିତ୍ୱ ତୁଲାଇବା ନିମନ୍ତେ କୁହାଯାଇଛି । ସୁସ୍ଥ ହୋଇଥିବା କୋଭିଡ୍ ଆକ୍ରନ୍ତ ମାନେ କୋଭିଡ୍ ମନିଟର ଭାବେ ଜିଲ୍ଲାରେ ଲୋକଙ୍କୁ ସଚେତନା କରି ଆସୁଛନ୍ତି । ଜିଲ୍ଲାରେ ଆହୁରି କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ କରୋନା ଚେନ୍ ରୋକିବା ନିମନ୍ତେ କରାଯାଉଛି । ଗାଁ ଗହଳିରେ କୋଭିଡ୍ କେୟାର କମିଟି ଗଠନ କରାଯାଇ ସେମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟ ପରିଚାଳନା କରାଯିବା ସହ କୋଭିଡ୍ କେୟାର ମନିଟର ମାନେ ବିଭିନ୍ନ କାର୍ଯ୍ୟର ତଦାରଖ କରୁଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାରେ ମାଇକ୍ରୋ ମ୍ୟାନେଜମେଂଟ୍ ଉପରେ ଅଧିକ ଫୋକସ କରିଛନ୍ତି । ଟେଷ୍ଟିଂ, କନଟାକ୍ସ ଟ୍ରେସିଂ ଓ ଟ୍ରିଟ୍ମେଂଟ୍ ଉପରେ ବହୁତ ଗୁରୁତ୍ୱ ଦିଆଯାଉଛି । ଲୋକମାନେ କିପରି ସାମାଜିକ ଦୂରତାରେ ରହି ବିଭିନ୍ନ କାର୍ଯ୍ୟ କରିବେ ଏଥି ନିମନ୍ତେ ଜିଲ୍ଲାପାଳ ବାରମ୍ବାର ସୂଚନା ଦେଇ ଆସୁଛନ୍ତି ।
ସେହିପରି ଗଞ୍ଜାମ ଜିଲ୍ଲା ପୁଲିସ ପକ୍ଷରୁ ଜିଲ୍ଲାକୁ ଏବଂ ବାହାର ଜିଲ୍ଲାରୁ ପ୍ରବେଶ କରୁଥିବା ପ୍ରାୟ ୧୨ଟି ସ୍ଥାନରେ ଅସ୍ଥାୟୀ ଚେକ୍ ପୋଷ୍ଟ୍ ବ୍ୟବସ୍ଥା କରାଯାଇଛି । ଜରୁରୀ ସେବା ଓ ଅତ୍ୟାବଶକୀୟ ସାମଗ୍ରୀ ଯାନବାହାନକୁ ଛାଡ଼ି ବାକି ଯାନବାହାନ ପ୍ରତି କଟକଣା ଜାରି ରହିଛି । ଏଥି ସକାଶେ ୨୮ ପ୍ଲାଟୁନ୍ ପୁଲିସ ମୁତୟନ ରହିଛନ୍ତି । ୫ଜଣ ଡିଏସପି ଗତିବିଧିକୁ ନେଇ ତଦାରଖ କରୁଛନ୍ତି । ଏଥି ସହ ଲୋକ ମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ସହ ବିନା କାରଣରୁ ଘରୁ ବାହାରକୁ ନବାହାରିବା ପାଇଁ ପୁଲିସ ପକ୍ଷରୁ ସଚେତନା କରାଯାଉଛି । ଏହା ସତ୍ୱେ ଯେଉଁମାନେ ଅମାନିଆ କରୁଛନ୍ତି ସେମାନଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ସହ ଜରିମାନା ଆଦାୟ କରାଯାଉଛି । ଶୁକ୍ରବାର ରାତି ଠାରୁ ଆରମ୍ଭ ହେବାକୁ ଥିବା ଲକ୍ ଡାଉନ୍ କୁ ପୁଲିସର ଏପରି କଟକଣା ବଳବତର ରହିବ ବୋଲି ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ସୂଚନା ଦେଇଛନ୍ତି ।


