ଜିଲ୍ଲାରେ କରୋନା ମୁକାବିଲା ନେଇ ଜିଲ୍ଲା ପ୍ରଶାସନ ବିଫଳ: ଭାରତୀୟ ଜନତା ପାର୍ଟି
ଛତ୍ରପୁର, (ୱାଇଏନ୍ଏସ୍): ଗଂଜାମ ଜିଲ୍ଲା ପ୍ରଶାସନ କରୋନା ମୁକାବିଲାରେ ବିଫଳ ହୋଇଛନ୍ତି ବୋଲି ଶୁକ୍ରବାର ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ ହୋଇଛି । ଭାରତ ସରକାର କରୋନା ମହାମାରୀ ନିମନ୍ତେ ବିଭିନ୍ନ ପଦକ୍ଷେପ ନେଇଥିବା ସହ ଗରିବ ଅସହାୟ ଲୋକଙ୍କ ନିମନ୍ତେ ସହାୟତା ପ୍ରଦାନ କରିଛନ୍ତି । କିନ୍ତୁ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନ କରୋନା ମହାମାରୀ ରୋକିବାରେ ବିଫଳ ହେବା ସହ ଲୋକଙ୍କ ହିତ ନିମନ୍ତେ କୌଣସି କାର୍ଯ୍ୟ କରୁନାହାନ୍ତି । ଯାହା ଫଳରେ ଜିଲ୍ଲାରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଖାଲି ପ୍ରଚାର ଚାଲିଛି ସିନା କୌଣସି କାର୍ଯ୍ୟ କାର୍ଯ୍ୟକାରୀ ହେଉନାହିଁ । ଲୋକଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ପ୍ରଶାସନ ବିଭିନ୍ନ ସମୟରେ ଳକ୍ ଡାଉନ୍ ସଟ୍ ଡାଉନ୍ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ସେମାନେ ଅଭିଯୋଗ କରିଛନ୍ତି । ଲକ୍ ଡାଉନ୍ ଯୋଗୁଁ କ୍ଷୁଦ୍ର ବ୍ୟବସାୟୀ, ଉଠାଦୋକାନୀ, ଅଟୋ ଚାଳକ, ରିକ୍ସା ଚାଳକ, ଟେଂନଟ୍ ହାଉସ୍, ଲାଇଟ୍ ଏଣ୍ଡ୍ ସାଉଂଡ୍ ଠାରୁ ଆରମ୍ଭ କରି ବହୁ ମଧ୍ୟବର୍ତି ବେପାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ସହ ସେମାନଙ୍କ ପରିବାର ଚଳାଇବା ନିମନ୍ତେ ସେମାନଙ୍କ ପକ୍ଷରେ କଷ୍ଟସାଧ୍ୟ ହେଉଛି । ରାଜ୍ୟ ସରକାର ଖାଲି ରାସନକାର୍ଡ ହିତାଧିକାରୀମାନଙ୍କୁ ଖାଦ୍ୟ ସାମଗ୍ରୀ ପ୍ରଦାନ କରୁଥିଲେ ମଧ୍ୟ ରାସନକାର୍ଡ଼ରୁ ବାଦ୍ ପଡ଼ିଥିବା ଅସହାୟ ଗରିବ ଲୋକମାନଙ୍କ ପ୍ରତି ଏପର୍ଯ୍ୟନ୍ତ କୌଣସି ସହାୟତା ପ୍ରଦାନ କରାଯାଉନାହିଁ । ଜିଲ୍ଲାରେ ୭ଶହରୁ ଉର୍ଦ୍ଧ୍ୱ କୋଭିଡ୍ ଯୋଦ୍ଧା ଆକ୍ରାନ୍ତ ହେବା ସହ ୫ହଜାରରୁ ଉର୍ଦ୍ଧ୍ୱ ଲୋକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ୫୦ଜଣ ମୃତ୍ୟୁବରଣ କରିଲେଣି । ଜିଲ୍ଲାରେ ମୃତ୍ୟୁବରଣ କରିଥିବା ସାମ୍ବାଦିକଙ୍କୁ କୋଭିଡ୍ ଯୋଦ୍ଧା ବୋଲି ଘୋଷଣା କରୁନାହାନ୍ତି । ଜିଲ୍ଲାରେ କାଗଜ କଲମରେ ସମସ୍ତ କାର୍ଯ୍ୟ ଚାଲୁଛି ବୋଲି କୁହା ଯାଉଛି । ସାମାନ୍ୟ ଜ୍ୱର ଖାସ ହେଲେ ସେମାନଙ୍କୁ ପଜିଟିଭ୍ ହୋଇଛି ବୋଲି ନେଇ ପୁଣି ୪/୫ ଦିନରେ ସୁସ୍ଥ ହେଲା ବୋଲି ଘରକୁ ଛାଡ଼ି ଦେଉଛନ୍ତି । ସେମାନଙ୍କୁ ପଜିଟିଭ୍ ରିପୋର୍ଟ ଦିଆଯାଉନାହିଁ କି ସୁସ୍ଥ ହେଲା ପରେ ନେଗେଟିଭ ରିପୋର୍ଟ ପ୍ରଦାନ କରାଯାଉନାହିଁ । ଜିଲ୍ଲାରେ କରୋନା ମୁକାବିଲା ନେଇ ଜିଲ୍ଲାର ବୁଦ୍ଧିଜୀବୀ, ସ୍ୱେଚ୍ଛାସେବୀ ଓ ସମସ୍ତ ଦଳର ରାଜନେତା ମାନଙ୍କୁ ଡ଼ାକି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଲୋଚନା ନକରାଯାଇ ନିଜେ ନିଜେ ସମସ୍ତ କାର୍ଯ୍ୟ ହିଟଲର ଶାସନ ଭରି କରିଚାଲିଛନ୍ତି । ଯେଉଁ ରାଜନୈତିକ ବ୍ୟକ୍ତି ମାନେ ବା ସାମାଜିକ କର୍ମୀ ମାନେ ଲୋକଙ୍କ ନିମନ୍ତେ ସହାୟତା ପ୍ରଦାନ କରିବା ନିମନ୍ତେ ଆଗକୁ ଆସୁଥିବା ବେଳେ ସେମାନଙ୍କୁ ରୋକାଯାଉଛି ଓ ସେମାନଙ୍କୁ ବିଭିନ୍ନ ଚେକିଂ ଆଳରେ ଛଡ଼ାଯାଉନାହିଁ । ଛତ୍ରପୁର ନିର୍ବାଚନ ମଣ୍ଡଳୀର ଭାରତୀୟ ଜନତା ପାର୍ଟି ପକ୍ଷରୁ ନିର୍ବାଚନ ମଣ୍ଡଳୀର ଗରିବ ଅସହାୟ ମାନଙ୍କୁ ସୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ଆହୁରି ଲୋକଙ୍କ ସୁବିଧା ନିମନ୍ତେ ପ୍ରଦାନ କରିବାକୁ ଥିଲେ ମଧ୍ୟ ଦଳର କର୍ମୀମାନଙ୍କୁ ଛଡ଼ାଯାଉନାହିଁ । ଜିଲ୍ଲାରେ ମଦ ମାଫିଆ ମାନଙ୍କୁ ପାସ୍ ପ୍ରଦାନ କରାଯାଉଥିଲେ ସୁଦ୍ଧା ଯେଉଁ ମାନେ ଲୋକଙ୍କ ସହାୟତା କରୁଛନ୍ତି ସେମାନଙ୍କୁ ଏପର୍ଯ୍ୟନ୍ତ ପାସ୍ ପ୍ରଦାନ କରାଯାଉନାହିଁ । ଜିଲ୍ଲାରେ କୋଭିଡ୍ କେୟାର ହସପିଟାଲ ଓ କେୟାର ହୋମ୍ ଗୁଡ଼ିକରେ ଖାଦ୍ୟ ସାମଗ୍ରୀ ସଠିକ୍ ଭାବେ ମିଳୁନଥିବା ବିଭିନ୍ନ ଫେସ୍ ବୁକ୍ ଓ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହେଲେ ସୁଦ୍ଧା ଜିଲ୍ଲା ପ୍ରଶାସନ ଏଥି ପ୍ରତି ଗୁରୁତ୍ୱ ଦେଉନାହିଁ । ଜିଲ୍ଲାର ମେଡିକଲାର ଓପିଡି ବନ୍ଦ ଗୁଡିକ ହୋଇଥିବାରୁ ଲୋକ ମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ହନ୍ତସନ୍ତ ହେଉଛନ୍ତି । ଛତ୍ରପୁର ନିର୍ବାଚନ ମଣ୍ଡଳୀରେ କରୋନା ଆକ୍ରାନ୍ତ ହୋଇଥିବା ଅଂଚଳ ଗୁଡ଼ିକ ନିଷିଦ୍ଧାଂଚଳ ଘୋଷଣା କରୁଥିଲେ ସୁଦ୍ଧା ସେହି ଅଂଚଳ ଗୁଡ଼ିକୁ ବ୍ୟାପକ ଭାବେ ବିଶୋଧନ କରାଯାଉନାହିଁ । ଜିଲ୍ଲା ପ୍ରଶାସନ ସ୍କେନିଂ କରୁଛୁ ବୋଲି ବାଃ ବାଃ ନେଉଥିବା ବେଳେ ତାହା ଗ୍ରାମାଂଚଳ ଗୁଡ଼ିକରେ ଠିକ୍ ଭାବେ ପରିଚାଳନା ହେଉନାହିଁ ବୋଲି ଭାରତୀୟ ଜନତା ପାର୍ଟି ପକ୍ଷରୁ ଅଭିଯୋଗ କରାଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଜନତା ପାର୍ଟିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କୁମାର କର, ଛତ୍ରପୁର ବିଜେପି ମଣ୍ଡଳ ସଭାପତି ସଂଜିତ୍ କୁମାର ରାଉଳ(ସନ୍ତ) , ସାଧାରଣ ସମ୍ପାଦକ ଅମରେଶ କୁମାର ମହାରଣା ( ଚିଂଟୁ) ଓ ଡି. ସୁରେଶ ରେଡ୍ଡି, କଣମଣା ମଣ୍ଡଳ ସଭାପତି ପଦ୍ମଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।


