ଗଞ୍ଜାମ ରେ କୋରନା ଗ୍ରାହକ ତଳମୁହାଁ
ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ): ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ପଜିଟିଭ୍ ସଂଖ୍ୟା କମିବାରେ ଲାଗିଛି । ଲୋକେ ସଚେତନ ହେବା ସହିତ ପ୍ରଶାସନର ସଠିକ୍ ପଦକ୍ଷେପ ଯୋଗୁଁ ଏହା ସମ୍ଭବ ହୋଇଛି। କରୋନା ରୋଗୀଙ୍କୁ ସୁସ୍ଥ କରିବା ପାଇଁ ଏବେ ପ୍ଲାଜ୍ମା ମଧ୍ୟ ଦିଆଯାଉଛି । ବ୍ରହ୍ମପୁର ଏମ୍କେସିଜି ବଡ଼ ଡାକ୍ତରଖାନାରେ ପ୍ଲାଜ୍ମା ବ୍ୟାଙ୍କ ଆରମ୍ଭ ହେବା ପରେ ଅଧିକରୁ ଅଧିକ ରୋଗୀ ଉପକୃତ ହୋଇପାରୁଛନ୍ତି । ବଡ଼ ଡାକ୍ତରଖାନା ରକ୍ତଭଣ୍ଡାର ପରିସରରେ ଆରମ୍ଭ ହୋଇଥିବା ପ୍ଲାଜ୍ମା ବ୍ୟାଙ୍କ ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ମାସକ ମଧ୍ୟରେ ବ୍ୟାଙ୍କରେ ୧୦୨ ୟୁନିଟ୍ ପ୍ଲାଜ୍ମା ସଂଗ୍ରହ କରାଯାଇଥିବା ଗଞ୍ଜାମ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଗତ ୫ତାରିଖ ଦିନ ଏମ୍କେସିଜି ବଡ଼ ଡାକ୍ତରଖାନାରେ ପ୍ଲାଜ୍ମା ବ୍ୟାଙ୍କ ଉଦ୍ଘାଟନ କରିଥିଲେ । ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ପ୍ଲାଜ୍ମା ଦାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ । ସେହି ଆହ୍ବାନ କ୍ରମେ କରୋନାରୁ ସୁସ୍ଥ ହୋଇଥିବା ବହୁ ବ୍ୟକ୍ତି ସ୍ବେଚ୍ଛାକୃତ ଭାବେ ପ୍ଲାଜ୍ମା ଦାନ ପାଇଁ ଆଗେଇ ଆସିଥିଲେ। ପ୍ରଶାସନ ତରଫରୁ ଅଦ୍ୟାବଧି ମୋଟ ୪୯୨ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ଯେଉଁମାନେ କି ରୋଗୀଙ୍କ ଜୀବନ ରକ୍ଷା ପାଇଁ ପ୍ଲାଜ୍ମା ଦାନ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ବର୍ତ୍ତମାନ ମୋଟ ୯୭ଜଣ କରୋନା ପଜିଟିଭ୍ ରୋଗୀଙ୍କୁ ପ୍ଲାଜ୍ମା ଥେରାପି ଦିଆଯାଇଛି । ତନ୍ମଧ୍ୟରୁ ୨୦ଜଣ ସୁସ୍ଥ ହେଲେଣି । କରୋନାରୁ ସୁସ୍ଥ ହେଉଥିବା ଲୋକମାନେ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ସ୍ବଇଚ୍ଛାରେ ପ୍ଲାଜ୍ମା ଦାନ ପାଇଁ ଆଗେଇ ଆସନ୍ତୁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଆହ୍ବାନ କରାଯାଇଛି ।