ଗଣତନ୍ତ୍ରର ସୁରକ୍ଷା ଦାବିରେ ଜିଲା କଂଗ୍ରେସର ଧାରଣା
ବାଲେଶ୍ୱର, (ସରୋଜ ପଣ୍ଡା):ନରେନ୍ଦ୍ର ମୋଦିଙ୍କ ସରକାରରେ ଦେଶର ଗଣତନ୍ତ୍ର ବ୍ୟବସ୍ଥା ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ସଭାପତି ସଂଜୀବ ଗିରିଙ୍କ ନେତୃତ୍ୱରେ ଦଳୀୟ କର୍ମକର୍ତ୍ତା ଓ ସଦସ୍ୟମାନେ ସହରର ସହିଦ ପାର୍କ ସ୍ଥିତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ସମ୍ମୁଖରେ ରବିବାର ଧାରଣା ଦେଇଥିଲେ । ଜିଲା ସଭାପତି ଶ୍ରୀ ଗିରି ନରେନ୍ଦ୍ର ମୋଦିଙ୍କ ଶାସନାଧୀନ କେନ୍ଦ୍ର ସରକାରଙ୍କ ଜୁଲମ ଓ ଗରିବ ମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲେ । ଅଦାନୀଙ୍କ କମ୍ପାନୀରେ ବିଜେପିର କେଉଁ ନେତା ୨୦ ହଜାର କୋଟି ଟଙ୍କାର ପୁଞ୍ଜି ବିନିଯୋଗ କରିଛନ୍ତି ଓ କେଉଁ ଚାଇନିଜ କମ୍ପାନୀ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନରେ ଅର୍ଥ ବିନିଯୋଗ କରିଛନ୍ତି ତା’ର ହିସାବ ମୋଦି ସରକାର ସଂସଦରେ ଉପସ୍ଥାପନ କରନ୍ତୁ । ଏ ସବୁ ପ୍ରଶ୍ନ ରାହୁଳ ଗାନ୍ଧୀ ଉଠାଇଥିବାରୁ ତାଙ୍କୁ ବାରମ୍ବାର ଅଡୁଆରେ ପକାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟମ କରୁଛନ୍ତି ବୋଲି ଧାରଣାରତ କଂଗ୍ରେସ ନେତାମାନେ ମତ ପ୍ରକାଶ କରିଥିଲେ । ଆଗାମୀ ଦିନରେ ଦେଶବାସୀ ଏହାର ଉଚିତ ଜବାବ ଦେବେ ବୋଲି ସେମାନେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଆଜିର ଏହି ଗଣଧାରଣାରେ ପିସିସି ସମ୍ପାଦକ ଅର୍ଚ୍ଚନା ନନ୍ଦୀ, ଜିଲା କଂଗ୍ରେସ ଉପ-ସଭାପତି କୃଷ୍ଣ ଗୋପଳ ପଣ୍ଡା ଓ ଗୋପୀନାଥ ପଢ଼ୀ, ସଦର ବ୍ଲକ କଂଗ୍ରେସ ସଭାପତି ଜୟକୃଷ୍ଣ ବେହେରା, ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ଛାତ୍ର ସଭାପତି ଗୌତମ ସାହୁ, ଯୁବ ନେତା ସରୋଜ ଲେଙ୍କା, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଦେବଦତ୍ତ ଦାସ, ପ୍ରତିମା ପଣ୍ଡା, ସ୍ମାରକ ଦାଶ, ଜୀନ ମହାପାତ୍ର, ଜଗବନ୍ଧୁ ଜେନା, ଆଲୋକ ମାଝୀ, ବିନିତା ସାହୁ, ନବ ପ୍ରସାଦ ଭୂୟାଁ ପ୍ରମୁଖ ସାମିଲ ହୋଇଥିଲେ । ଆସନ୍ତାକାଲି ଅର୍ଥାତ୨୭ ତାରିଖରେ ଜିଲା କଂଗ୍ରେସ କମିଟି ପକ୍ଷରୁ ସହରରେ ଏକ ବିଶାଳ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି ।