ଗଣତନ୍ତ୍ର ରାଷ୍ଟ୍ରରେ ନାରୀଶିକ୍ଷା:କେତେ ସ୍ୱପ୍ନ କେତେ ବାସ୍ତବ
ଅଧ୍ୟାପକ ଶ୍ରୀ ସୌଭାଗ୍ୟ ରଞ୍ଜନ ମହାପାତ୍ର
ଟିଟିଲାଗଡ ବଲାଙ୍ଗୀର
ଯୁଗେ ଯୁଗେ ନାରୀ ପୁରୁଷର ଅନୁଗାମିନୀ, ସହଯାତ୍ରିଣୀ, ସହକର୍ମିଣୀ, ବାନ୍ଧବୀ ଓ ସହଧର୍ମିଣୀ ଆଖ୍ୟା ପାଇଛି। ଜୀବନର ପ୍ରତ୍ୟେକ କର୍ମକାଣ୍ଡରେ ସେ ପୁରୁଷ ସହ ଜଡିତ। ନାରୀ ସହଚର୍ଯ୍ୟରେ ପୁରୁଷର ଜୀବନ ହୁଏ ମଧୁମୟ ଓ ସୁନ୍ଦର। କିନ୍ତୁ ଯେଉଁଠି ନାରୀ ଅତ୍ୟାଚରିତା, ଅବହେଳିତ ଓ ଅପମାନିତା ସେଠି ଶାନ୍ତି ଓ ପ୍ରଗତିର ସ୍ବପ୍ନ ଦେଖିବା ସୁଦୂର ପରାହତ। ନାରୀ କେବଳ ଭୋଗ୍ୟର ବସ୍ତୁ କି ସନ୍ତାନ ଜନ୍ମ କରିବା ମେସିନ ନୁହଁ । ନାରୀର ସ୍ଥାନ ବହୁତ ଉଚ୍ଚରେ । ସମାଜରେ ତେଣୁ ନାରୀର ଆବଶ୍ୟକତା ବହୁ ଗୁଣରେ । ଆମ ଦେଶ ଉନ୍ନତି କରିନି କାରଣ ଆମେ ଜୀବନ୍ତ ଶକ୍ତିପ୍ରତିମାକୁ ପୂଜା କରିବା ଶିଖିନୁ। ଯଥାର୍ଥରେ ମନୁ କହିଛନ୍ତି-
“ଯତ୍ର ନାର୍ଯ୍ୟସ୍ତୁ ପୂଜ୍ୟନ୍ତେ ରମନ୍ତେ ତତ୍ର ଦେବତା”
ଅର୍ଥାତ୍ ଯେଉଁଠାରେ ନାରୀ ଜାତିର ପୂଜା କରାଯାଏ ସେଠାରେ ଦେବତା ବିହାର କରନ୍ତି। ନାରୀର ମର୍ଯ୍ୟାଦାକୁ ସ୍ବୀକାର କରି କେଉଁ ବୈଦିକ ଯୁଗରୁ ଭାରତରେ ଏହି ବାଣୀଟି ପ୍ରଚଳିତ ହୋଇ ଆସିଛି। ଭାରତରେ ନାରୀ ଶିକ୍ଷାର ଇତିହାସ ସୁପ୍ରାଚୀନ। ବୈଦିକ ଯୁଗରେ ନାରୀମାନେ ଉପନୟନ ଉତ୍ସବରେ ପବିତ୍ର ଉପବୀତ ଧାରଣ କରି ବ୍ରହ୍ମଚର୍ଯ୍ୟ ଅବଲମ୍ବନ ପୂର୍ବକ ବେଦ, ବେଦାନ୍ତ ଓ ଶାସ୍ତ୍ର ପୁରାଣ ଆଦି ପାଠ କରୁଥିଲେ। ଭବଭୂତିଙ୍କ ରଚିତ “ଉତ୍ତର ରାମଚରିତ”ରେ ଅତ୍ରେୟୀ ବାଲ୍ମୀକି ଆଶ୍ରମରେ ବେଦାନ୍ତ ଅଧ୍ୟୟନ କରିବା, “ବୃହଦାରଣ୍ୟକ” ଉପନିଷଦ ଅନୁଯାୟୀ ଜନକଙ୍କ ରାଜସଭାରେ ଗାର୍ଗୀଙ୍କ ପ୍ରଶ୍ନବାଣରେ ମହର୍ଷି ଯାଜ୍ଞବଳକ୍ୟ ଉତ୍ତର ଦେଇ ନପାରିବା,ତଥା ନିଜ ପତ୍ନୀ ମୈତ୍ରେୟୀଙ୍କ ଜ୍ଞାନ ଆଗରେ ମଧ୍ୟ ପରାଜୟ ସ୍ବୀକାର କରିବା ଆଜିବି ଉଜ୍ଜିବିତ ହୋଇ ରହିଛି।ସେହିପରି ଗଣିତ ଶାସ୍ତ୍ର ବିଶାରଦ ଲୀଳାବତୀ ଖନା, ଆପଲା, ଯମୀ, ଦେବହୂତି, ଭାନୁମତୀ ଓ ପ୍ରବୀଣାବାଇ ପ୍ରଭୃତି ମହୀୟସୀ ନାରୀମାନେ ନିଜର ଜ୍ଞାନ ପାଇଁ ଯୁଗେ ଯୁଗେ ଅମର ହୋଇ ରହିଛନ୍ତି।ସଂସାର ରୂପକ ରଥରେ ନାରୀ ଓ ପୁରୁଷ ଉଭୟ ଦୁଇଟି ଚକ ସଦୃଶ୍ୟ। ଉଭୟେ ଉଭୟଙ୍କର ପରିପୁରକ। ଗୋଟିକ ର ବ୍ୟତିରେକେ ଅନ୍ୟଟି ଅଚଳ ପ୍ରାୟ ବା ଗୋଟିଏ ଦୁର୍ବଳ ହେଲେ ଅନ୍ୟ ଉପରେ ବିଶେଷ ମାଡ଼ ପଡିଥାଏ। ତେଣୁ ଈଶ୍ୱର ସଂସାରକୁ ସୁନ୍ଦର ଓ ସୁଗଠିତ କରିବା ପାଇଁ ନାରୀ ଓ ପୁରୁଷ ଉଭୟ ସୃଷ୍ଟି କରିଛନ୍ତି। ଆଉ ସେଥିପାଇଁ ବୋଧେ ପୃଥିବୀର ପ୍ରଥମ ପୁରୁଷ ମନୁ ଓ ପ୍ରଥମ ନାରୀ ଶତରୂପାଙ୍କ କଥା ବର୍ଣ୍ଣିତ ଅଛି।
କିନ୍ତୁ ମଧ୍ୟଯୁଗରେ ଏହି ନାରୀ ସ୍ବାଧିନତାର ଚରମ ଦୁର୍ଗତି ଘଟିଥିଲା। ମୁସଲମାନ ଶାସନ କାଳରେ ପରଦା ପ୍ରଥାର ପ୍ରଚଳନ ଦ୍ବାରା ନାରୀକୁ ଗୃହ ବନ୍ଦିନୀ କରି ତା’ର ସମସ୍ତ ସ୍ବାଧୀନତା ଓ ସ୍ଵତନ୍ତ୍ରତାକୁ ରସାତଳଗାମୀ କରାଯାଇଥିଲା। ଉନବିଂଶ ଶତାବ୍ଦୀର ନବଜାଗରଣ ପ୍ରକ୍ରିୟାରେ ଇଂରେଜ ମିଶନାରୀମାନେ ନାରୀ ଶିକ୍ଷାର ପ୍ରସାର ନିମନ୍ତେ ଉଦ୍ୟମ କରିଥିଲେ ମଧ୍ୟ ଜନ ସହଯୋଗ ଅଭାବରୁ ତାହା ସଫଳ ହୋଇ ପାରିନଥିଲା। ଏହାର ପରବର୍ତ୍ତୀ ସମୟରେ ରାଜା ରାମମୋହନ ରାୟ,ଈଶ୍ବର ଚନ୍ଦ୍ର ବିଦ୍ୟାସାଗର, ମଧୁସୂଦନ ରାଓ ଏବଂ ବିଶ୍ୱନାଥ କରଙ୍କ ଭଳି ମହାନାୟକମାନେ ନାରୀ ଶିକ୍ଷାର ପ୍ରଚାର ଓ ପ୍ରଚାର କରି ଆଦର୍ଶ ସୃଷ୍ଟି କରିପାରିଛନ୍ତି।୧୮୫୭ ପରେ ଭାରତ ଶାସନ ଭାର ଇଷ୍ଟ ଇଣ୍ଡିଆ କମ୍ପାନୀ ଅଧିନକୁ ଯିବା ପରେ ନାରୀ ଶିକ୍ଷାର ଅଗ୍ରଗତି ହୋଇଥିଲା। ଏହାର ଫଳ ସ୍ବରୂପ ଉନବିଂଶ ଶତାବ୍ଦୀର ଶେଷ ବେଳକୁ ମହିଳାମାନଙ୍କୁ ଡାକ୍ତରୀ ଶିକ୍ଷା ଦେବା ପାଇଁ “ଲେଡି ଡଫରିନ୍ ଫଣ୍ଡ” ନାମକ ପାଣ୍ଠି ସୃଷ୍ଟି କରାଯାଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀ ମଧ୍ୟ ନାରୀ ଶିକ୍ଷା, ପ୍ରଗତି ଓ କଲ୍ୟାଣ ଉପରେ ଧ୍ୟାନ ଦେଇଥିଲେ। ସ୍ବାଧୀନତା ପ୍ରାପ୍ତି ପରେ ସମ୍ବିଧାନରେ ନାରୀ ଓ ପୁରୁଷମାନଙ୍କୁ ସମାନତା ଦିଆଯିବା ପରେ ୧୯୫୯ରେ ଶ୍ରୀମତି ଦୁର୍ଗାବାଈ ଦେଶମୁଖଙ୍କ ଅଧ୍ୟକ୍ଷତାରେ ନାରୀ ଶିକ୍ଷା ପାଇଁ ଜାତୀୟ କାଉନସିଲ ଗଠନ କରାଯାଇଥିଲା।
ଓଡ଼ିଶାରେ ନାରୀ ଶିକ୍ଷା ପ୍ରସାରରେ ଶୈଳବାଳାଙ୍କ ମୁଖ୍ୟ ଭୂମିକା ଥିଲା। ୧୯୦୭ରେ ସେ ଇଂଲଣ୍ଡରୁ ପ୍ରଶିକ୍ଷଣ ସମାପ୍ତ କରି ଫେରିବା ପରେ ନାରୀ ଶିକ୍ଷାର ପ୍ରସାର ପାଇଁ ଉଦ୍ୟମ ଆରମ୍ଭ କରିଥିଲେ। ୧୯୦୮ ଫେବୃଆରୀ ୮ରେ ସେ ରେଭେନ୍ସା ବାଳିକା ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟରେ ପରିଣତ କଲେ। ୧୯୧୩ରେ ତାଙ୍କ ଉଦ୍ୟମରେ ରେଭେନ୍ସା ବାଳିକା ବିଦ୍ୟାଳୟ ପରିସରରେ ଆନ୍ତମାଧ୍ୟମିକ ଶ୍ରେଣୀର ପାଠପଢ଼ା ଆରମ୍ଭ ହୋଇଥିଲା। ଏଇଠୁ ହିଁ ରାଜ୍ୟର ପ୍ରଥମ ମହିଳା କଲେଜ ଶୈଳବାଳା ମହିଳା ମହାବିଦ୍ୟାଳୟର ଭିତ୍ତିଭୂମି ପଡ଼ିଥିଲା। ୧୯୫୨ ମସିହା ଅପ୍ରେଲ ୨୮ରେ ଶୈଳବାଳା ମହିଳା କଲେଜର ନୂତନ ଗୃହ ଉଦ୍ଘାଟିତ ହୋଇ ମଧୁବାବୁଙ୍କ ସ୍ମୃତିରେ ଏହାର ନାମ “ମଧୁସୂଦନ ମହିଳା ମହାବିଦ୍ୟାଳୟ” ରଖିବାକୁ ଶୈଳବାଳା ପ୍ରସ୍ତାବ ଦେଇଥିଲେ। ମାତ୍ର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ ନାରୀ ଶିକ୍ଷାରେ ଶୈଳବାଳାଙ୍କ ବିଶେଷ ଅବଦାନ ପାଇଁ ଏହାର ନାମ “ ଶୈଳବାଳା ମହିଳା ମହାବିଦ୍ୟାଳୟ” ରଖିଥିଲେ।ସେହିପରି ମୁସଲମାନ ସମ୍ପ୍ରଦାୟରେ ନାରୀ ଶିକ୍ଷାର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ନିକଟ ଅତୀତରେ ମଲାଲା ୟୁସୁଫଜାଇଙ୍କ ସଂଘର୍ଷ ଓ ଉଲ୍ଲେଖନୀୟ ଅବଦାନ ପାଇଁ ମାତ୍ର ୧୪ ବର୍ଷ ବୟସରେ ପାକିସ୍ତାନ ସରକାରଙ୍କ ପକ୍ଷରୁ ଯୁବ ଶାନ୍ତି ପୁରସ୍କାର, ୟୁନିସେଫ ଦ୍ୱାରା ଆର୍ନ୍ତଜାତିକ ଶିଶୁ ଶାନ୍ତି ପୁରସ୍କାର ଏବଂ ୨୦୧୪ରେ ମଲାଲାଙ୍କୁ ସର୍ବକନିଷ୍ଠ ଭାବେ ନୋବେଲ ଶାନ୍ତି ପୁରସ୍କାରରେ ସମ୍ମାନିତ କରାଯାଇଥିଲା।
“ଶିକ୍ଷା” ଶବ୍ଦଟିର ପରିଭାଷା ଗୋଟିଏ ବାକ୍ୟରେ ପ୍ରକାଶ କରିବା ଅସମ୍ଭବ। ଶିକ୍ଷିତ ହେବାର ଅର୍ଥ କେବଳ କୌଣସି ଅନୁଷ୍ଠାନରେ ଶିକ୍ଷାଗ୍ରହଣ କରିବାରେ ସୀମିତ ନୁହେଁ । ‘ଶିକ୍ଷିତ’ ଓ ‘ମୂଢ’ ର ବିଚାର କେବଳ ବିଦ୍ୟାଳୟ ଯିବା ବା ନଯିବା ଉପରେ ନିର୍ଭର କରେନାହିଁ। ଯଦି ଆମେ ‘ନାରୀ ଶିକ୍ଷା’ କଥା କହିବା, ନାରୀଟି ସବୁବେଳେ ଶିକ୍ଷିତ । ଅବଧୂତ ଯେପରି ପ୍ରକୃତିର ବିଭିନ୍ନ ଉତ୍ସରୁ ଚବିଶଟି ଗୁରୁଙ୍କୁ ଗ୍ରହଣ କରିଥିଲେ, ନାରୀଟିଏ ମଧ୍ୟ ନିଜ ପାରିପାର୍ଶ୍ଵିକ ସ୍ଥିତିରୁ ହିଁ ଜୀବନର ମୌଳିକ ଶିକ୍ଷା ଆହରଣ କରେ । କେବେ ଚାଟଶାଳୀ ମାଟି ମାଡିନ ଥିବା ଗୃହିଣୀ ଟିଏ, ନିଜ ଘରର ଆୟ-ବ୍ୟୟର ହିସାବ ରଖେ, ରୋଷେଇରେ ତେଲ- ମସଲାର ସନ୍ତୁଳନ ରଖେ,ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଏ ଓ ସର୍ବ ପରି ପିଲାମାନଙ୍କୁ ସଂସ୍କାର ଶିକ୍ଷାଦେଇ ଭଦ୍ର ଓ ମାର୍ଜିତ କରେ । ଯେତେବେଳେ ଆମେ କହୁ ମାଆ ହିଁ ଶିଶୁର ପ୍ରଥମ ଗୁରୁ, ସେତେବେଳେ ଆମେ ଚିନ୍ତା କରୁନା ଯେ ମାଆ କୌଣସି ଆନୁଷ୍ଠାନିକ ଶିକ୍ଷା ଗ୍ରହଣ କରିଛି ନା ନାହିଁ। ଜୀବନରେ ମାଆଠାରୁ ଭଲ ଗୁରୁ କେହି ହୋଇପାରେନା।ଏକ ନାରୀ ହିଁ ସୃଷ୍ଟି। ନାରୀ କାଳେ କାଳେ କରି ଆସିଛି ନିଜ ଶ୍ରେଷ୍ଠତ୍ଵ ର ପ୍ରତିପାଦନ। ପୌରଣିକ ଯୁଗର ମାତା ସୀତା ହୁଅନ୍ତୁ କି ଏବେ ର ବିଜ୍ଞାନ ଯୁଗ ର ନାରୀ ପ୍ରତି ଟି କ୍ଷେତ୍ର ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରିପାରିଛନ୍ତି। ଘରର ଚାରି କାନ୍ଥ ରୁ ବାହାରି ସମାଜ ର ପ୍ରତିଟି କ୍ଷେତ୍ର ରେ ନିଜକୁ ସାବ୍ୟସ୍ତ କରି ପରିଛନ୍ତି। ସେ ନିଜ ସନ୍ତାନ ପାଇଁ ସର୍ବଂସହା ମାଆ ହୋଇ ପାରେ ତ କର୍ମ କ୍ଷେତ୍ର ରେ ସାଜିପାରେ ତ୍ରାଣ କର୍ତ୍ତୀ। ସେ ସାଜି ପାରେ ମହାକାଶ ଅଭିଯାନ ର ମୁଖ୍ୟ ,ଜଣେ ରାଷ୍ଟ୍ର ମୁଖ୍ୟ ସମଗ୍ର ଦେଶ ର ଅର୍ଥନୀତି କୁ ନିର୍ଦ୍ଧାରଣ କରୁଥିବା ଅର୍ଥ ମନ୍ତ୍ରୀ,ସେ ହୋଇ ପାରେ ପ୍ରଧାନ ମନ୍ତ୍ରୀ ,ବହୁରାଷ୍ଟ୍ରୀୟ କମ୍ପାନୀର ମୁଖ୍ୟ ସେନା ର କମାଣ୍ଡର, ସୁରର ମୁକୁଟ ବିହୀନ ମହାରାଣୀ ତ ପୁଣି ଦେଶର ଟେକ ରଖୁଥିବା ଜଣେ ଜଣେ ମହାନ ଖେଳାଳି।
ଏଇ କିଛି ବର୍ଷ ଭିତରେ ନାରୀମାନେ ଉଚ୍ଚ ଶିକ୍ଷା ଦିଗରେ ଅନେକ ଅଗ୍ରସର ହେଲେଣି। ଏପରି କୌଣସି କ୍ଷେତ୍ର ନାହିଁ, ଯେଉଁଠି ସେମାନେ ନିଜର ଦକ୍ଷତା ପ୍ରତିପାଦନ କରି ନାହାନ୍ତି। ଏ ବିଷୟରେ ଅନେକ ତର୍କ ବିତର୍କ, ଆଲୋଚନା ମାନ ହୋଇସାରିଛି ଏବଂ ହେଉଛି ମଧ୍ୟ। ନବଜାଗରଣର ପ୍ରଭାବ ଅନେକ ବର୍ଷ ଯାଏ ଆମ ସମାଜରେ ପଡି ନଥିଲା। ଆଜିଠାରୁ ପଚାଶବର୍ଷ ତଳେ, ଝିଅ ଟିଏ ଯେବେ ବିଭା ହୋଇ ଶାଶୁ ଘରକୁ ଆସୁଥିଲା, ତା ମନରେ ଗଣ୍ଠି ବାନ୍ଧି ଆସୁଥିଲା, ଯେ ସେଘରୁ ତା’ କୋକେଇ ହିଁ ବାହାରିବ। ଅର୍ଥାତ୍ ଯେତେ ଦୁଃଖକଷ୍ଟ, ଝଡ଼ଝଞ୍ଜା ଆସିଲେ ମଧ୍ୟ ସେ ଘରର ଚଉକାଠ ଡେଇଁବା କଥା ଚିନ୍ତା ସୁଦ୍ଧା କରୁ ନ ଥିଲା। ସବୁ ସମସ୍ୟା ଆଗରେ ମୁଣ୍ଡ ପାତି ଦେଉଥିଲା। କାରଣ ଛୋଟବେଳୁ ହିଁ ତାକୁ ଶିକ୍ଷା ଦିଆଯାଇଥିଲା ଯେ ନାରୀ ହେଉଛି ସର୍ବଂସହା, ତ୍ୟାଗର ମୂର୍ତ୍ତୀ ।
ଆଜିଠାରୁ ତିରିଶ ବର୍ଷ ତଳ କଥା ବିଚାର କଲେ ଦେଖିବା, ନବଜାଗରଣର କିଛି କିଛି ପ୍ରଭାବ ପଡିସାରିଥିଲା। ଝିଅ ମାନେ ବିବାହ ପୂର୍ବରୁ ପ୍ରାୟ ହାଇସ୍କୁଲ ଶିକ୍ଷା ସମାପ୍ତ କରିପାରୁଥିଲେ। ( ଯଦିଓ ଅନେକ ପଛୁଆ ଅଞ୍ଚଳରେ ଆଜି ବି ଝିଅ ପିଲା ମାନେ ପାଠପଢାରୁ ବଞ୍ଚିତ ) ସେମାନେ ନିଜ ପୂର୍ବପିଢି ତୁଳନାରେ ପାରିବାରିକ ଓ ସାମାଜିକ କ୍ଷେତ୍ରରେ ଅଧିକ ସାମର୍ଥ୍ୟ ପ୍ରଦର୍ଶନ କଲେ । ଅନେକ ମହିଳା ଆର୍ଥିକ ରୂପେ ସ୍ୱାବଲମ୍ବୀ ହୋଇ ପାରିଲେ । ସେମାନେ ଅଧିକ ସୁଚାରୁ ରୂପେ ପରିବାରର ଯତ୍ନ ନେଲେ। ତଥାପି ଦି ପିଢିଙ୍କ ଭିତରେ ଏକ ସାମଞ୍ଜସ୍ୟ ରହିଲା, ତାହାହେଲା ସହନଶୀଳତା ଗୁଣ । ଏବେ ଆମ ସମୟକୁ ଆସିବା। ବର୍ତ୍ତମାନ ଉଚ୍ଚ ଶିକ୍ଷା କ୍ଷେତ୍ରରେ ପ୍ରାୟତଃ ଲିଙ୍ଗଭେଦ ଉଭେଇ ଯାଇଛି । ଏହା ସୁଖର କଥା ଯେ ନାରୀ ପୁରୁଷର କାନ୍ଧରେ କାନ୍ଧ ମିଶାଇ ଚାଲିବା ଶିଖି ଯାଇଛି । ସବୁକ୍ଷେତ୍ରରେ ସେ କେବଳ ପ୍ରବେଶ କରିନି , ନିଜର ଶତ ପ୍ରତିଶତ ଦକ୍ଷତା ପ୍ରତିପାଦନ କରିଛି । ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ସେ କେବଳ ପରିବାରର ଯତ୍ନ ନିଏନି, ପରିବାରର ଆର୍ଥିକ ମେରୁଦଣ୍ଡକୁ ମଧ୍ୟ ଶକ୍ତ କରିଛି। ସେ ଆଉ ଏବେ ଅତ୍ୟାଚାରିତ, ଅବହେଳିତ ନୁହେଁ । ଅନ୍ୟାୟ ବିରୋଧରେ ନାରୀ ଆଜି ନିଜ ସ୍ଵରକୁ ଶାଣିତ କରିଛି। ଏହା ହିଁ ନାରୀ ଶିକ୍ଷାର ଯଥାର୍ଥତାକୁ ଦର୍ଶାଇବାକୁ ଯଥେଷ୍ଟ। ତେବେ, ଏଠି ଗୋଟିଏ କଥା ଲକ୍ଷ୍ୟ କରିବା…. ପୂର୍ବ ଅପେକ୍ଷା ଏବେ ଏକକ ପରିବାରର ପ୍ରଚଳନ, ଗୁରୁଜନ ମାନଙ୍କୁ ଅଣଦେଖା, ବିବାହ ବିଚ୍ଛେଦ, ଯାବତୀୟ ବିଶୃଙ୍ଖଳା ଏ ସବୁ ନାରୀ ଶିକ୍ଷାର ପ୍ରଭାବ ନୁହେଁ ତ !!
ମୁଦ୍ରା ର ଦୁଇ ପାର୍ଶ୍ଵଭଳି ସବୁ ଜିନିଷର ଭଲ ଓ ଖରାପ ଉଭୟ ଦିଗ ଥାଏ । ଉଚ୍ଚଶିକ୍ଷିତ ନାରୀ ଅଧିକ ସ୍ଵାଧୀନଚେତା ହୋଇ ଅନ୍ୟକୁ ଅନାଦର କରିବାର ଦୃଷ୍ଟାନ୍ତ ଅନେକ । ଯାହା ମନରେ ଅହଙ୍କାର ଆଣେ, ଜୀବନରେ ବିଶୃଙ୍ଗଳା ଆଣେ ତାହା କେବେ ଶିକ୍ଷା ପଦବାଚ୍ୟ ହୋଇପାରେନା। ଆମ ଶିକ୍ଷାବ୍ୟବସ୍ଥାର ଦୁର୍ବଳତା ଏକ ଭିନ୍ନ ପ୍ରସଙ୍ଗ । କିନ୍ତୁ ନାରୀ ଶିକ୍ଷାର ମୁଖ୍ୟ ସ୍ରୋତ ହେଉଛି ‘ମାଆ’ ,ଏକଥା ସ୍ଵୀକାର କରିବାକୁ ହେବ। ମାଆଟିଏ ଘର- ପରିବାର , ଆଚାର – ବ୍ୟବହାର, ସେବା ତ୍ୟାଗ, ସହନଶୀଳତା, ସଚ୍ଚରିତ୍ରତା ବିଷୟରେ ଯେଉଁ ଶିକ୍ଷା ଦେଇପାରେ ତାହା ବିଶ୍ଵର କୌଣସି ଅନୁଷ୍ଠାନ ଯୋଗାଇ ପାରେନି। ମା’ ଦେଇଥିବା ଶିକ୍ଷା ହିଁ ସୁଖୀ ସଂସାରର ମୂଳଦୂଆ । ଅନୁଷ୍ଠାନିକ ଶିକ୍ଷା ନାରୀକୁ ଦୃଢ କରି ଗଢି ତୋଳେ, ତା’ର ଆତ୍ମବିଶ୍ୱାସ ବଢାଏ, ନିଜ ଅଧିକାର ବିଷୟରେ ସଚେତନ କରେ, ଯାହା ଦ୍ଵାରା ସେ ନିଜକୁ ଅତ୍ୟାଚାରିତ ହେବାରୁ ରକ୍ଷା କରିପାରେ,ପରିବାର ଭିତରେ ହେଉ ବା ବାହାରେ। ତା ସହିତ ମାଆ ଦେଇଥିବା ନାରୀସୁଲଭ ଜ୍ଞାନ, ତାକୁ ସୁନ୍ଦର ଓ ସୁସ୍ଥ ପରିବାର ଓ ସମାଜ ଗଢିତୋଳିବାରେ ସାହାଯ୍ୟ କରେ । ସମ୍ପର୍କକୁ ସମ୍ମାନ ଦେବା ଶିଖାଏ । ଯେମିତିକି ପୂର୍ବରୁ କହିଥିଲି, ନାରୀଟିଏ ସ୍କୁଲ ଯାଉ ବା ନ ଯାଉ, ସେ ସବୁବେଳେ ଶିକ୍ଷିତା । ଆଉ ଆଧୁନିକ ଶିକ୍ଷା ତାକୁ ଆହୁରି ମାର୍ଜିତ କରେ, ତାର ଦକ୍ଷତାକୁ ଶାଣିତ କରେ । ନାରୀ ଶିକ୍ଷାର ଯଥାର୍ଥତାକୁ ନେଇ ଆଜିର ସମୟରେ ପ୍ରଶ୍ନ କରିବା ନିରର୍ଥକ କାରଣ ଶିକ୍ଷା ହେଉଛି ଲିଙ୍ଗ ନିର୍ବିଶେଷରେ ବ୍ୟକ୍ତିବିଶେଷର ମୌଳିକ ଅଧିକାର।
ନାରୀ ଶିକ୍ଷାର ପ୍ରସାର ତଥା ସଚେତନତା ଫଳରେ ଅନ୍ଧବିଶ୍ଵାସର ଅର୍ଗଳି ଭିତରୁ ମୁକୁଳି ଆସି ନିଜକୁ ଏକ ନୂଆ ରୂପରେ ପ୍ରକଟ କରିପାରିଛି ଯୁଗ ଯୁଗ ଧରି ପିତୃକୈନ୍ଦ୍ରିକ ପ୍ରତାରଣା ଓ ଶଠତାରେ ସଢୁଥିବା ନାରୀ । ସେ ଶିକ୍ଷିତା ହୋଇଛି, ସ୍ଵାବଲମ୍ବୀ ହୋଇଛି ଏବଂ ନିଜର ଅଧିକାର ଜାହିର କରିବା ସହ ପୁରୁଷକୈନ୍ଦ୍ରିକତାକୁ ପ୍ରତିହତ କରିପାରିଛି ନିଜର ଦମ୍ଭିଲାପଣ ନେଇ । ବୃତ୍ତିଗତ ଜୀବନ ନାରୀକୁ ଆଣିଦେଇଛି ଅର୍ଥନୈତିକ ସ୍ଵାଧୀନତା । ରାଜନୀତି କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ନାରୀକୁ ଦେଇଛି ନେତୃତ୍ଵ ନେବାର ମୁକ୍ତ ଅବସର । ଏବେ ପଞ୍ଚାୟତଠାରୁ ଜିଲାସ୍ତର ପର୍ଯ୍ୟନ୍ତ ସ୍ଥିର ହୋଇସାରିଛି ସେମାନଙ୍କ ଆନୁପାତିକ ପ୍ରତିନିଧିତ୍ଵ ।ବୈଷୟିକ ସଂସ୍କୃତିର ସଂକ୍ରମଣରୁ ସୃଷ୍ଟି ହୋଇଛି ନାରୀ ମାନସିକତାର ନୂଆ ପ୍ରକରଣ । ପାରମ୍ପରିକ ବିଚାରବୋଧର ବଳୟ ଭିତରୁ ମୁକୁଳି ଆସିବା ଦ୍ଵାରା ଅପସରିଯାଇଛି ପ୍ରଚଳିତ ପରମ୍ପରାକୁ ମାନି ଚଳିବାର ଦୁର୍ବଳ ମାନସିକତା । ନାରୀ ପରମ୍ପରାକୁ ନେଇ ପୁରୁଷର ମଗଜକୁ ଉତୁରି ଆସୁଥିବା ପ୍ରଶ୍ନବାଣରେ ନାରୀ ଆଉ ଲହୁଲୁହାଣ ହେଉନି କି ମିଛ ମୂଲ୍ୟବୋଧର କୁହୁକରେ ପୋଷା ମାନି କାଟିଦେଉନି ଆପଣା ଇଚ୍ଛାର ଡେଣା । ବରଂ ନାରୀ ଲାଞ୍ଛନାର ପ୍ରତିଟି ଅଧ୍ୟାୟକୁ ଅତିକ୍ରମକରି ପ୍ରମାଣ କରିପାରିଛି-ନାରୀ ଅବଳା ନୁହେଁ କି ଜଞ୍ଜାଳ ନୁହେଁ । ବଂଶରକ୍ଷାଠାରୁ ଶ୍ରାଦ୍ଧତର୍ପଣ ଯାଏ ସବୁ କ୍ଷେତ୍ରରେ ରହିଛି ପୁରୁଷ ସହ ତା’ର ସମାନ ଅଧିକାର । ଅତଏବ ନାରୀ ଆଜି ପାରମ୍ପରିକ ଜୀବନବୋଧରୁ ମୁକ୍ତହୋଇ ଆପଣେଇ ନେଇଛି ଜଗତୀକରଣ ବ୍ୟବସ୍ଥାର ଉନ୍ନତ ଜୀବନଶୈଳୀ। ତେବେ ଏତେସବୁ ଅଧିକାର ହାସଲ କରିସାରିବା ପରେ ଆଉ ପୁଣି କାହିଁକି ଉଠୁଛି ନାରୀ ସଶକ୍ତୀକରଣର ସ୍ଵର ? ସବୁ ସଜାଗ ଓ ସତର୍କତା ସତ୍ତ୍ୱେ ସମାଜରୁ କାହିଁକି ଅନ୍ତ ହେଉନି କନ୍ୟାଭ୍ରୂଣ ହତ୍ୟା, ଯୌତୁକ ନିର୍ଯାତନା, ଯୌନ ଶୋଷଣ ତଥା ଗଣବଳାତ୍କାର ଭଳି ନାରୀ ନିର୍ଯାତନାର କଳଙ୍କିତ ଅଧ୍ୟାୟ ?