ଗଣେଶ ମେଢ ଭସାଣିରେ ଦୁଲୁକିଲା ଦୁର୍ବନ୍ଧ
ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଦୀର୍ଘ ୨ ବର୍ଷ ପରେ କରୋନା କଟକଣା ହଟିଲା ପରେ ହିଞ୍ଜିଳିକାଟୁ ସହର ସମେତ ଆଖପାଖ ଅଞ୍ଚଳରେ ଚଳିତ ବର୍ଷ ଶ୍ରୀ ବିଘ୍ନରାଜଙ୍କ ପୂଜା ଉତ୍ସବ ବେଶ ମୁଖରିତ ହୋଇଥିଲା।ସ୍ଥାନୀୟ ସହର ଅପେକ୍ଷା ବିଭିନ୍ନ ପୁର ପଲ୍ଲୀରେ ପ୍ରତିଯୋଗିତା ମୂଳକ ଭାବେ ବିଘ୍ନରାଜଙ୍କୁ ବହୁଳ ଭାବେ ପୂଜାର୍ଚ୍ଚନା କରାଯାଇ ଥିଲା।ସୁସଜ୍ଜିତ ମଣ୍ଡପ ସହ ପ୍ରଭୁଙ୍କ ସୁଶୋଭିତ ପ୍ରତିମାକୁ ଆଲୋକମାଳାରେ ଆକର୍ଷଣୀୟ କରାଯାଇ ଚଳିତ ବର୍ଷ ବହୁ ଆଡମ୍ବର ସହକାରେ ପୂଜାର୍ଚ୍ଚନା କରାଯାଇଛି।ସ୍ଥାନୀୟ ବ୍ଲକ ଦୁର୍ବନ୍ଧ ଗ୍ରାମରେ ପୂଜିତ ହୋଇଥିବା ମୃଣୟ ପ୍ରତିମା ସବୁକୁ ଭକ୍ତିପୂତ ସହକାରେ ବିସର୍ଜନ କରାଯାଇ ଥିଲା।ଗ୍ରାମର ଅନ୍ୟାନ୍ୟ ଭସାଣି ଉତ୍ସବ ଅପେକ୍ଷା ବଡ ସାହିରେ ପୂଜା ପାଇଥିବା ଶ୍ରୀ ବିଘ୍ନରାଜଙ୍କ ମୃଣୟ ପ୍ରତିମାକୁ ଆଡମ୍ବର ସହକାରେ ବିସର୍ଜନ କରାଯାଇଥିଲା।ଗ୍ରାମର ବାବା ଗ୍ରୁପର ସମସ୍ତ ସଦସ୍ୟଙ୍କ ସହ ଗ୍ରାମବାସୀ ବାଜା ବାଜେଣି,ଘଣ୍ଟସ୍ଥଳ ଓ ଡିଜେ ସଙ୍ଗୀତର ତାଳେ ତାଳେ ସୁଶୋଭିତ ପ୍ରତିମାକୁ ଗ୍ରାମ ପରିକ୍ରମା କରି ଏକ ଭାବାବେଗ ଓ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ବିସର୍ଜନ କରିଥିଲେ।ସ୍ଥାନୀୟ ପୋଲିସ ଥାନା ପକ୍ଷରୁ ଆଇନ ଶୃଙ୍ଖଳା ରକ୍ଷା କରାଯାଇ ଭସାଣି ଉତ୍ସବ ସମ୍ପନ୍ନ ହୋଇଥିଲା।


