ଗରିବ ଓ ସାଧାରଣ ରୋଗୀ କଟକଣା ଯୋଗୁ ହେଉଛନ୍ତି ହନ୍ତସନ୍ତ

ବୁଗୁଡା, (ଅନିଲ କୁମାର ମହାରଣା) : ଗଂଜାମ ଜିଲ୍ଲାରେ କରୋନା ସ୍ଥିତ ଅତ୍ୟନ୍ତ ଗମ୍ଭୀର, ଏଥିରେ ଦ୍ବିମତ ନାହିଁ। ଗଂଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଙ୍କ ଟୁଇଟ ପ୍ରକାରେ ଜୁଲାଇ ୧୧ ତାରିଖ ସୁଦ୍ଧା ୩୮୬୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥି ମଧ୍ୟରୁ ୨୦୭୯ ଜଣ ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘେରକୁ ଫେରିଥିବା ବେଳେ ୩୬ ଜଣ ମୃତ୍ୟୁ ବରଣ କରିଛନ୍ତି। କୋଭିଡ ହସପିଟାଲରେ ବର୍ତ୍ତମାନ ୧୭୪୯ ଜଣ ଚିକିତ୍ସା ହେଉଛନ୍ତି। ପ୍ରାୟ ୫୪ ପ୍ରତିଶତ ସୁସ୍ଥ ହୋଇଥିବା ବେଳେ ୪୫ ପ୍ରତିଶତ ଚିକିତ୍ସାଧୀନ ଅଛନ୍ତି। ବୁଗୁଡା ବ୍ଲକ କଥା ବିଚାରକୁ ନେଲେ ଜୁଲାଇ ୧୧ ତାରିଖ ସୁଦ୍ଧା ୧୫୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୭୯ ଜଣ ସୁସ୍ଥ ହୋଇ ଫେରିଥିବା ଓ ୭୨ ଜଣ ଚିକିତ୍ସାଧୀନ ଥିବା ବୁଗୁଡା ନୋଡାଲ ଅଫିସର ତଥା ବିଡ଼ିଓ ତନ୍ମୟ ପାତ୍ର ପ୍ରକାଶ କରିଛନ୍ତି। ଏହି କାରଣରୁ ଗଂଜାମ ଜିଲ୍ଲାରେ ଯେପରି ସମସ୍ତ କରୋନା ପଜିଟିଭ ଚିହ୍ନଟ ହେବେ ସେଥିପାଇଁ ଘରକୁ ଘର ଯାଇ ଥର୍ମାଲ ସ୍କ୍ରିନିଂ କରାଯାଇ ଥଣ୍ଡା, ଜ୍ୱର, କାଶ ପ୍ରଭୃତି ରୋଗୀଙ୍କୁ ଚିହ୍ନଟ କରାଯାଇ କୋଭିଡ ହୋମ ସେଣ୍ଟରରେ ରଖାଯାଇ ସ୍ଲାବ ଟେଷ୍ଟ କରା ଯାଉଛି। ସେଥିପାଇଁ ଗଂଜାମ ଜିଲ୍ଲାର ସମସ୍ତ ମେଡିକାଲର ବହିଃ ଚିକିତ୍ସା ସମ୍ପୂର୍ଣ୍ଣ ବନ୍ଦ କରା ଯାଇଛି। କୋଭିଡ ସଂକ୍ରମଣ ରୋକିବା ପାଇଁ ସ୍ୱାଗତ ଯୋଗ୍ୟ ପଦକ୍ଷେପ ହେଲେ ମଧ୍ୟ ଅନ୍ୟ ଦିଗ ପ୍ରତି ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରୁଛନ୍ତି କହିଲେ ଅତ୍ୟୁକ୍ତି ହେବନାହିଁ। କାରଣ ବହୁ ବ୍ୟକ୍ତି ବ୍ଲଡ଼ ପ୍ରେସର, ଡାଇବେଟିସ, ଗ୍ୟାଷ୍ଟିକ ପ୍ରଭୃତି ରୋଗରେ ଆକ୍ରାନ୍ତ ଥିବାବେଳେ ଚିକିତ୍ସା ସୁବିଧା ପାଇ ପାରୁନଥିବା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ପ୍ରଶାସନ ସାଧାରଣ ରୋଗୀଙ୍କ ଚିକିତ୍ସା ସୁବିଧା ପାଇଁ ପ୍ରତି ଡାକ୍ତରଖାନାରେ କେତେ ଜଣ ଡାକ୍ତରଙ୍କ ମୋବାଇଲ ନମ୍ବର ଦେଇ ପରାମର୍ଶ କରିବାକୁ ନିର୍ଦ୍ଦେଶନମା ପ୍ରକାଶ କରିଥିଲେ ମଧ୍ୟ ଗରିବ ଲୋକମାନେ ଏହାର ସୁବିଧା ଆଦୌ ପାଇ ପାରୁନାହାନ୍ତି। ଗଂଜାମ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଉମା ଶଙ୍କର ମିଶ୍ର ଙ୍କ ସହ ଯୋଗାଯୋଗ ବେଳେ ସେ ପ୍ରକାଶ କରିଥିଲେ ଯେ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ମେଡ଼ିକାଲ କଲେଜ ହସପିଟାଲ ସମେତ ଜିଲ୍ଲାର ସମସ୍ତ ଡାକ୍ତରଖାନା ଗୁଡିକର ବହିଃ ଚିକିତ୍ସା ବନ୍ଦ ରହିଥିଲେବି ସବୁ ମେଡିକାଲରେ ଜରୁରୀ ଚିକିତ୍ସା ହୋଇପାରିବ। ତଥାପି ଥଣ୍ଡା, ଜ୍ୱର, କାଶ ପ୍ରଭୃତି କରୋନା ଲକ୍ଷଣ ବ୍ୟତୀତ ଅନ୍ୟ ସାଧାରଣ ରୋଗ ଚିକିତ୍ସା ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ କରିବା ପାଇଁ ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ