ଗହଣା ଚୋରି ମାମଲାରେ ୩ ଗିରଫ

ବାଲେଶ୍ୱର, (ସରୋଜ ପଣ୍ଡା):ସହରର ହରିପୁର ଅଞ୍ଚଳର ଲୋକଙ୍କ ଘରୁ ଦୀର୍ଘଦିନ ଧରି ଲଗାତର ହେଉଥିବା ଚୋରି ଘଟଣାରେ ସହଦେବଖୁଣ୍ଟା ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ଥିବା ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେଇଛନ୍ତି । ଗିରଫ ବ୍ୟକ୍ତିଙ୍କ ସମ୍ପର୍କରେ ଏସପି ସମ୍ପୂର୍ଣ୍ଣ ପରିଚୟ ଦେଇ ନଥିଲେ ବି ରେମୁଣା ଥାନା ଅନ୍ତର୍ଗତ କୁରୁଣିଆପାଟଣା ଅଞ୍ଚଳର ୧୯ବର୍ଷର ଜଣେ ଯୁବକଙ୍କ ସହ ସିଂଲା ଥାନା ଅନ୍ତର୍ଗତ ୨୯ ଓ ୪୨ବର୍ଷର ଦୁଇଜଣ ମହିଳା ବୋଲି ସେ କହିଛନ୍ତି । ସେମାନଙ୍କ ନିକଟରୁ ପ୍ରାୟ ୭ଲକ୍ଷ ଟଙ୍କା ମୂଲ୍ୟର ୧୦୬.୩୯ ଗ୍ରାମ ଓଜନର ସୁନା ଗହଣା, ଗୋଟିଏ ୟାମାହା ର-୧୫ ବାଇକ ସହିତ ନଗଦ ୨୦ହଜାର ଟଙ୍କା ଜବତ କରାଯାଇଛି । ହରିପୁର ଅଞ୍ଚଳର ଶରତ କୁମାର ନାୟକଙ୍କ ଘରୁ ଓ ତାଙ୍କ ବନ୍ଧୁବାନ୍ଧବଙ୍କ ଘରୁ ନିୟମିତ ଚୋରୀ ହେଉଥିବା ନେଇ ସହଦେବଖୁଣ୍ଟା ଥାନାରେ ଅଭିଯୋଗ ହୋଇଥିଲା । ଏଏଷନଇ ଏକ ମାମଲା ରୁଜୁ ସହ ପୁଲିସ ତଦନ୍ତ କରି ଏହି ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଜଣକ ଶରତଙ୍କ ନାବାଳିକା ଝିଅ ମାଧ୍ୟମରେ ଏହି ଚୋରି ଚଳାଇଥିବା ଜଣାପଡିଥିଲା । ପ୍ରଥମେ ନାବାଳିକା ସହ ବନ୍ଧୁତା କରି ପରବର୍ତ୍ତୀ ସମୟରେ ତାକୁ ଡରାଇ ଧମକାଇ ଏହି ଚୋରି କରୁଥିଲା । ଚୋରୀ ଗହଣାକୁ ନେଇ ସେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତକୁ ଦେଉଥିଲା । ସମ୍ପୃକ୍ତ ଗହଣାକୁ ଗିରଫ ହୋଇଥିବା ନିଜ ସ୍ତ୍ରୀ ଓ ଭଉଣୀ ପାଖରେ ରଖୁଥିଲେ । ସେଥିରୁ ଆବଶ୍ୟକ ମୁତାବକ ସୁନା ବନ୍ଧକ ଦେଇ ବାଲେଶ୍ୱରର ଆଇଆଇଏଫଏଲ ଫାଇନାନ୍ସରୁ ଗୋଲ୍ଡଲୋନ ଓ ଫେଡ଼େରାଲ ବ୍ୟାଙ୍କ ନିଧିପଣ୍ଡା ଶାଖାରୁ ଋଣ ନେଇଥିବା ଏସପି କହିଛନ୍ତି । ଏପରିକି ସୁନା ଋଣରୁ ଫେରାର ଅଭିଯୁକ୍ତ ଏକ ୟାମାହା ଆର-୧୫ ବାଇକ କିଣିଥିବା ଜଣାପଡ଼ିଛି । ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀମତୀ ନାଥ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ସିଟି ଡିଏସପି ଗାୟତ୍ରୀ ବାଳା ପ୍ରଧାନ ଓ ସହଦେବଖୁଣ୍ଟା ଥାନା ଅଧିକାରୀ ଶୁଭ୍ରାଂଶୁ ଶେଖର ନାୟକ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ