ଗହିରମଥାର ସୁରକ୍ଷା ନିମନ୍ତେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): ୧୯୯୭ ମସିହାରେ ଭିତରକନିକାକୁ ସାମୁଦ୍ରିକ ଅଭୟାରଣ୍ୟ ଭାବେ ଘୋଷଣା କରାଯାଇଥିଲା । ବିଶ୍ୱ ପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ହେନ୍ତାଳବନର ସୁରକ୍ଷା ନିମନ୍ତେ କେନ୍ଦ୍ରାପଡା ଜିଲ୍ଲାର ସ୍ୱେଛାସେବୀ ଅନୁଷ୍ଠାନ “ଗହିରମଥା ସାମୁଦ୍ରିକ କଇଁଛ ସୁରକ୍ଷା ଓ ହେନ୍ତାଳବନ ସଂରକ୍ଷଣ ସମିତି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପୂର୍ବରୁ ପ୍ରଦାନ କରାଯାଇଥିଲା । ସେହି ଦାବିପତ୍ରକୁ ମୁଖ୍ୟମନ୍ତ୍ରୀ ଗୁରୁତର ସହିତ ନେଇ ଆଚଂଳିକ ମୁଖ୍ୟ ବନ ସଂରକ୍ଷକଙ୍କୁ ଉକ୍ତ ଅନୁଷ୍ଠାନ ସହିତ ସୁରକ୍ଷା ସମ୍ପର୍କୀତ ସବିଶେଷ ଆଲୋଚନା କରିବାକୁ ନିର୍ଦେଶ ଦେଇଥିଲେ । ଆଚଂଳିକ ମୁଖ୍ୟ ବନ ସଂରକ୍ଷକ ସେହି ସଂଗଠନକୁ ଗତ ୯ତାରିଖଦିନ ଆଲୋଚନା କରିବାକୁ ଡାକିଥିଲେ । ଅନୁଷ୍ଠାନର ସଭାପତି ସତ୍ୟପ୍ରକାଶ ମହାନ୍ତି, ସମ୍ପାଦକ ହେମନ୍ତ କୁମାର ରାଉତ,ଉପସଭାପତି ପ୍ରଭୁ ପ୍ରସାଦ ମହାପାତ୍ର ପ୍ରମୁଖ ବୈଠକରେ ଯୋଗଦେଇ ଗହିରମଥା ଓ ହେନ୍ତାଳବନ ସୁରକ୍ଷା ଏବଂ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରିଥିଲେ । ଅଲିଭରିଡଲେ ସାମୁଦ୍ରିକ କଇଁଛଙ୍କ ସୁରକ୍ଷା ପାଇଁ ବିଶ୍ୱର ସର୍ବ ବୃହତ କଇଁଛଙ୍କ ଗଣ ଅଣ୍ଡାଦାନ ସ୍ଥାନ ଭିତରକନିକାର ଗହିରମଥାକୁ ୧୯୯୭ମସିହାରେ ସରକାର ସାମୁଦ୍ରିକ ଅଭୟାରଣ୍ୟ ରୂପେ ଘୋଷଣା କରି ଧାମରା ଠାରୁ ହୁକିଟୋଲା ମହାନଦୀ ମୁହାଣ ପର୍ଯ୍ୟନ୍ତ ଦୀର୍ଘ ୬୭ କିଲୋମିଟରରୁ ସମୁଦ୍ରର ୨୦କିଲୋମିଟର ଦୂର ଅଚଂଳକୁ ନିଷିଧାଛଂଳ ଭାବେ ଘୋଷଣା କରାଯିବା ସତ୍ୱେ ପ୍ରତିଦିନ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ସଂଖ୍ୟାରେ ବଡ ବଡ ଟ୍ରଲର ବେ।।ଇନ ଭାବେ ସେହି ନିଷିଧାଚଂଳରେ ମାଛ ଧରୁଥିବାରୁ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ କଇଁଛଙ୍କର ଅକାଳ ମୃତ୍ୟୁ ଘଟୁଛି । ୨୦୦୪ମସିହାରେ ଓଡିଶା ହାଇକୋର୍ଟ ସମଗ୍ର ରାଜ୍ୟରେ ଟଲର ଗୁଡିକ ସେମାନଙ୍କ ଜାଲରେ କଇଁଛ ମିସ୍କାସନ ଯନ୍ତ୍ର ନଲଗାଇଲେ ସେମାନେ ସମୁଦ୍ରରେ ମାଛ ମାରିପାରିବେନି ବୋଲି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଥିଲେ । କିନ୍ତୁ ରାଜ୍ୟ ବାହାରର କେତେକ ମାଫିଆଙ୍କ ଟ୍ରଲର ଗୁଡିକ ବେଆଇନ ଭାବରେ ଏହି ନିଷିଧାଚଂଳ ଭିତରେ ପ୍ରବେଷ କରି ମାଛମାରିବା ସହ ହଜାର ହଜାର ସଂଖ୍ୟାରେ ମୁଲ୍ୟବାନ ଅଲିଭରିଡଲେ କଇଁଛମାନଙ୍କୁ ମାରିଦେଉଛନ୍ତି ବୋଲି ଅନୁଷ୍ଠାନର କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି । ସରକାର ଏହି ବିଶ୍ୱ ପ୍ରସିଦ୍ଧ ଗହିରମଥାର ସୁରକ୍ଷା ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତାହାର ସୁରକ୍ଷା ଏବେ ବିପନ୍ନ ହେବାଜୁ ବସିଛି । ସ୍ଥାନୀୟ ଗରୀବ ମାଛଧରାଳିଙ୍କ ପାଇଁ ସେହି ନିଷେଧାଚଂଳ କୁ ପ୍ରବେଷ ନିଷେଧ ରହିଥିବା ବେଳେ ରାଜ୍ୟ ବାହାରର ମାଫିଆଙ୍କ ଟ୍ରଲର ଗୁଡିକ ବେଆଇନ ଭାବେ ପ୍ରବେଶ କରି ମାଛ ସହିତ ମୁଲ୍ୟବାନ ଅଲିଭରିଡଲେ କଇଁଛଙ୍କୁ ମାରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ଏ ଦିଗରେ ତୁରନ୍ତ ବିହିତ ପଦକ୍ଷେପ ଗ୍ରହଣ କରି ବିଶ୍ୱ ମାନଚିତ୍ରରୁ ହଜିଯିବାକୁ ବସିଥିବା ବିଶ୍ୱର ସର୍ବ ବୃହତ କଇଁଛଙ୍କ ଗଣ ଅଣ୍ଡାଦାନ ସ୍ଥାନ ଭିତରକନିକାର ଗହିରମଥାକୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଦେବା ସହିତ ବୈଷୟିକ ଜ୍ଞାନ ସମ୍ପନ୍ନ ତଥା କର୍ତ୍ତବ୍ୟ ନିଷ୍ଠ ବନବିଭାଗ ଅଧିକାରୀଙ୍କୁ ଏହାର ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରିବାକୁ ଅନୁଷ୍ଠାନର ସଭାପତି ସତ୍ୟପ୍ରକାଶ ମହାନ୍ତି, ସମ୍ପାଦକ ହେମନ୍ତ କୁମାର ରାଉତ, ଉପସଭାପତି ପ୍ରଭୁ ପ୍ରସାଦ ମହାପାତ୍ର, ପ୍ରତାପ ପାଢି, ରାଜେଶ ବିଶ୍ୱାଳ, ସତ୍ୟବ୍ରତ ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏଥିସହିତ ରାଜନଗର ବିଧାୟକ,ରାଜନଗର ଡିଏଫଓଙ୍କୁ ମଧ୍ୟ ଏହାର ନକଲ ଦେଇଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ