ଗାଁ ଗଣ୍ଡାରେ ଆଉ ନାହିଁ ଶୁଖୁଆର ବାସ୍ନା

ନିମାପଡ଼ା,(ସନ୍ତୋଷ ଦାଶ) ପୁରୀ ଜିଲ୍ଲାର ନୟାହାଟ ଠାରେ ବିଟ୍ରିଶ ଶାସନ ସମୟ ରୁ ସାପ୍ତାହିକ ହାଟ ଅନୁଷ୍ଠିତ ହୋଇଆସୁଛି। ଏଠାରେ ସପ୍ତାହ ର ରବିବାର ଓ ବୁଧବାର ହାଟ ବସୁଥିବା ବେଳେ ଶୁକ୍ରବାର ଓ ସୋମବାର ପାନ ହାଟ ଅନୁଷ୍ଠିତ ହୋଇଥାଏ।ନୟାହାଟ ଓ ଏହାର ଆଖପାଖ ଅଞ୍ଚଳ ର ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଗାଁ ର ଜନସାଧାରଣ ନିଜ ନିଜ ର ଜିନିଷ ପତ୍ର କିଣା ବିକା କରିବାକୁ ଏହି ହାଟ କୁ ଆସିଥାନ୍ତି। ଏହି ହାଟ ରେ ରହିଛି ସ୍ଵତନ୍ତ୍ର ଶୁଖୁଆ ହାଟ। ଏଥି ସହିତ ଚାରିଛକ ଦୈନିକ ହାଟ ରେ ମଧ୍ୟ ଶୁଖୁଆ ବିକ୍ରି ହୋଇଥାଏ। ଆମିଷ ଖାଦ୍ୟ ପ୍ରତି ରୁଚି ରଖୁଥିବା ବ୍ୟକ୍ତି ଏହି ଦୁଇ ସ୍ଥାନ ରୁ ନିଜ ଚାହିଦା ମୁତାବକ ଶୁଖୁଆ କିଣି ଘରକୁ ନେଇଥାନ୍ତି। ଏଠାରେ କୋଣାର୍କ ର ଚନ୍ଦ୍ରଭାଗା, ଅସ୍ତରଙ୍ଗ, ଚିଲିକା, ସୁନାଖଳା, ପାରାଦୀପ ଅଞ୍ଚଳ ରୁ ବିଭିନ୍ନ ଶୁଖୁଆ ଅଣାଯାଇ ବିକ୍ରୀ କରାଯାଇଥାଏ। ଏହି ଅଞ୍ଚଳ ରେ ଏକ ପ୍ରକାର ଚିଙ୍ଗୁଡ଼ି ଶୁଖୁଆ ମିଳେ ଯାହାକୁ ତାମ୍ପେଡା ଶୁଖୁଆ ବୋଲି କୁହା ଯାଇଥାଏ। ତାର ସ୍ଵାଦ ଅନ୍ୟ ଅଞ୍ଚଳ ର ଚିଙ୍ଗୁଡ଼ି ଶୁଖୁଆ ଠାରୁ ଭିନ୍ନ ବୋଲି କହିଛନ୍ତି ଧୁମାଳୋ ର ବିନୋଦ ମିଶ୍ର ଓ ପାଣିଛତ୍ର ର ପ୍ରସନ୍ନ ପାତ୍ର। ଏହି ଶୁଖୁଆ ଘରେ ବର୍ଷେ ପର୍ଯ୍ୟନ୍ତ ସାଇତା ହୋଇ
ରଖାଯାଇପାରେ।ଏହି ଶୁଖୁଆ ରେ ଝୋଳ, ଭଜା, ଚଟଣୀ, ଛିଞ୍ଚଡା ପ୍ରସ୍ତୁତି କରି ଆମିଷ ପ୍ରେମୀ ମାନେ ଖାଇଥାନ୍ତି। ଚିଙ୍ଗୁଡ଼ି ଶୁଖୁଆ ବ୍ୟତୀତ ଏଠାରେ ଅସ୍ତରଙ୍ଗ ଅଞ୍ଚଳ ର ବେଳଙ୍ଗ ଓ ଜଗର, କୋଣାର୍କ ଚନ୍ଦ୍ରଭାଗା ର ଖଇଙ୍ଗା ଓ ଭେକେଟି, ପାରାଦୀପ ଅଞ୍ଚଳ ର ପାଣି ଆଖିଆ ଓ ଇଲିସି ଶୁଖୁଆ ପ୍ରଚୁର ପରିମାଣ ରେ ବିକ୍ରୀ ହୋଇଥାଏ। ଦିନ ଥିଲା ଶୁଖୁଆ କାହା ଘରେ ରୋଷାଇ ହେଲେ ତାର ବାସ୍ନା ରେ ଗାଁ ଦାଣ୍ଡ କମ୍ପୁଥିଲା। ଶୁଖୁଆ ପୋଡ଼ା ବା ଚଟଣୀ ହୋଇ ଗଲେ ପଖାଳ କଂସାଏ ଖାଇ ହୋଇ ଯାଉଥିଲା। ଏବେ ସେ ସମୟ ଆଉ ନାହିଁ। ଶୁଖୁଆ ହାଟ ରେ ଆଉ ସେ ପୂର୍ବ ବାସ୍ନା ନାହିଁ। ଶୁଖୁଆ ବି ଆଉ ପାଟିକୁ ସ୍ଵାଦ ଲାଗୁ ନାହିଁ। ଏଥିପାଇଁ ଲୋକ ମାନେ ଆଉ ସେମିତି ଶୁଖୁଆ କ୍ରୟ କରୁନାହାନ୍ତି। ସମୁଦ୍ର ଓ ନଦୀ ରେ ପ୍ରଦ୍ୟୁଷଣ ବୃଦ୍ଧି ପାଉଥିବାରୁ ମାଛ ସଂଖ୍ୟା ହ୍ରାସ ପାଉଛି। ମାଛ ସବୁ ବିକ୍ରୀ ହୋଇ ଯାଉଥିବାରୁ ଶୁଖୁଆ ପାଇଁ ଉଚ୍ଚ ମାନ ର ମାଛ ବଳକା ରହୁ ନାହିଁ। ପୁର୍ବରୁ ମତ୍ସ୍ୟଜୀବୀ ମାନେ ବଗଡା ଲୁଣ ଓ ଖରା ଦେଇ ପ୍ରାକୃତିକ ଭାବେ ଶୁଖୁଆ ପ୍ରସ୍ତୁତ କରୁଥିଲେ। ଯାହା ଫଳରେ ଶୁଖୁଆ ର ପ୍ରାକୃତିକ ସ୍ଵାଦ ରହୁଥିଲା। ବ୍ୟବସାୟୀ ଓ ଶୁଖୁଆ ପ୍ରସ୍ତୁତ କରୁଥିବା ବ୍ୟକ୍ତି ଏବେ ଅଧିକ ଲାଭ ଆଶାରେ ବିଭିନ୍ନ ପ୍ରକାରର ରାସାୟନିକ ତରଳ ପଦାର୍ଥ ବ୍ୟବହାର କରି ଶୁଖୁଆ ପ୍ରସ୍ତୁତ କରୁଥିବା ଅଭିଯୋଗ ହେଉଛି। ଏଣୁ ଶୁଖୁଆ ର ସ୍ଵାଦ ଆଉ ପୂର୍ବ ପରି ରହୁ ନାହିଁ। ଏବେ ଶୁଖୁଆ ଖାଇଲେ ବିଭିନ୍ନ ପ୍ରକାର ରୋଗ ହେଉଥିବାରୁ ଡାକ୍ତର ମାନେ ଶୁଖୁଆ ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ ବୋଲି ପରାମର୍ଶ ଦେଉଛନ୍ତି। ଏଣୁ ଲୋକ ମାନେ ଆଉ ପୁର୍ବ ପରି ଶୁଖୁଆ ଖାଇବାକୁ ମନ ବଳାଉନାହାନ୍ତି। ଶୁଖୁଆ ବିକ୍ରୀ ପୂର୍ବ ଅପେକ୍ଷା ହ୍ରାସ ପାଇଛି ବୋଲି କହିଛନ୍ତି ଶୁଖୁଆ ବ୍ୟବସାୟୀ ପାଟଣା ର ତ୍ରିଲୋଚନ ଭୋଇ ଓ ଅସ୍ତରଙ୍ଗ ର ଦୁଷ୍ମନ୍ତ ବେହେରା। ଏବେ ଗାଁ ଗଣ୍ଡା ରୁ ଧିରେ ଧିରେ ହଜି ଯାଉଛି ଶୁଖୁଆ ର ବାସ୍ନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ