ଗାଁ ଗାଁରେ ବ୍ୟାପୀ ଚାଲିଛି ଚର୍ମରୋଗ, ଯନ୍ତ୍ରଣାରେ ଛଟପଟ ଲୋକେ, ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେବାକୁ ଦାବୀ
ବନ୍ତ,(ଚାନ୍ଦିନୀ ମହାନ୍ତି) : ଗତ କିଛି ମାସ ଧରି କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଥିବା ବେଳେ ଲୋକ ମାନେ ଭୟଭୀତ ଅବସ୍ଥାରେ ରହୁଛନ୍ତି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ସଂକ୍ରମଣକୁ ରୋକିବା ଲାଗି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରି ଚାଲିଛନ୍ତି । ଅପରପକ୍ଷେ ଏବେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକର ବିିଭିନ୍ନ ଗ୍ରାମରେ ଚର୍ମ ରୋଗ ବ୍ୟାପିବାରେ ଲାଗିଛି । ଏହି ରୋଗରେ ପିଡିତ ଲୋକ ମାନେ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖାଯାଇଛି । ଏହାର ପ୍ରତିକାର ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ, ଗତ କିଛି ଦିନ ହେବ ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ରୋଗ ଦେଖିବାକୁ ମିଳିଛି । ନିଳୋକ ପଞ୍ଚାୟତର ନିଳୋକ, ଭଣ୍ଡାରଗଢିଆ, ବାଇପୁର ସମେତ ବିଭିନ୍ନ ଗ୍ରାମରେ ଏହି ଚର୍ମ ରୋଗ ଦେଖାଯାଇଛି । ପ୍ରଥମେ ରୋଗୀ ମାନଙ୍କ ଶରୀର କୁଣ୍ଡାଇ ହେବା ସହ ଲାଲ ପଡି ଫଳି ଯାଉଛି । ଶରୀରର ବିଭିନ୍ନ ସ୍ଥାନ ଘିମିରି ବାହାରିବା ପରି ହେଉଛି । କିଛି ଘଣ୍ଟା ପରେ ସେସବୁ ଲାଲ ପଡି କୁଣ୍ଡାଇ ହେବା ସହ ରକ୍ତ ବାହାରୁ ଥିବାର ଦେଖାଯାଉଛି । ଅନେକଙ୍କ ଶରୀରରେ ଯାଦୁ ବାହାରିବା ପରି ହୋଇଯାଉଛି । ଏହି ରୋଗର ପ୍ରତିକାର ପାଇଁ ରୋଗୀ ମାନେ ଡାକ୍ତରଙ୍କ ପରାମର୍ଶ କରି ଔଷଧ ସେବନ କରୁଥିଲେ ମଧ୍ୟ କିଛି ଫଳପ୍ରଦ ହେଉନାହିଁ । ଶରୀରର ବିଭିନ୍ନ ସ୍ଥାନ କୁଣ୍ଡାଇ ହୋଇ ଫଳି ଯିବା ସହ ରୋଗୀ ମାନେ ଯନ୍ତ୍ରଣା ଭୋଗୁ ଥିବା ଦେଖାଯାଇଛି । ଏଭଳି ରୋଗ ଦିନକୁ ଦିନ ବ୍ଲକର ବିଭିନ୍ନ ପଞ୍ଚାୟତକୁ ବ୍ୟାପୁଥିବା ଦେଖାଯାଇଛି । ଏହି ରୋଗ କେଉଁ କାରଣ ଯୋଗୁ ହେଉଛି ତାହା ଅଦ୍ୟାବଧି ଜଣାପଡି ନାହିଁ । ତେବେ ଏହି ରୋଗ ଅଧିକ ସଂକ୍ରମଣ ନହେବା ପାଇଁ ରାଜ୍ୟ ସରକାର ତଥା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଦୃଷ୍ଟି ଦେଇ ପ୍ରତିଷେଧକ ବ୍ୟବସ୍ଥା କରିବାକୁ ବ୍ଲକବାସୀ ନିବେଦନ କରିଛନ୍ତି ।