ଗାଁ ଗାଁ ରେ କୁମାରୀ ମାନେ ଆଞ୍ଜୁଳି ଟେକି ପାଳିଲେ କୁମାରୋତ୍ସବ
ନିମାପଡା, (ସନ୍ତୋଷ ଦାଶ):ଆଜି ଆଶ୍ୱିନ ମାସର ପବିତ୍ର ପୂର୍ଣ୍ଣିମା ତିଥି । ଗାଁ ଗାଁ ରେ କୁମାରୀମାନେ ପାଳନ କରିଛନ୍ତି କୁମାରୋତ୍ସବ । ପ୍ରାତଃ ରୁ ଉଠି କୁମାରୀ ମାନେ ସ୍ନାନ କରି ନବ ବସ୍ତ୍ର ପରିଧାନ କରି ଜ୍ୟେଷ୍ଠ ମାନଙ୍କ ଠାରୁ ଆଶ୍ରିବାଦ ନେଇ ଉଦୟ ହେଉଥିବା ବାଳ ସୂର୍ଯ୍ୟଙ୍କୁ ଆଞ୍ଜୁଳି ଟେକିଥିଲେ। ଅଛଡା ଲିଆ, ନଡ଼ିଆ, ଗୋଟା ଗୁଆ,ଆଖୁ, ଫୁଲ ଲଗା କାକୁଡି କସି, ଜହ୍ନି କସି କୁ ହାତ ପାପୁଲି ରେ ଧରି ସୂର୍ଯ୍ୟଦେବତା ଙ୍କୁ ଅର୍ପଣ କରିଥିଲେ । ଦିନ ସାରା ଉପବାସ ରହି ବ୍ରତ/ଓଷା ରଖି ଥିବା କୁମାରୀ ମାନେ ସଂଧ୍ୟା ରେ ତୁଳସୀ ଚଉରା ମୂଳରେ ଏକାଠି ହୋଇଥିଲେ । ଝୋଟି, ମୁରୁଜ, ଫୁଲ ରେ ଚଉରା ମୂଳ ସଜାଇ ପୂଜା ଥାଳି ରେ ଉଖୁଡା, କଦଳୀ, ବିଭିନ୍ନ ଫଳ ମୂଳ, ଗୁଡ଼, ଛେନା, ଦହି, ନଡ଼ିଆ ଥୋଇ ଆକାଶ ରେ ପୂର୍ଣ୍ଣମୀ ଜହ୍ନ ଦେଖି ଚାନ୍ଦ ପୂଜା କରିଥିଲେ। ଭୋଗ ପରେ ସମସ୍ତେ ଗାଇଥିଲେ କୁଆଁର ପୁନେଇଁ ଜହ୍ନଗୋ ଫୁଲ ବଉଳବେଣୀ ଗୀତ। ଜହ୍ନ ଙ୍କୁ ଚଉରାମୂଳରେ ପୂଜା ହୋଇଥିବା ଭୋଗ କୁ ଚକଟି ଚକଟା ପ୍ରସ୍ତୁତ କରାଯାଇଥିଲା। ଏହି ଭୋଗ ଚକଟା କୁ ଖାଇ କୁମାରୀ ମାନେ ଓଷା ପୂର୍ଣ୍ଣ କରିଥିଲେ । କେହି କେହି କୁମାରୀ ଏହି ଚକଟା କୁ ପରସ୍ପର ଖୁଆଇ ଚାନ୍ଦ ( ମିତ) ବସିଥିଲେ। ବଞ୍ଚିଥିବା ପର୍ଯ୍ୟନ୍ତ ଚକଟା ଖୁଆଖୁଇ ହୋଇଥିବା କୁମାରୀ ଆଉ ସାଙ୍ଗ କୁ ନାଁ ଧରି ନ ଡାକି ଚାନ୍ଦ ବୋଲି ପରସ୍ପର କୁ ଡକାଡକି ହୋଇଥାନ୍ତି। ଏହି ପରମ୍ପରା ଆମ ଓଡ଼ିଆ ସଂସ୍କୃତି ରେ ରହି ଆସିଛି କାହିଁ କେତେ କାଳରୁ । କୁଆଁର ପୁନେଇଁ ଜହ୍ନ ଗୋ ଫୁଲ ବଉଳବେଣୀ ଗୀତ ରେ କମ୍ପି ଉଠିଥିଲା ପ୍ରାୟ ପ୍ରତ୍ୟେକ ଗାଁ ଦାଣ୍ଡ ଓ ଚଉରା ମୂଳ ।