ଗାଁ ସାଥି ସଙ୍ଘ ପକ୍ଷରୁ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ଦାବୀପତ୍ର ପ୍ରଦାନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଗାଁ ସାଥି ସଙ୍ଘ ମିଳିତ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ମଙ୍ଗଳବାର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡାଙ୍କୁ ଭେଟି ବିଭିନ୍ନ ସମସ୍ୟା ସମ୍ପର୍କରେ ଦାବୀପତ୍ର ପ୍ରଦାନ କରାଯାଇଛି । ମହାକାଳପଡା ବ୍ଲକ ଅନ୍ତର୍ଗତ ବିଜୟ ନଗର ଗ୍ରାମପଂଚାୟତରେ ଗାଁ ସାଥି(ମେଟ) ଭାବରେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇ କାର୍ଯ୍ୟ କରୁଥିବା ଅଲେଖ କୁମାର ସ୍ୱାଇଁଙ୍କୁ ମନରେଗା ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ କରାନଯିବା ସମ୍ପର୍କରେ ସଂପୃକ୍ତ ଗାଁସାଥି ମହାକାଳପଡା ବିଡିଓଙ୍କ ନିକଟରେ ଅଭିଯୋଗ କରିବା ପରେ ସେ ସରପଂଚଙ୍କୁ ଜଣାଇବାକୁ କହିଥିଲେ । ସରପଂଚଙ୍କୁ ଜଣାଇବାରେ ସେ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଓ ନିର୍ବାହୀ ଅଧିକାରୀ କନିଷ୍ଠ ଯନ୍ତ୍ରୀଙ୍କୁ ଜଣାଇବାକୁ କହିଥିଲେ । କନିଷ୍ଠ ଯନ୍ତ୍ରୀ କହିଲେ ମନରେଗା ପ୍ରକଳ୍ପ ଅଟ୍ଟକଳରେ ଗାଁସାଥିଙ୍କ ପାଇଁ କୈାଣସି ପ୍ରୋତ୍ସାହନ ବ୍ୟବସ୍ଥା ନଥିବା ସୂଚନା ଦେଇଥିଲେ । ଗତ ନଭେମ୍ବରମାସ ୨ତାରିଖରେ ପତ୍ର ସଂଖ୍ୟା ୩୩୦୪ରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ପ୍ରତ୍ୟେକ ବ୍ଲକରେ ଗାଁସାଥିମାନଙ୍କ ନିର୍ଭୁଲ ଡାଟାବେସ ପ୍ରସ୍ତୁତ କରିବା, ସମସ୍ତ ମନରେଗା ପ୍ରକଳ୍ପରେ ସେମାନଙ୍କୁ ନିୟୋଜିତ କରିବା, ପ୍ରତ୍ୟେକ ଗାଁସାଥିଙ୍କୁ ପରିଚୟପତ୍ର ପ୍ରଦାନ କରିବା ଓ ସେମାନଙ୍କ ବ୍ୟାଙ୍କ ଆକାଉଁଟକୁ ପାରିଶ୍ରମିକ ପ୍ରଦାନ କରାଯିବା ପ୍ରଭୃତି ସମ୍ପର୍କରେ ଜିଲ୍ଲାର ସମସ୍ତ ବିଡିଓମାନଙ୍କୁ ନିର୍ଦେଶ ପ୍ରଦାନ କରିଥିଲେ । କିନ୍ତୁ ସେହି ନିର୍ଦେଶକୁ ବିଡିଓମାନେ ପାଳନ କରୁନଥିବା ସଙ୍ଘ ପକ୍ଷରୁ ଅଭିଯୋଗ କରାଯାଇଛି । ସେହିପରି ମାର୍ଶାଘାଇ ବ୍ଲକର ବେରୁହାଁ, କରିଲୋପାଟଣା ଓ ଆଇତିପୁର ଗ୍ରାମପଂଚାୟତରେ ସରପଂଚମାନେ ପୂର୍ବରୁ ଥିବା ଗାଁସାଥି(ମେଟ)ଙ୍କ ନାମ ମନମୁଖି ଭାବେ କାଟିଦେଇ ପଲ୍ଲିସଭାରୁ ମନୋନ୍ୱିତ ପିଲାଙ୍କୁ ନେଇ ନୂତନ ଗାଁସାଥି(ମେଟ) ଭାବେ ଡାଟାବେସ ପ୍ରସ୍ତୁତ କରୁଥିବା ସଙ୍ଘ ଅଭିଯୋଗ କରିଛି । ତେଣୁ ଏସବୁ ଅଭିଯୋଗର ତଦନ୍ତ କରାଯାଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଙ୍ଘ ପକ୍ଷରୁ ଜିଲ୍ଲା ସମ୍ପାଦକ ଅନିଲ କୁମାର ଜେନା, ସନ୍ତୋଷ କୁମାର ସୁତାର, ଶୁଶାନ୍ତ କୁମାର ବିଶ୍ୱାଳ, ବିଜୟ ମଳିକ, ସୁଧିର ରଞ୍ଜନ ପ୍ରଧାନ, ତ୍ରିଲୋଚନ ସାମଲ, ଅଲେଖ କୁମାର ସ୍ୱାଇଁ, ଅଜୟ କୁମାର ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ନବ କିଶୋର ସାହୁ, ଉପେନ୍ଦ୍ର କୁମାର ସାହୁ ପ୍ରମୁଖ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଶ୍ରୀ ପରିଡାଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଥିଲେ । ପ୍ରକଳ୍ପ ନିର୍ଦେଶକ ଶ୍ରୀ ପରିଡା ଆଜି ଥିବା ଭିଡିଓ କନଫରେନ୍ସିଂ ଯୋଗେ ସମସ୍ତ ବିଡିଓମାନଙ୍କ ସହ ଏସବୁ ସମସ୍ୟା ସମ୍ପର୍କରେ ଆଲୋଚନା କରି ସମାଧାନ କରିବାକୁ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ