ଗାନ୍ଧୀ ଥିଲେ ବିଶ୍ବ ବିସ୍ମୟ, ଶାସ୍ତ୍ରୀ ଥିଲେ ଆଦର୍ଶ ରାଷ୍ଟ୍ର ନାୟକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଓଡ଼ିଶା ନାଗରିକ ମହାମଞ୍ଚ କାର୍ଯ୍ୟାଳୟ ପରିସରରେ ” ସୁବାର୍ତ୍ତା” ଆନୁକୁଲ୍ୟରେ ଜାତି ମୁକ୍ତି ଆନ୍ଦୋଳନର ମହାନାୟକ ମହାତ୍ମାଗାନ୍ଧୀଙ୍କ ୧୫୬ ତମ ଜୟନ୍ତୀ ଏବଂ ସର୍ବକାଳୀନ ଆଦର୍ଶ ରାଷ୍ଟ୍ର ନାୟକ ଲାଲ ବାହାଦୂର ଶାସ୍ତ୍ରୀଙ୍କର ୧୨୧ ତମ ଜୟନ୍ତୀ ପାଳିତ ହୋଇଯାଇଛି । ସୁବାର୍ତ୍ତା ସମ୍ପାଦକ ପ୍ରଦ୍ୟୁମ୍ନ ଶତପଥୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୃତି ଚାରଣ ସଭାରେ ଓଡ଼ିଶା ନାଗରିକ ମହାମଞ୍ଚ ର ସାଧାରଣ ସମ୍ପାଦକ ଡଃ ପ୍ରଦୀପ କୁମାର ବିଶ୍ଵାଳ ନିଜ ବକ୍ତବ୍ୟରେ କହିଥିଲେ ଯେ ଇତିହାସରେ ଏମିତି କେଉଁଠି ଦେଖିବାକୁ ମିଳେ ନାହିଁ, ଯେତେବେଳେ ଶାସନ ଠାରୁ ବହୁଦୂର ପର୍ଯ୍ୟନ୍ତ ସମ୍ପର୍କ ନଥିବା ଜଣେ ବ୍ୟକ୍ତି ସତ୍ୟ ଓ ଅହିଂସାର ଶକ୍ତିରେ, ଶହ ଶହ ବର୍ଷ ପୁରୁଣା ସାମ୍ରାଜ୍ୟକୁ କେବଳ ଦୋହଲାଇ ଦେଇନଥିଲେ, ବରଂ ଅନେକ ଦେଶଭକ୍ତଙ୍କ ମଧ୍ୟରେ ସ୍ୱାଧୀନତାର ଭାବନା ଜାଗ୍ରତ କରିପାରିଥିଲା । ମହାତ୍ମା ଗାନ୍ଧୀ ଏପରି ଜଣେ ବ୍ୟକ୍ତି ଥିଲେ ଏବଂ କ୍ଷମତା ଠାରୁ ଏତେ ଦୂରରେ ରହିବା ସତ୍ୱେ ଆଜି ମଧ୍ୟ ସେ କୋଟି କୋଟି ଲୋକଙ୍କ ହୃଦୟରେ ରାଜୁତି କରୁଛନ୍ତି । କେହି କଳ୍ପନା କରିପାରିବେ ନାହିଁ ଯେଉଁମାନଙ୍କୁ ଗାନ୍ଧୀଜୀ କେବେହେଲେ ଭେଟିନାହାନ୍ତି, ସେମାନେ ମଧ୍ୟ ତାଙ୍କ ଜୀବନ ଦ୍ୱାରା କେତେ ପ୍ରଭାବିତ ହୋଇଛନ୍ତି । ମାର୍ଟିନ ଲୁଥର କିଙ୍ଗ ଜୁନିଅର ହୁଅନ୍ତୁ କିମ୍ବା ନେଲସନ ମଣ୍ଡେଲା, ଏମାନଙ୍କ ବିଚାରର ଆଧାର ମହାତ୍ମା ଗାନ୍ଧୀ ଥିଲେ, ଗାନ୍ଧୀଜୀଙ୍କର ଆଦର୍ଶ ମଧ୍ୟ ଥିଲା । ଭାରତର ସର୍ବକାଳୀନ ଆଦର୍ଶ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀ ଙ୍କ ର ମାନବୀୟ ଜୀବନ ଚର୍ଯ୍ୟା ପିଢ଼ି ପରେ ପିଢି ଭାରତୀୟ ମାନଙ୍କ ପାଇଁ ଆଦର୍ଶ ଆହରଣୀୟ ଦର୍ଶନ ବୋଲି ମତପ୍ରକାଶ କରି ଡଃ ବିଶ୍ବାଳ ଦୁଇ ମହାପୁରୁଷଙ୍କ ଅମୃତ ଅମ୍ଲାନ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବିଶିଷ୍ଟ ଶ୍ରମିକ ନେତା ବିଜୟ କୁମାର ପରିଡ଼ା ନିଜ ବକ୍ତବ୍ୟରେ କହିଥିଲେ ଯେ ମହାତ୍ମା ଗାନ୍ଧୀ, ଭାରତର ସ୍ୱାଧୀନତା ଆନେ୍ଦାଳନର କେନ୍ଦ୍ର ବିନ୍ଦୁ ଥିଲେ କିନ୍ତୁ କିଛି ସମୟ ପାଇଁ ଆମକୁ ଏକଥା ଚିନ୍ତା କରିବାକୁ ହେବ ଯେ ଯଦି ଗାନ୍ଧୀଜୀ ସ୍ୱାଧୀନ ଦେଶରେ ଜନ୍ମ ନେଇଥାନ୍ତେ ତା’ହେଲେ କ’ଣ କରିଥାନ୍ତେ? ସେ ସ୍ୱାଧୀନତା ଆନେ୍ଦାଳନରେ ଭାଗ ନେଇଥିଲେ, ଏ କଥା ଗୁରୁତ୍ୱପୂର୍ଣ୍ଣ କିନ୍ତୁ ଗାନ୍ଧୀଜୀଙ୍କ କାର୍ଯ୍ୟ କେବଳ ଏତିକିରେ ସମ୍ପ୍ରସାରିତ ହୋଇରହିନଥିଲା ।ମହାତ୍ମାଗାନ୍ଧୀ ଏପରି ଏକ ସାମାଜିକ ବ୍ୟବସ୍ଥାର ଦାୟିତ୍ୱ ମୁଣ୍ଡାଇଥିଲେ, ଯାହା ସରକାରଙ୍କ ଉପରେ ନିର୍ଭରଶୀଳ ହୋଇନଥିବ । ଯୁବ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ନିଜ ବକ୍ତବ୍ୟରେ କହିଥିଲେ ଯେ ମହାତ୍ମା ଗାନ୍ଧୀ ପରିବର୍ତ୍ତନ ଆଣିଥିଲେ, ଏହା ସର୍ବଜନବିଦିତ; କିନ୍ତୁ ଏହା କହିବା ମଧ୍ୟ ଉଚିତ ହେବ ଯେ ସେ ଲୋକମାନଙ୍କ ଅନ୍ତରୀଣ ଶକ୍ତିକୁ ଜାଗ୍ରତ କରି ସେମାନଙ୍କୁ ନିଜ ଭିତରେ ପରିବର୍ତ୍ତନ ଆଣିବା ଲାଗି ସଚେତନ କରାଇଥିଲେ ।ଯଦି ସ୍ୱାଧୀନତା ସଂଗ୍ରାମର ଉତରଦାୟିତ୍ୱ ଗାନ୍ଧୀଜୀଙ୍କ ଉପରେ ନଥାନ୍ତା ତା’ହେଲେ ମଧ୍ୟ ସେ ସ୍ୱରାଜ ଏବଂ ସ୍ୱାବଲମ୍ବନର ମୂଳତତ୍ୱକୁ ନେଇ ଆଗକୁ ବଢ଼ିଥାନ୍ତେ । ଗାନ୍ଧୀଜୀଙ୍କ ଏହି ଦୂରଦୃଷ୍ଟି ଆଜି ଭାରତ ସମ୍ମୁଖରେ ଥିବା ବଡ଼ ଆହ୍ୱାନ ସମାଧାନ ଲାଗି ବଡ଼ ମାଧ୍ୟମ ହୋଇପାରିଛି ବୋଲି ସାମ୍ବାଦିକ ପ୍ରକାଶ ନନ୍ଦ ନିଜ ବକ୍ତବ୍ୟରେ କହିଥିଲେ ଯେ ତାଙ୍କର ଆଚରଣ ଓ ଉଚ୍ଚାରଣସିଦ୍ଧ ଜୀବନ ହିଁ ତାଙ୍କର ସ୍ବାଧୀନ ଭାରତବାସୀ ଙ୍କ ପାଇଁ ସୁବାର୍ତ୍ତା । ଗାନ୍ଧୀଜୀ କେବେ ହେଲେ ନିଜ ଜୀବନ ଦ୍ୱାରା ପ୍ରଭାବ ସୃଷ୍ଟି କରିବା ଲାଗି ପ୍ରୟାସ କରିନଥିଲେ କିନ୍ତୁ ତାଙ୍କ ଜୀବନ ହିଁ ପ୍ରେରଣାର କାରଣ ସାଜିଥିଲା । ଆଜି ଆମେ “କିଭଳି ଅନ୍ୟକୁ ପ୍ରଭାବିତ କରିବା”ର ଯୁଗରେ ବଂଚିଛୁ କିନ୍ତୁ ଗାନ୍ଧୀଜୀଙ୍କ ଦର୍ଶନ ଥିଲା- “କିଭଳି ଅନ୍ୟକୁ ପ୍ରେରଣା ଯୋଗାଇବା” । ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ମୋହନ ସୁନ୍ଦର ଦଳ ସିଂହ ରାୟ, ଜମ୍ବେଶ୍ଵର ପ୍ରଧାନ, କୁଳମଣି ମହାରଣା ପ୍ରମୁଖ ନିଜ ବକ୍ତବ୍ୟରେ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୂର ଶାସ୍ତ୍ରୀୟ ଙ୍କର ସାମାଜିକ ଅବଦାନ ତଥା ସର୍ବକାଳୀନ ଆଦର୍ଶ ପ୍ରତିଷ୍ଠା ର ଉଦାହରଣୀୟ ତଥ୍ୟାର୍ପଣ କରି ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଦେଇଥିଲେ । ସାମ୍ବାଦିକ ରବି ନାହକ ଆନୁଷ୍ଠାନିକ ଧନ୍ୟବାଦାର୍ପଣ କରିଥିଲେ ।