ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ତରଫରୁ ଦିବଂଗତ ଗୌରୀ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି
ବାଲେଶ୍ୱର, (ସରୋଜ ପଣ୍ଡା):ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ସଭାପତିତ୍ୱରେ ପ୍ରାକ୍ତନ ବ୍ରିଟ୍ ଅଧ୍ୟକ୍ଷ ତଥା ବାଲେଶ୍ୱରର ବିଶିଷ୍ଟ ସମାଜସେବୀ ଓ ଲୋକପ୍ରିୟ ବ୍ୟକ୍ତିତ୍ୱ ଗୌରୀ କୁମାର ରାଉତଙ୍କ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଲେଶ୍ୱର କେନ୍ଦ୍ର ପକ୍ଷରୁ ପ୍ରାକ୍ତନ ବିଧାୟକ ଅରୁଣ ଦେ’ଙ୍କ ବାସଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ରାଉତ ଜଣେ ବରିଷ୍ଠ ଆଇନଜୀବୀ ଓ ପ୍ରତିଷ୍ଠାନର ସଭ୍ୟ ମଧ୍ୟ ଥିଲେ । ସର୍ବପ୍ରଥମେ ୰ ରାଉତଙ୍କ ଫଟୋଚିତ୍ରରେ ସମସ୍ତେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ୧ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ସ୍ୱର୍ଗତ ରାଉତ ଜଣେ ସୁସଙ୍ଗଠକ, ସମାଜସେବୀ, ଆଇନଜୀବୀ ତଥା ଦକ୍ଷ ରାଜନୀତିଜ୍ଞ ବ୍ୟକ୍ତିତ୍ୱ ଭାବେ ସମସ୍ତଙ୍କର ପ୍ରିୟପାତ୍ର ହୋଇ ବାଲେଶ୍ୱର ଜନଜୀବନରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଥିଲେ । ତାଙ୍କର ଅକାଳ ବିୟୋଗରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି ସଭାପତି ଶ୍ରୀ ପଣ୍ଡା ତାଙ୍କ ଭାଷଣରେ ପ୍ରକାଶ କରିଥିଲେ । ଆବାହକ ମହମ୍ମଦ ଇସଲାମ୍ ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସହ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆଗାମୀ କାର୍ଯ୍ୟକ୍ରମ ବିଷୟରେ ସୂଚନା ପ୍ରଦାନ କରିବା ସହ ପ୍ରତିଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ପ୍ରତିଷ୍ଠାନର ମୁଖ୍ୟ ଆବାହକ ଜିତେନ୍ଦ୍ର ଉପାଧ୍ୟାୟ ଆମନ୍ତ୍ରିତ ଅତିଥିଙ୍କୁ ମଞ୍ଚଆହ୍ୱାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ପ୍ରେସ୍ କ୍ଲବ୍ ସଂପାଦକ ରଂଜନ ବାଗ୍, ବିଶିଷ୍ଟ ସମବାୟବିତ୍ ବିଷ୍ଣୁ ପ୍ରସାଦ ମହାନ୍ତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ଆବାହକ ବିଜୟ ଦାସଅଧିକାରୀ, ଆବାହିକା ପ୍ରତିମା ପଣ୍ଡା, ପ୍ରଣିତା ମିଶ୍ର, କବିତା ରାଣୀ ଦାସ, ସକିଲା ବାନୋ, ବାଣିବିହାର ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟାପକ ପ୍ରଫେସର ଅଶୋକ ପଟ୍ଟନାୟକ, ଅନୁସୟା ନାୟକ (ନନି ଅପା), ସେକ୍ ନାଜିର୍ଅଲ୍ଲୀ ପ୍ରମୁଖ ସେମାନଙ୍କ ବକ୍ତବ୍ୟ ରଖିଥିଲେ । ମାନସ ରଥ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।