ଗାବା ଟେଷ୍ଟ୍ର ପୁନଃବିଚାର କରିବ ଭାରତ
ନୂଆଦିଲ୍ଲୀ : ଜାନୁଆରି ୭ ତାରିଖ ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ତୃତୀୟ ଟେଷ୍ଟ୍ ଆରମ୍ଭ ହେବାକୁ ଥିଲେ ମଧ୍ୟ ସପ୍ତାହକ ପରେ ଖେଳାଯିବାକୁ ଥିବା ଚତୁର୍ଥ ଟେଷ୍ଟ୍ (ଜାନୁଆରି ୧୫ରୁ)କୁ ନେଇ ଅଧିକ ଚର୍ଚ୍ଚା ହେଉଛି। ଚତୁର୍ଥ ଟେଷ୍ଟ୍ ବ୍ରିସ୍ବନ୍ର ଗାବାରେ ଖେଳାଯିବାର ଥିଲେ ମଧ୍ୟ ସେଠାକାର କଠୋର କୋଭିଡ୍-୧୯ କଟକଣାକୁ ନେଇ ଭାରତୀୟ ଦଳ ଅସନ୍ତୁଷ୍ଟ ରହିଛି। ଭାରତ ଏହାକୁ ବର୍ଜନ କରିବା କଥା ଚିନ୍ତା କରୁଥିବାର ଖବର ରବିବାର ପଦାକୁ ଆସିଥିଲା। ସିଡ୍ନିରେ ଗୁରୁବାରଠାରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ୍ ଖେଳି ଶୃଙ୍ଖଳାକୁ ସେଠାରେ ଶେଷ କରିଦେବାକୁ ଭାରତ ପ୍ରସ୍ତାବ ଦେବ ବୋଲି ମଧ୍ୟ ଚିନ୍ତା କରୁଥିଲା। କିମ୍ବା ଚତୁର୍ଥ ଟେଷ୍ଟ୍କୁ ମଧ୍ୟ ସେହି ସିଡ୍ନିରେ ଖେଳିବାକୁ ଅନୁରୋଧ କରିବ ବୋଲି ବିଚାର କରୁଛି। ତେବେ ବ୍ରିସ୍ବନ୍ ଟେଷ୍ଟ୍କୁ ନେଇ କୁଇନ୍ସଲାଣ୍ଡ୍ ସ୍ବାସ୍ଥ୍ୟମନ୍ତ୍ରୀ ରସ୍ ବେଟ୍ସଙ୍କ ଟିପ୍ପଣୀକୁ ନେଇ ବିସିସିଆଇ କ୍ଷୁବ୍ଧ ହୋଇଛି। ବିସିସିଆଇକୁ ଗୌଣ ଦୃଷ୍ଟିରେ ଦେଖାଯିବାକୁ ଚେଷ୍ଟା ହୋଇଥିବାରୁ ବୋର୍ଡ ମଧ୍ୟ ବ୍ରିସ୍ବନ୍ ଟେଷ୍ଟ୍ରେ ଖେଳିବା ନଖେଳିବା ସମ୍ପର୍କରେ ପୁନଃବିଚାର କରିବ ବୋଲି ସୂଚନା ମିଳିଛି। ବେଟ୍ସ କହିଥିଲେ, ‘ଭାରତୀୟ ମାନେ ଯଦି ନିୟମ ଭିତରେ ଖେଳିବାକୁ ଚାହୁଁନାହାନ୍ତି ତେବେ ବ୍ରିସବନ୍ ନ ଆସନ୍ତୁ’। ବେଟ୍ସଙ୍କ ଏହି ମନ୍ତବ୍ୟକୁ ଦୁର୍ଭାଗ୍ୟଜନକ ଦର୍ଶାଇଛି ବିସିସିଆଇ। ଭାରତୀୟ ଖେଳାଳିମାନେ ବିଗତ ୬ ମାସ ମଧ୍ୟରେ ବିବିଧ ସଙ୍ଗରୋଧ ବ୍ୟବସ୍ଥା ମଧ୍ୟରେ ସମୟ କାଟିଥିବାରୁ ବ୍ରିସ୍ବନ୍ର ଅତିରିକ୍ତ କଟକଣାରୁ ମୁକ୍ତ ରହିବାକୁ ପ୍ରସ୍ତାବ ଦେଇଥିଲେ। ପଡ଼ିଆରେ ପ୍ରଶଂସକଙ୍କ ଉପସ୍ଥିତିକୁ ଅନୁମତି ମିଳୁଛି କିନ୍ତୁ ଖେଳାଳିଙ୍କୁ ହୋଟେଲ୍ ଭିତରେ ଆବଦ୍ଧ ରହିବାକୁ କୁହାଯିବାକୁ ସେମାନେ ଗ୍ରହଣ କରିପାରିନଥିଲେ।


